ଯୁକ୍ତ ୨ ପରୀକ୍ଷା ଫଳାଫଳ ପ୍ରକାଶନ ପାଇଁ ପ୍ରସ୍ତୁତି

ଦଶମ ଶ୍ରେଣୀ ପରୀକ୍ଷା ଫଳ, ପ୍ରାକ୍ଟିକାଲ ମାର୍କ ଦାଖଲ ନିର୍ଦେଶ

ଭୁବନେଶ୍ବର : ଯୁକ୍ତ ୨ ପରୀକ୍ଷା ଫଳାଫଳ ପ୍ରକାଶନ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। ଦଶମ ଶ୍ରେଣୀ ପରୀକ୍ଷା ଫଳାଫଳ, ଯୁକ୍ତ ଦୁଇରେ ପ୍ରାକ୍ଟିକାଲ, ପ୍ରୋଜେକ୍ଟରେ ପାଇଥିବା ମାର୍କ ଆଧାରରେ ଦ୍ବାଦଶ ପରୀକ୍ଷା ଫଳାଫଳ ପ୍ରକାଶିତ ହେବ। ଏହାକୁ ଦୃଷ୍ଟିରେ ରଖି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପରୀକ୍ଷା ନିୟନ୍ତ୍ରକ ବିଭିନ୍ନ ସ୍କୁଲ ଏବଂ କଲେଜ ଅଧ୍ୟକ୍ଷଙ୍କୁ ବିଭିନ୍ନ ପ୍ରକାର ନିର୍ଦେଶ ଦେଇଛନ୍ତି।

ପ୍ରଥମତଃ ଯୁକ୍ତ ଦୁଇରେ ବିଜ୍ଞାନ, ବାଣିଜ୍ୟ ଏବଂ କଳାରେ ପ୍ରାକ୍ଟିକାଲ ଏବଂ ପ୍ରୋଜେକ୍ଟ ନମ୍ବର, ମାଟ୍ରିକ ପରୀକ୍ଷା ନମ୍ବର ଜୁଲାଇ ୧୮ ତାରିଖ ସୁଦ୍ଧା, ଏକ୍ସ ରେଗୁଲାର ପରୀକ୍ଷାର୍ଥୀଙ୍କ ସମ୍ପର୍କରେ ଜୁଲାଇ ୧୯ ତାରିଖରେ ବିସ୍ତୃତ ସୂଚନା ଦେବାକୁ କୁହାଯାଇଛି। ଅପଲୋଡ୍‌ କରିବା ସମୟରେ କୌଣସି ସମସ୍ୟା ଉପୁଜିଲେ ସାମ କୋର୍ଡ ଏବଂ ଯୋଗାଯୋଗ ନମ୍ବର ଦେଇ ପରୀକ୍ଷା ନିୟନ୍ତ୍ରକକୁ ମେଲ୍‌ କରିପାରିବେ। ସ୍କୁଲ ଏବଂ କଲେଜ ଗୁଡ଼ିକ ଟୋଲ ଫ୍ରି ନମ୍ବର ୧୫୫୩୩୫ ନମ୍ବରରେ କଲ୍‌ କରିପାରିବେ। ୧୯ ତାରିଖ ସୁଦ୍ଧା ସାମ ଇ-ସ୍ପେସ ଲିଙ୍କ୍‌ରେ ଦଶମ ଶ୍ରେଣୀ ପରୀକ୍ଷା ବୋର୍ଡର ପରୀକ୍ଷା ରୋଲ୍‌ ନମ୍ବର ହିସାବରେ ଦେବାକୁ କୁହାଯାଇଛି। ଏଥିରେ ପ୍ରଥମେ ଦଶମ ବୋର୍ଡ ରୋଲ ନମ୍ବର, ବୋର୍ଡର ନାମ, କେଉଁ ବର୍ଷ ଦଶମ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିଲେ, କେଉଁ ପ୍ରକାର ପରୀକ୍ଷା ଦେଉଛନ୍ତି, ବିଷୟ ଅନୁସାରେ ନମ୍ବର ଦେବାକୁ କୁହାଯାଇଛି। ଦଶମ ବୋର୍ଡରେ କୌଣସି ବିଷୟର ସମୁଦାୟ ନମ୍ବର ୧୦୦ ହୋଇ ନଥିଲେ ତାର ଶହ ହିସାବରେ ନମ୍ବର ବାହାର କରାଯାଇ ମାର୍କ ଦେବାକୁ କୁହାଯାଇଛି। ବୋର୍ଡ ପକ୍ଷରୁ ଗ୍ରେଡ୍‌ ହିସାବରେ ମୂଲ୍ୟାୟନ କରାଯାଇଥିଲେ ସେହି ଅନୁଯାୟୀ, ନମ୍ବରରେ କନଭର୍ଟ କରି ନମ୍ବର ପ୍ରଦାନ, ମାର୍କସିଟ୍‌ର ଫଟୋକପି ଅପଲୋଡ୍‌ ସମେତ ଅନ୍ୟାନ୍ୟ ନିର୍ଦେଶ ହୋଇଛି। ଏକ୍ସ ରେଗୁଲାରଙ୍କ ପରୀକ୍ଷା ଫଳାଫଳ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା ରହିଛି। ଏଥି ଅନ୍ତର୍ଗତରେ ସେମାନଙ୍କ ପୁରୁଣା ଯୁକ୍ତ ଦୁଇ ପରୀକ୍ଷା ନମ୍ବର, ମାଟ୍ରିକ ପରୀକ୍ଷା ନମ୍ବରକୁ ଆଧାର କରାଯିବ। ସମସ୍ତ ସ୍କୁଲ ଏବଂ କଲେଜର କଳା, ବିଜ୍ଞାନ, ବାଣିଜ୍ୟ ଏବଂ ଧନ୍ଦାମୂଳକ ପାଠ୍ୟକ୍ରମର ଏକ୍ସରେଗୁଲାର ପରୀକ୍ଷାର୍ଥୀଙ୍କ ପୁରୁଣା ବିଷୟର ମାର୍କ ନମ୍ବର ସାମ-ଇ ସ୍ପେସରେ ଦେବାକୁ କୁହାଯାଇଛି।

ସମ୍ବନ୍ଧିତ ଖବର