ଭଞ୍ଜନଗର ଉପଖଣ୍ଡରେ ଧାନ କିଣା ପାଇଁ ପ୍ରସ୍ତୁତି : ୧୬ରେ ଏକାଥରକେ ଖୋଲିବ ସବୁ ମଣ୍ଡି

କୋଭିଡ୍ କଟକଣା ପାଇଁ ଦିନକୁ ସର୍ବାଧିକ ୫୦ କ୍ବିଣ୍ଟାଲ୍ ଧାନ ବିକିବେ ଚାଷୀ

ଭଞ୍ଜନଗର: ଆସନ୍ତା ୧୬ ତାରିଖରୁ ଆରମ୍ଭ ହେବାକୁ ଥିବା ଧାନ କିଣା ପାଇଁ ଭଞ୍ଜନଗର ଉପଜିଲ୍ଲାପାଳଙ୍କ ରାଜେନ୍ଦ୍ର ମିଞ୍ଜଙ୍କ ଅଧ୍ୟକ୍ଷତା‌ରେ ଉପଖଣ୍ଡସ୍ତରୀୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଭଞ୍ଜନଗର ବ୍ଲକ୍ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଆୟୋଜିତ ଏହି ବୈଠକରେ ଚଳିତବର୍ଷ ୧୨୫ଟି ସେବା ସମବାୟ ସମିତି ଓ ୨୭ଟି ମହିଳା ସ୍ବଂୟ ସହାୟକ ଗୋଷ୍ଠୀ ଦ୍ବାରା ମୋଟ ୧୫୨ଟି ସ୍ଥାନରେ ଧାନ କିଣିବା ଲାଗି ନିଷ୍ପତ୍ତି ନିଆଯାଇଛି। ଏହାସହ ଉପଖଣ୍ଡର ସମସ୍ତ ମଣ୍ଡି ଗୁଡ଼ିକ ଅଲଗା ଦିନରେ ନ ଖୋଲି ଗୋଟିଏ ଦିନ ଅର୍ଥାତ୍ ନିର୍ଦ୍ଧାରିତ ଦିବସ ୧୬ ତାରିଖରେ ହିଁ ଖୋଲାଯିବ ବୋଲି ସୂଚନା ମିଳିଛି। ଚାଷୀ ମାନଙ୍କ ନାମ ଅନ୍‌ଲାଇନ୍‌ରେ ପଞ୍ଜୀକରଣ, ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ଧାନ ବିକ୍ରି, ମିଲରଙ୍କ ଚୁକ୍ତି ଓ ସ୍ବୟଂ ସହାୟିକା ଗୋଷ୍ଠୀ ମାନେ ଧାନ କିଣିବା ଏବଂ ଚାଷୀ ମାନେ ଯେଭଳି କୌଣସି ସମସ୍ୟାର ସମ୍ମୁଖୀନ ନହେବେ ଏଦିଗରେ ପୁଙ୍ଖାନୁଫୁଙ୍ଖ ଭାବେ ଆଲୋଚନା ହୋଇଥିଲା।

