ସ୍କୁଲରୁ ଅଲିମ୍ପିକ୍ସ ପାଇଁ ପ୍ରସ୍ତୁତି: ୯୦ ସ୍କୁଲରେ ଆରମ୍ଭ ହେଲା ଓଡ଼ିଶା ଅଲିମ୍ପିକ୍ସ ମୂଲ୍ୟବୋଧ ଶିକ୍ଷା କାର୍ଯ୍ୟକ୍ରମ

ଦେଶରେ ନୂଆ ଅଲିମ୍ପିକ୍ସ ଆନ୍ଦୋଳନ ଆରମ୍ଭ ହେବ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ସ୍କୁଲ ଛାତ୍ରଛାତ୍ରୀଙ୍କୁ ଆଗାମୀ ଅଲିମ୍ପିକ୍ସ ପାଇଁ ପ୍ରସ୍ତୁତ କରାଯିବ। ରାଜ୍ୟର ଯେପରି ଅଧିକରୁ ଅଧିକ ପିଲା ଅଲିମ୍ପିକ୍ସ‌ ପାଇଁ ନିଜକୁ ପ୍ରସ୍ତୁତ କରିବେ ସେନେଇ ସ୍କୁଲ ସ୍ତରରେ ପ୍ରଶିକ୍ଷଣ ଦିଆଯିବ। ଏନେଇ ରାଜ୍ୟ ସରକାର ଭୁବନେଶ୍ବର ଓ ରାଉରକେଲାର ମୋଟ୍ ୯୦ଟି ସ୍କୁଲରେ ‘ଓଡ଼ିଶା ଅଲିମ୍ପିକ୍ସ‌ ମୂଲ୍ୟବୋଧ ଶିକ୍ଷା’ କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି। ଏହା ସ୍କୁଲ ପାଠ୍ୟକ୍ରମ ସହ ସମନ୍ବିତ ହେବାକୁ ଥିବାବେଳେ ଏବେ ଭୁବନେଶ୍ବରର ୬୩ଟି ଏବଂ ରାଉରକେଲାର ୨୭ଟି ସ୍କୁଲ ସାମିଲ୍‌ ହୋଇଛନ୍ତି। ମୋଟ୍ ୯୦ଟି ସ୍କୁଲରେ ୩୨ହଜାର ପିଲା ଏହାଦ୍ବାରା ଉପକୃତ ହେବେ। ଆଗାମୀ ଦିନରେ ରାଜ୍ୟର ସମସ୍ତ ସ୍କୁଲରେ ଏହି କାର୍ଯ୍ୟକ୍ରମ ଆରମ୍ଭ କରିବାକୁ ନିଷ୍ପତ୍ତି ନିଆଯାଇଛି। ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭର୍ଚୁଆଲ ମୋଡରେ ଏହାକୁ ଉଦ୍‌ଘାଟନ କରିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଏହାଦ୍ବାରା ଦେଶରେ ନୂତନ ଅଲିମ୍ପିକ୍ସ‌ ଆନ୍ଦୋଳନ ଆରମ୍ଭ ହେବାକୁ ଯାଉଛି। ଆମ ପିଲାମାନେ ଅଲିମ୍ପିକ୍ସ‌ ମୂଲ୍ୟବୋଧତାର ଉତ୍କର୍ଷତା, ବନ୍ଧୁତା ଏବଂ ସମ୍ମାନକୁ ଅନୁଭବ କରିପାରିବେ। ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଓଡ଼ିଶାରେ ପିଲାମାନଙ୍କର ଶିକ୍ଷା ଓ ବ୍ୟକ୍ତିତ୍ବର ବିକାଶ ପାଇଁ କ୍ରୀଡ଼ା‌ ଆମ ଦୃଷ୍ଟିକୋଣର ଏକ ଗୁରୁତ୍ବପୂର୍ଣ୍ଣ ଅଂଶ। ଆମେ ସର୍ବଦା କ୍ରୀଡ଼ା ଏବଂ ଶିକ୍ଷା କ୍ଷେତ୍ରରେ ଉତ୍କର୍ଷତା ହାସଲ ପାଇଁ ଚେଷ୍ଟା କରିଛୁ।

