ପ୍ରଥମରୁ ୭ମ ଶ୍ରେଣୀ ଖୋଲିବା ପାଇଁ ପସ୍ତୁତି: ୨୬ରେ ପିଟିଏ ବୈଠକ

୨୫ରୁ ୨୮ ତାରିଖ ଯାଏ ଏସ୍‌ଏମ୍‌ସି ତାଲିମ, ମାର୍ଚ୍ଚ ୯ରୁ ୧୧ ଯାଏ ବେସ୍‌ଲାଇନ୍‌ ଆସେସ୍‌ମେଣ୍ଟ

ଭୁବନେଶ୍ବର : ପାଖାପାଖି ଦୁଇ ବର୍ଷ ପରେ ଆସନ୍ତା ୨୮ ତାରିଖରୁ ଖୋଲିବାକୁ ଯାଉଛି ପ୍ରଥମରୁ ୫ମ ଶ୍ରେଣୀ। ଏଥିସହ ୬ଷ୍ଠ ଓ ୭ମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ଲାଗି ଦ୍ବିତୀୟ ପର୍ଯ୍ୟାୟ କ୍ଲାସରୁମ୍‌ ଶିକ୍ଷା ମଧ୍ୟ ଆରମ୍ଭ ହେବ। ତାହାକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ଛାତ୍ରଛାତ୍ରୀଙ୍କୁ ମାନସିକ ଚିନ୍ତା ମୁକ୍ତ ରଖିବା, କ୍ୟାମ୍ପସରେ ଶିକ୍ଷଣୀୟ ପରିବେଶ ସୃଷ୍ଟି କରିବା ଲକ୍ଷ୍ୟରେ ପ୍ରଥମ ସପ୍ତାହରେ ସେମାନଙ୍କୁ ପାଠ୍ୟପୁସ୍ତକ ବିଷୟରେ ଶିକ୍ଷା ନ ଦେଇ ଅନ୍ୟାନ୍ୟ କାର୍ଯ୍ୟକଳାପରେ ନିୟୋଜିତ କରିବାକୁ ସ୍କୁଲଗୁଡ଼ିକୁ ପରାମର୍ଶ ଦିଆଯାଇଛି। ଏହି ସପ୍ତାହକ ମଧ୍ୟରେ ପିଲାଙ୍କ ସହ କୋଭିଡ୍‌-୧୯ ସମୟର ଅନୁଭୂତି, ସ୍କୁଲ ବନ୍ଦ ସମୟର ଅନୁଭୂତି, ଖେଳ, ଗପ ଶୁଣାଇବା, ଚିତ୍ରାଙ୍କନ, କ୍ରିଏଟିଭ୍‌ ଚିନ୍ତାଧାରା, କ୍ରାଫ୍ଟ ଓ୍ବାର୍କ ଆଦି ବିଷୟରେ ଆଲୋଚନା କରାଯିବ।