ଭଞ୍ଜନଗର ଉପଖଣ୍ଡରେ ଗତ ବର୍ଷ ୧୨ ଲକ୍ଷ ୭୮ ହଜାର କ୍ବିଣ୍ଟାଲ୍‌‌ ଧାନ କିଣା ଯାଇଥିବା ବେ‌ଳେ ଚଳିତ ବର୍ଷ ଧାନ ବିକିବା ପାଇଁ ୪୯ ହଜାର ୫୫ ଜଣ ଚାଷୀ ପଞ୍ଜୀକରଣ କରିଛନ୍ତି। ସମସ୍ତ ମଣ୍ଡିରେ କୋଭିଡ୍ ନିୟମକୁ କଡ଼ାକଡ଼ି ଭାବେ ପାଳନ କରାଯିବ। ଜଣେ ଚାଷୀ ଦିନକୁ ସର୍ବାଧିକ ୫୦ କ୍ବିଣ୍ଟାଲ୍‌‌ ଧାନ ବିକ୍ରି କରିପାରିବେ ଏବଂ ଗୋଟିଏ ମଣ୍ଡିରେ ସର୍ବାଧିକ ୧୦୦୦ କ୍ବିଣ୍ଟାଲ୍‌‌ ଧାନ ସଂଗ୍ରହ କରାଯିବ ବୋଲି ଧାର୍ଯ୍ୟ ହୋଇଛି। ଚଳିତ ବର୍ଷ ଟୋକନ୍‌ ପାଇବା ପରେ ଚାଷୀ ୩୦ ଦିନ ମଧ୍ୟରେ ଧାନ ବିକ୍ରି କରିପାରିବେ ବୋଲି ଯୋଗାଣ ଅଧିକାରୀ ଲିଙ୍ଗରାଜ ବେହେରା ସୂଚନ‌ା ଦେଇଥିଲେ। ଏଥିପାଇଁ ଚାଷୀ ମାନେ ମିଲରଙ୍କୁ ଧାନ ଦେବା ପରେ ସେମାନଙ୍କ ଠାରୁ ଭେଣ୍ଡର ରସିଦ୍ ଆଣିବା ଉପରେ ଗୁରୁତ୍ବାରୋପ କରାଯାଇଥିଲା। ଧାନ ଦେବାର ୪୮ ଘଣ୍ଟା ମଧ୍ୟରେ ଚାଷୀଙ୍କ ଆକାଉଣ୍ଟକୁ ସରକାରୀ ଧାର୍ଯ୍ୟ ଟଙ୍କା ପଠାଇଦିଆଯିବ। ଏହି ପ୍ରକ୍ରିୟାକୁ ସୁପରିଚାଳନା ନିମନ୍ତେ ରାଜସ୍ବ, କୃ‌ଷି ଏବଂ ସମବାୟ ବିଭାଗର ଅଧିକାରୀ ମାନେ ନୋଡ଼ାଲ ଅଧିକାରୀ ଭାବେ କାର୍ଯ୍ୟ କରିବେ।

ଉପଖଣ୍ଡରେ ଆସିକା ବ୍ଲକରେ ୧୯ଟି, ବେଲଗୁଣ୍ଠାରେ ୧୪ଟି, ଭଞ୍ଜନଗରରେ ୧୩ଟି, ବୁଗୁଡାରେ ୧୪ଟି, ଧରାକୋଟରେ ୧୫ଟି, ଜଗନ୍ନାଥପ୍ରସାଦରେ ୧୮ଟି, ଶେରଗଡ଼ରେ ୧୫ଟି ଓ ସୋରଡ଼ା ବ୍ଲକରେ ୧୭ଟି ସେବା ସମବାୟ ସମିତିରେ ଧାନ କିଣାଯିବ। ଏଥିସହ ଆସିକାରେ ୧୦ଟି, ବେଲଗୁଣ୍ଠାରେ ୩ଟି, ଭଞ୍ଜନଗରରେ ୨ଟି, ଧରାକୋଟରେ ଗୋଟିଏ, ଜଗନ୍ନାଥପ୍ରସାଦ ବ୍ଲକରେ ୨ଟି, ଶେରଗଡ଼ରେ ୫ଟି ଓ ସୋରଡ଼ା ବ୍ଲକରେ ୪ଟି ମହିଳା ସ୍ବଂୟ ସହାୟକ ଗୋଷ୍ଠୀ ଧାନ କିଣିବେ ବୋଲି ସୂଚନା ମିଳିଛି। ଯଦି କୌଣସି ଚାଷୀ ଦିବ୍ୟାଙ୍ଗ ହୋଇଥିବେ ସେ ନୋମିନି ସାହାଯ୍ୟରେ ମଣ୍ଡିରେ ଧାନ ବି‌କିବେ। ସହକାରୀ ଯୋଗାଣ ଅଧିକାରୀ ଲିଙ୍ଗରାଜ ବେହେରାଙ୍କ ସମେତ ଭଞ୍ଜନଗର ତହସିଲାଦାର ଆଲୋକ ପ୍ରଧାନ, ଆରଏମସି ସମ୍ପାଦକ ଦୀନବନ୍ଧୁ ଗୌଡ଼ଙ୍କ ସମେତ ବିଭିନ୍ନ ବ୍ଲକର ବିଡିଓ, ତହସିଲଦାର, ମିଲର, ଏମଆଇ, ସେବା ସମବାୟ ସମିତି, କୃଷି କର୍ମଚାରୀ, ମିସନ ଶକ୍ତିର ବିପିସି ଓ ଆରଏମସି କର୍ମଚାରୀମାନ‌େ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର