ପୁରୀ : ନୂଆବର୍ଷ ପାଇଁ ଶ୍ରୀମନ୍ଦିର ପ୍ରଶାସନ, ଜିଲ୍ଲା ପ୍ରଶାସନ ଓ ପୁଲିସ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଛି। ଶୃଙ୍ଖଳିତ ଦର୍ଶନ ପାଇଁ ସିଂହଦ୍ବାର ଅସ୍ଥାୟୀ ସେଡ୍‌କୁ ମାର୍କେଟ୍‌ ଛକ ପର୍ଯ୍ୟନ୍ତ ସଂପ୍ରସାରଣ କରାଯାଇଛି। ଏଥିପାଇଁ ପ୍ରାୟ ୨୦ ଫୁଟ୍‌ ଓସାରରେ ବଡ଼ଦାଣ୍ଡ ମଝିରେ ବାଉଁଶର ବାରିକେଡ୍‌ କରାଯାଇଛି। ପରେ ଏହି ସେଡ୍‌କୁ ଛାୟାପ୍ରଦ କରାଯିବ। ଭକ୍ତମାନେ ମାର୍କେଟ୍‌ ଛକରୁ ଏହାରି ଭିତରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ଯିବେ। ଯେହେତୁ ମାର୍କେଟ୍‌ ଛକରୁ ସେଡ୍‌ କରାଯାଇଛି, ଭକ୍ତମାନେ ଜୋତା ରଖିବା ପାଇଁ ଏହା ପାଖରେ ଅସ୍ଥାୟୀ ଜୋତାଷ୍ଟାଣ୍ଡର ବି ବ୍ୟବସ୍ଥା କରାଯାଉଛି।

Advertisment

ସେପଟେ ନୂଆବର୍ଷ ଭିଡ଼ ନିୟନ୍ତ୍ରଣ ପାଇଁ ଡିସେମ୍ବର ୩୧ରୁ ମାର୍କେଟ୍‌ ଛକରୁ ସିଂହଦ୍ବାର ପର୍ଯ୍ୟନ୍ତ ସମସ୍ତ ଉଠା ଦୋକାନ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ପୌରସଂସ୍ଥା ପକ୍ଷରୁ ସମସ୍ତ ଉଠା ଦୋକାନୀଙ୍କୁ ଏ ସଂପର୍କରେ ଅବଗତ କରାଯାଇଛି। ଯେଉଁ ‌ଉଠା ଦୋକାନୀମାନେ ରାସ୍ତା ଉପରେ ବସିଛନ୍ତି, ସେମାନଙ୍କୁ ରାସ୍ତା ଉପରୁ ସମସ୍ତ ଦୋକାନ ହଟାଇ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି। ଏ ସଂପର୍କରେ ପୌର ନିର୍ବାହୀ ଅଧିକାରୀ ସରୋଜ କୁମାର ସ୍ବାଇଁ କହିଛନ୍ତି, ଡିସେମ୍ବର ୩୦ ତାରିଖ ଦୋକାନ ଖୋଲା ରହିବ। ୩୦ ତାରିଖ ରାତିରୁ ସମସ୍ତ ଦୋକାନ ବନ୍ଦ କରିବାକୁ କୁହାଯାଇଛି। ନୂଆବର୍ଷ ପାଇଁ ଯେହେତୁ ଡିସେମ୍ବର ୩୧ ଓ ଜାନୁଆରି ୧ ତାରିଖରେ ଅଧିକ ଭିଡ଼ ରହିବ, ‌ଏହି ଦୁଇଦିନ ମାର୍କେଟ୍‌ ଛକରୁ ସିଂହଦ୍ବାର ପର୍ଯ୍ୟନ୍ତ ଉଠା ଦୋକାନୀଙ୍କୁ ବନ୍ଦ ରଖିବାକୁ କୁହାଯାଇଛି। ସମସ୍ତେ ରାସ୍ତା ଉପରୁ ଦୋକାନ ହଟାଇବେ।

publive-image

ସୂଚନାଯୋଗ୍ୟ, ନୂଆବର୍ଷ ପାଇଁ ଭିଡ଼କୁ ନଜରରେ ରଖି ଡିସେମ୍ବର ୩୧ ତାରିଖରେ ସଅଳ ପହୁଡ଼ ପରେ ପରଦିନ ନୀତିକାନ୍ତି ଆରମ୍ଭ ହେବ। ରାତି ୧ରୁ ଶ୍ରୀମନ୍ଦିର ଦ୍ବାରଫିଟା ନୀତି ପରେ ଅନ୍ୟାନ୍ୟ ନୀତିକାନ୍ତି ସହ ଭକ୍ତଙ୍କୁ ଦର୍ଶନ ସୁ ଯୋଗ ମିଳିବ। ଭକ୍ତଙ୍କ ଦର୍ଶନ ପାଇଁ ସିଂହଦ୍ବାରରୁ ମାର୍କେଟ୍‌ ଛକ ପର୍ଯ୍ୟନ୍ତ ଛାୟାପ୍ରଦ ସେଡ୍‌ ସହ ପିଇବା ପାଣିର ବ୍ୟବସ୍ଥା କରାଯିବ। ସିଂହଦ୍ବାରରେ ବରିଷ୍ଠ ନାଗରିକଙ୍କ ପାଇଁ ସ୍ବତନ୍ତ୍ର ସେଡ୍‌ ହେବ। ନୀତିକାନ୍ତି ଜାଣିବା ପାଇଁ ଏଲ୍‌ଇଡି ଲଗାଯିବ। ଭକ୍ତ ତଥା ପର୍ଯ୍ୟଟକମାନେ ଜଗନ୍ନାଥ ବଲ୍ଲଭ, ଶରଧାବାଲି, ଏସସିଏସ କଲେଜ ଛକ, ବାରବାଟୀ ଜାଗା, ଲୋକନାଥ ରୋଡ୍‌ରେ ଗାଡ଼ି ପାର୍କିଂ କରିବେ। ଏହି ଜାଗାରେ ଗାଡ଼ି ରଖିବାକୁ ଜାଗା ନ ହେଲେ ତାଳବଣିଆକୁ ଅତିରିକ୍ତ ଗାଡ଼ିକୁ ପାର୍କିଂ ପାଇଁ ପଠାଯିବ। ଶ୍ରୀମନ୍ଦିର ଓ ଚତୁଃପାର୍ଶ୍ବକୁ ପର୍ଯ୍ୟାପ୍ତ ଆଲୋକୀକରଣ କରାଯିବ। ବ୍ୟାପକ ଫୁଲସଜ୍ଜା କରାଯିବ। ଆମ୍ବୁଲାନ୍ସର ବ୍ୟବସ୍ଥା ରହିବ।