ପ୍ରଥମରୁ ୫ମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ଲାଗି ଭାଷା, ଗଣିତ ଓ ଇଂରାଜୀରେ ବେସ୍‌ଲାଇନ୍‌ ଆସେସ୍‌ମେଣ୍ଟ ପରୀକ୍ଷା ହେବ। ମାର୍ଚ୍ଚ ୯ରେ ଭାଷା(ଓଡ଼ିଆ), ୧୦ରେ ଗଣିତ ଓ ୧୧ ତାରିଖରେ ୪ର୍ଥ ଓ ୫ମ ଶ୍ରେଣୀ ପାଇଁ ଇଂରାଜୀ ଭାଷାର ଆସେସ୍‌ମେଣ୍ଟ କରାଯିବ। ଟିଇ ଆଣ୍ଡ ଏସ୍‌ସିଇଆରଟି ଦ୍ବାରା ପ୍ରଶ୍ନପତ୍ର ପ୍ରସ୍ତୁତ କରାଯାଇ ସ୍କୁଲଗୁଡ଼ିକୁ ପଠାଯିବ। ବେସ୍‌ଲାଇନ୍‌ ଆସେସ୍‌ମେଣ୍ଟର ଉତ୍ତର ଖାତାଗୁଡ଼ିକ ଅଭିଭାବକଙ୍କ ନିକଟକୁ ପଠାଯିବ। ଶିକ୍ଷକ ଶିକ୍ଷୟିତ୍ରୀ ଅଲଗା ରଣକୌଶଳ ପ୍ରସ୍ତୁତ କରିପାରିବେ। ପ୍ରତି ସପ୍ତାହରେ ଛାତ୍ରଛାତ୍ରୀଙ୍କ ପାଠପଢ଼ା ନେଇ ବିଦ୍ୟାଳୟ ପକ୍ଷରୁ ଅଭିଭାବକଙ୍କ ଅବଗତ କରାଯିବ। ସିଆରସିସିମାନେ ଛାତ୍ରଛାତ୍ରୀଙ୍କ ସାପ୍ତାହିକ ପାଠପଢ଼ାର ଅଗ୍ରଗତି ନେଇ ବ୍ଲକ ଓ ଜିଲ୍ଲା ଶିକ୍ଷା‌ ଅଧିକାରୀଙ୍କ ନିକଟରେ ରିପୋର୍ଟ ଦାଖଲ କରିବେ। ବେସ୍‌ଲାଇନ୍‌ ଆସେସ୍‌ମେଣ୍ଟରେ ଯେଉଁ ପିଲାଙ୍କର ପ୍ରଦର୍ଶନ ଭଲ ନ ଥିବ ସ୍କୁଲ ପକ୍ଷରୁ ସେମାନଙ୍କ ପ୍ରତି ସ୍ବତନ୍ତ୍ର ଗୁରୁତ୍ବ ଦିଆଯିବ। ୪ର୍ଥ ଓ ୫ମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ଭାଷା ଲିଖନୀ ଓ ଗଣିତ ଦକ୍ଷତା ବିକାଶ ଉପରେ ଅଧିକ ଗୁରୁତ୍ବ ଦିଆଯିବ। ପାଠପଢ଼ାର ଚାର୍ଟ ପ୍ରସ୍ତୁତ କରାଯାଇ ତାହାକୁ କ୍ଲାସରୁମ୍‌ କାନ୍ଥରେ ପ୍ରଦର୍ଶିତ କରିବାକୁ କୁହାଯାଇଛି। ଅଭିଭାବକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ଉପରେ ବିଭାଗ ଗୁରୁତ୍ବ ଦେଇଛି।

ବିଦ୍ୟାଳୟ ଖୋଲିବା ଦିନ ଯେପରି ଶତ ପ୍ରତିଶତ ଉପସ୍ଥାନ ରୁହେ ସେଥିପାଇଁ ଗାଁସ୍ତରରେ ବ୍ୟାପକ କାର୍ଯ୍ୟକ୍ରମ କରାଯିବା ଦିଗରେ ସ୍କୁଲ ପରିଚାଳନା କମିଟି ଓ ସିଆରସିସିମାନେ ପଦକ୍ଷେପ ନେବେ। ସ୍କୁଲ ଖୋଳିବା ପୂର୍ବରୁ ୨୬ ତାରିଖରେ ଅଭିଭାବକ-ଶିକ୍ଷକ ଶିକ୍ଷୟିତ୍ରୀ ବୈଠକ(ପିଟିଏ) କରାଯାଇ ଛାତ୍ରଛାତ୍ରୀଙ୍କ ପାଠପଢ଼ା ଉପରେ ବିଚାରବିମର୍ଶ କରିବାକୁ ନିର୍ଦେଶ ଦିଆଯାଇଛି। ସ୍କୁଲ ପରିବେଶକୁ ଅଧିକ ଆକର୍ଷଣୀୟ କରିବା ଲାଗି ଖୋଲିବା ଦିନ ପ୍ରବେଶ ପଥରେ ବେଲୁନ୍‌ ଓ ଫୁଲରେ ସୁସଜ୍ଜିତ କରିବାକୁ କୁହାଯାଇଛି। ସ୍କୁଲ ପରିଚାଳନା କମିଟିର ତାଲିମ କାର୍ଯ୍ୟକ୍ରମ ଫେବ୍ରୁଆରି ୨୫ରୁ ୨୮ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଏଥିରେ ସ୍କୁଲ ସୁରକ୍ଷା, ସ୍ବଚ୍ଛତା, ବିଶୋଧନ, ପରିଚାଳନା ସମେତ ଅନ୍ୟାନ୍ୟ ବିଷୟରେ ତାଲିମ ଦିଆଯିବ।

ସମ୍ବନ୍ଧିତ ଖବର