ଓଡ଼ିଆରେ ବୈଷୟିକ ଶିକ୍ଷା ପ୍ରଚଳନ ପାଇଁ ପ୍ରସ୍ତୁତି: ଗଠନ ହେବ କମିଟି

କେନ୍ଦ୍ରଶିକ୍ଷା ମନ୍ତ୍ରୀଙ୍କୁ ଭେଟିଲା ଓଡ଼ିଆ ଅଧ୍ୟୟନ ଓ ଗବେଷଣା ସଂସ୍ଥା

ଭୁବନେଶ୍ୱର: ଓଡ଼ିଆ ଭାଷାରେ ବୈଷୟିକ ଶିକ୍ଷା ପ୍ରଚଳନ ସହ ଏ ସମ୍ପର୍କିତ ବିଭିନ୍ନ ପୁସ୍ତକ ପ୍ରସ୍ତୁତି ପାଇଁ ଅଖିଳ ଭାରତୀୟ ବୈଷୟିକ ଶିକ୍ଷା ପରିଷଦ ତ୍ୱରିତ ପଦକ୍ଷେପ ନେବାକୁ ଓଡ଼ିଆ ଅଧ୍ୟୟନ ଓ ଗବେଷଣା ସଂସ୍ଥାର ଏକ ପ୍ରତିନିଧିମଣ୍ଡଳୀ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହ ଆଲୋଚନା କରିଛନ୍ତି। ଏହି ଅବସରରେ ବୈଷୟିକ ଶିକ୍ଷାକୁ ଓଡ଼ିଶାରେ ପ୍ରୟୋଗାତ୍ମକ ଢଙ୍ଗରେ ପ୍ରଚଳନ କରି ଓଡ଼ିଆମାନେ ନିଯୁକ୍ତି ପାଇଁ କିଭଳି ବାହାରକୁ ନ ଯାଇ ଓଡ଼ିଶାରେ ଥିବା ଖଣିଜ ସମ୍ପଦକୁ ନିଜ ଶିକ୍ଷାଭିତ୍ତିକ ଜ୍ଞାନ ବଳରେ ବ୍ୟବହାର କରିପାରିବେ, ସେନେଇ ବିସ୍ତୃତ ଆଲୋଚନା କରିଥିଲେ।

କେନ୍ଦ୍ରମନ୍ତ୍ରୀ ଏହି କଥାକୁ ଗୁରୁତ୍ବର ସହ ବିଚାର କରି ଓଡ଼ିଆ ଭାଷାରେ ବୈଷୟିକ ଶିକ୍ଷାର ପ୍ରଚଳନ ପାଇଁ ଉପଯୁକ୍ତ ପାଠ୍ୟପୁସ୍ତକ ପ୍ରସ୍ତୁତି ଓ ଶିକ୍ଷାଦାନ ନିମନ୍ତେ ପଦକ୍ଷେପ ନେବା ଉଦ୍ଦେଶ୍ୟରେ ଅଖିଳ ଭାରତୀୟ ବୈଷୟିକ ଶିକ୍ଷା ପରିଷଦ, ଓଡ଼ିଆ ଅଧ୍ୟୟନ ଓ ଗବେଷଣା ସଂସ୍ଥା, ଓଡ଼ିଶା ସରକାର, ବିଜୁ ପଟ୍ଟନାୟକ ବୈଷୟିକ ବିଶ୍ୱବିଦ୍ୟାଳୟ, ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟ ଓ ଓଡ଼ିଶା ବେସରକାରୀ ବୈଷୟିକ ଶିକ୍ଷା ପରିଷଦ ମଧ୍ୟରେ ଆଲୋଚନା ପାଇଁ ତାରିଖ ନିର୍ଦ୍ଧାରଣ କରିବାକୁ ଉପସ୍ଥିତ କେନ୍ଦ୍ରୀୟ ପଦାଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ଏହାବ୍ୟତୀତ ପ୍ରାଚୀନ ଓ ସମୃଦ୍ଧ ଓଡ଼ିଆ ଭାଷାକୁ ବିଶ୍ୱସ୍ତରରେ ପ୍ରଚାରପ୍ରସାର ପାଇଁ ବିଭିନ୍ନ ପଦକ୍ଷେପ ନେବା, ଆଇଆଇଟି, ଭୁବନେଶ୍ୱରରେ କ୍ଲାସିକାଲ ଓଡ଼ିଆ ବିଷୟରେ ଶିକ୍ଷାଦାନ, କେନ୍ଦ୍ରୀୟ ବିଦ୍ୟାଳୟରେ ଓଡ଼ିଆ ଶିକ୍ଷକ ପଦ ସୃଷ୍ଟି ଓ ନିଯୁକ୍ତି, ଶାସ୍ତ୍ରୀୟ ଭାଷା ପାଇଁ ଗବେଷଣା କାର୍ଯ୍ୟକୁ ବ୍ୟାପକ କରିବା, ଜାତୀୟ ପାଣ୍ଡୁଲିପି ମିସନ୍‌ ଦ୍ୱାରା ସଂଗୃହୀତ ୨ ଲକ୍ଷ ୧୩ ହଜାର ଓଡ଼ିଆ ତାଳପତ୍ର ପୋଥି ଓ ୩୦ରୁ ଊର୍ଦ୍ଧ୍ୱ ଅଭିଲେଖର ପାଠୋଦ୍ଧାର ପାଇଁ ପଦକ୍ଷେପ ନେବା ବିଷୟରେ ମଧ୍ୟ ଆଲୋଚନା ହୋଇଛି।
ଏହି ଆଲୋଚନାରେ ଭାରତର ପୂର୍ବତନ ରାଷ୍ଟ୍ରଦୂତ ତଥା ଓଡ଼ିଆ ଅଧ୍ୟୟନ ଓ ଗବେଷଣା ସଂସ୍ଥାର ଅଧ୍ୟକ୍ଷ ଅବସର ବେଉରିଆ, ପ୍ରଫେସର୍‌ ଓଁକାରନାଥ ମହାନ୍ତି, ସୁବ୍ରତ ପୃଷ୍ଟି, ସିପ୍ରା ମଲ୍ଲିକ, ପ୍ରଫେସର୍‌ ନଟବର ଶତପଥୀ, କାହ୍ନୁଚରଣ ବେହୁରା ପ୍ରମୁଖ ପ୍ରଥମ ଓଡ଼ିଆ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଭାବେ ଦାୟିତ୍ୱ ନେଇଥିବା ଶ୍ରୀ ପ୍ରଧାନଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରିବା ସହ ଓଡ଼ିଆ ଭାଷାର ସମୃଦ୍ଧି ପାଇଁ ଉପରୋକ୍ତ ପଦକ୍ଷେପ ନେବାକୁ ଅନୁରୋଧ କରିଥିଲେ।

ସମ୍ବନ୍ଧିତ ଖବର