ଓଡ଼ିଶା ଦେଶର ପ୍ରମୁଖ କ୍ରୀଡ଼ା ହବ୍ ଭାବେ ଉଭା ହୋଇଥିବାବେଳେ ସହଭାଗିତା ମାଧ୍ୟମରେ କ୍ରୀଡ଼ାକୁ ଆଗକୁ ନେବାକୁ ଉଦ୍ୟମ ଜାରି ରଖିବ। ଇଣ୍ଟରନ୍ୟାସନାଲ ଅଲିମ୍ପିକ୍ସ‌ କମିଟି (ଆଇଓସି) ସହ ମିଶି ଏହି କାର୍ଯ୍ୟକ୍ରମ ଆରମ୍ଭ କରିବା ସମ୍ମାନର ବିଷୟ। କ୍ରୀଡ଼ା କ୍ଷେତ୍ରରେ ଉତ୍କର୍ଷତା ହାସଲ ପାଇଁ ଆଇଓସି ଆମକୁ ସହଭାଗୀ ଭାବେ ଚୟନ କରିଥିବାରୁ ଆଇଓସିକୁ ଧନ୍ୟବାଦ। ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଥିଲେ ଏହି କାର୍ଯ୍ୟକ୍ରମ ପିଲାଙ୍କ ଜୀବନରେ ବଡ଼ ପରିବର୍ତ୍ତନ ଆଣିବ। କାର୍ଯ୍ୟକ୍ରମରେ ଆଇଓସି ଶିକ୍ଷା କମିସନ ଅଧ୍ୟକ୍ଷ ମିକେଲା ସି. ଜାୱେରସ୍କି କହିଥିଲେ, କ୍ରୀଡ଼ା ଏଭଳି ଶକ୍ତିଶାଳୀ ପରିବର୍ତ୍ତନ ଆଣିପାରିବ ଯାହା ପାରମ୍ପାରିକ ଶିକ୍ଷା ଆଣିପାରିବନି। ଆଇଓସି ସଂସ୍କୃତି ଓ ଐତିହ୍ୟ କମିଟିର ନିର୍ଦ୍ଦେଶକ ଆଞ୍ଜେଲିଟା ଟିଓ କହିଥିଲେ, ଅଲିମ୍ପିକ୍ସ‌ ଶିକ୍ଷା ‌ଜୀବନର ଦର୍ଶନକୁ ବଢ଼ାଇବ। ଏହା ଛାତ୍ରଛାତ୍ରୀଙ୍କୁ ଶାନ୍ତ ଓ ସୁସ୍ଥ ଜୀବନ ଭେଟିଦେବ।

ଆଇଓସି ସଦସ୍ୟ ନୀତା ଅମ୍ବାନି କହିଥିଲେ, ପ୍ରତ୍ୟେକ ପିଲା ଯଦିଓ ଜଣେଜଣେ ଅଲିମ୍ପିଆନ୍ ହୋଇପାରିବେନି କିନ୍ତୁ ସମସ୍ତେ ଅଲମ୍ପିଜିମ୍‌ ଶିଖି ପାରିବେ। ନିକଟରେ ଓଡ଼ିଶା କ୍ରୀଡ଼ା କ୍ଷେତ୍ରରେ ହବ୍ ପାଲଟିଛି। ଏହି ଆନ୍ଦୋଳନରେ ମୁଁ ସାମିଲ୍ ହୋଇଥିବାରୁ ଗର୍ବିତ। ଅଲିମ୍ପିକ୍ସ‌ ପଦକ ବିଜେତା ଅଭିନବ ବିନ୍ଦ୍ରା କହିଥିଲେ, ଅଲିମ୍ପିକ୍ସ‌ ଆନ୍ଦୋଳନ ସମାଜରେ ପରିବର୍ତ୍ତନ ଆଣିବାର କ୍ଷମତା ରଖିଛି। ଓଡ଼ିଶା ହକି ପ୍ରମୋସନ୍ କାଉନସିଲ୍ ସଭାପତି ଦିଲ୍ଲୀପ ତିର୍କୀ କହିଥିଲେ, ଅଲିମ୍ପିକ୍ସ‌ ଖେଳି ସେ ଆତ୍ମ ଶୃଙ୍ଖଳା, ସମ୍ମାନ ଆତ୍ମବିଶ୍ବାସ ପାଇଛନ୍ତି। ଇଣ୍ଡିଆନ ଅଲିମ୍ପିକ୍ସ‌ ଆସୋସିଏସନ୍ ଅଧ୍ୟକ୍ଷ ନରେନ୍ଦ୍ର ବାତ୍ରା କହିଥିଲେ ଏହି ଆନ୍ଦୋଳନ କ୍ରୀଡ଼ାର ମୂଲ୍ୟବୋଧକୁ ଶିକ୍ଷା କ୍ଷେତ୍ରରେ ଉତ୍ସାହିତ କରିବ। ଏହି ଆନ୍ଦୋଳନ ସହ ଓଡ଼ିଶା ଅନ୍ୟ ରାଜ୍ୟ ପାଇଁ ଉଦାହରଣ ସୃଷ୍ଟି କରିବ। ଏହି କାର୍ଯ୍ୟକ୍ରମରେ କ୍ରୀଡ଼ା ମନ୍ତ୍ରୀ ତୁଷାରକାନ୍ତି ବେହେରା, ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପ୍ରମୁଖସଚିବ ବିଷ୍ଣୁପଦ ସେଠୀ, କ୍ରୀଡ଼ା ସଚିବ ଭିନିଲ କ୍ରିଷ୍ଣା ପ୍ରମୁଖ ଉପସ୍ଥିତ ଥିଲେ। ସୂଚନାଯୋଗ୍ୟ ଯେ ଏହି ଯୋଜନାରେ ସାରା ଦେଶରେ ୭ନିୟୁତ ପିଲାଙ୍କୁ ସାମିଲ୍ କରିବାକୁ ନିଷ୍ପତ୍ତି ହୋଇଛି।

ସମ୍ବନ୍ଧିତ ଖବର