ଭୁବନେଶ୍ବର: ରାଜ୍ୟରେ କରୋନାର ଦ୍ବିତୀୟ ଲହର ସଂକ୍ରମଣ କମି କମି ଆସୁଛି। ହେଲେ କରୋନାର ତୃତୀୟ ଲହରରେ ଶିଶୁମାନେ ଅଧିକ ପ୍ରଭାବିତ ହେବା ନେଇ ବିଶେଷଜ୍ଞମାନେ ଆଶଙ୍କା ପ୍ରକାଶ କରୁଛନ୍ତି। ଯଦିଓ ସମ୍ଭାବ୍ୟ ତୃତୀୟ ଲହର କେବେ ଆସିବ ତାହା ସ୍ପଷ୍ଟ ହୋଇ ନ ଥିଲେ ହେଁ, ରାଜ୍ୟ ସରକାର ଏ ନେଇ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ରାଜ୍ୟରେ କୋଭିଡ୍‌ ବ୍ୟବସ୍ଥାରେ ଥିବା ୧୬୧୦ ସାଧାରଣ ଶଯ୍ୟା ଓ ୬୧୦ ଆଇସିୟୁକୁ ଶିଶୁମାନଙ୍କ ପାଇଁ ସଂରକ୍ଷିତ ରଖିଛନ୍ତି। ଏପରିକି ଅଧିକ ସଂକ୍ରମଣ ଆଶଙ୍କା ଥିବା ଅଞ୍ଚଳରେ ଶିଶୁମାନଙ୍କ ପାଇଁ କୋଭିଡ୍‌ କେୟାର ବ୍ୟବସ୍ଥା ନେଇ ମଧ୍ୟ ବିଚାର କରାଯାଉଛି।

Advertisment

ଅଧିକ ସଂକ୍ରମଣ ଆଶଙ୍କା ଅଞ୍ଚଳରେ ଶିଶୁଙ୍କ କୋଭିଡ୍‌ କେୟାର ବ୍ୟବସ୍ଥା

ରାଜ୍ୟ‌ରେ ଏବେ ବୟସ୍କଙ୍କ ତୁଳନାରେ କମ୍ ସଂଖ୍ୟକ ଶିଶୁ ସଂକ୍ରମିତ ହୋଇଛନ୍ତି। ମାତ୍ର ଆଗାମୀ ଦିନରେ ଅଧିକ ଶିଶୁ ଏଥିରେ ସଂକ୍ରମିତ ହୋଇପାରନ୍ତି ବୋଲି ଜନସ୍ବାସ୍ଥ୍ୟ ବିଶେଷଜ୍ଞମାନେ ଆଶଙ୍କା ପ୍ରକାଶ କରୁଛନ୍ତି। ତେଣୁ ଡିଏମ୍‌ଇଟିଙ୍କ ନେତୃତ୍ବରେ ରାଜ୍ୟ ସରକାରଙ୍କ ବୈଷୟିକ କମିଟି ଶିଶୁଙ୍କ ଚିକିତ୍ସା ନେଇ ପ୍ରସ୍ତାବ ଦେବା ପରେ ତୃତୀୟ ଲହର ପାଇଁ ପ୍ରସ୍ତୁତି ଆରମ୍ଭ କରାଯାଇଛି। କରୋନା ସଂକ୍ରମିତ ଶିଶୁଙ୍କ ଚିକିତ୍ସା ପାଇଁ ରାଜ୍ୟରେ ଥିବା କୋଭିଡ୍‌ ବ୍ୟବସ୍ଥାରେ ଚିକିତ୍ସା ସମ୍ଭବ ନୁହେଁ। ଯାହାଫଳରେ ଅନ୍ୟ ଅଣ ସଂକ୍ରମିତ ଶିଶୁ ମଧ୍ୟ ସଂକ୍ରମିତ ହେବାର ଆଶଙ୍କା ସୃଷ୍ଟି ହୋଇଛି। ତେଣୁ ସବୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ଉପଖଣ୍ଡ ଚିକିତ୍ସାଳୟରେ ସନ୍ଦିଗ୍ଧଙ୍କ ପାଇଁ ଅତିକମ୍‌ରେ ୧୦ଟି ଶଯ୍ୟା ସଂରକ୍ଷିତ ରଖିବା ଲାଗି କୁହାଯାଇଛି। ରୋଗୀଙ୍କ ସ୍ଥିତି ଅନୁସା‌ରେ ଜଣେ ଆଟେଣ୍ଡାଣ୍ଟଙ୍କୁ ପାଖରେ ରହିବା ଲାଗି ଅନୁମତି ଦିଆଯାଇଛି।

ସେହିପରି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରା (ସିଏଚ୍‌ସି) ସ୍ତରରେ ଅତିକମ୍‌ରେ ୨-୪ଟି ଶଯ୍ୟା ସନ୍ଦିଗ୍ଧଙ୍କ ପାଇଁ ସଂରକ୍ଷିତ ରହିବ। ୱାର୍ଡଗୁଡ଼ିକୁ ଆବଶ୍ୟକ ସାଇନଏଜ୍ ଜରିଆରେ ଚିହ୍ନିତ କରିବାକୁ କୁହାଯାଇଛି। ରାଜ୍ୟର ୭ଟି ମେଡିକାଲ କଲେଜରେ ୬୪ ଏନ୍‌ଆଇସିୟୁ, ପିଆଇସିୟୁ/ଏସଏନ୍‌ସିୟୁ ୯୪, ୪୪ ଏଚ୍‌ଡିୟୁ ଓ ୧୫୫ ଆଇସୋଲେସନ୍‌ ଶଯ୍ୟା ପ୍ରସ୍ତୁତ କରାଯାଇଛି। ଆଇସିୟୁ ସୁବିଧା ଥିବା କୋଭିଡ୍‌ କେୟାର ସେଣ୍ଟର ଗୁଡ଼ିକରେ ଏନ୍‌ଆଇସିୟୁ ଓ ପିଆଇସିୟୁକୁ ମିଶାଇ ୧୫ ପ୍ରତିଶତ ଶଯ୍ୟା ସଂରକ୍ଷିତ ରହିବ। ସମସ୍ତ ସିଡିଏମ୍‌ଓ ଓ ଜିଲ୍ଲାପାଳ ଏହାକୁ ସୁନିଶ୍ଚିତ କରିବା ଲାଗି କୁହାଯାଇଛି। ରାଜ୍ୟରେ ଏବେ ୧୦,୭୩୬ ସାଧାରଣ ଶଯ୍ୟା ଥିବା ବେଳେ ତାହାର ଏମ୍‌ସିଏଚ୍‌କୁ ବାଦ୍ ଦେଇ ୧୫ ପ୍ରତିଶତ ଶିଶୁମାନଙ୍କ ପାଇଁ ସଂରକ୍ଷିତ ରହିବ। ଏହାସହ ୪୦୭୨ ଆଇସିୟୁ/ଏଚ୍‌ଡିୟୁ ଶଯ୍ୟାରୁ ୪୦୮, ମେଡିକାଲ କଲେଜରେ ୧୫୫ ଶଯ୍ୟା ଓ ୨୦୨ ଆଇସିୟୁକୁ ମିଶାଇ ସମୁଦାୟ ୧୬୧୦ ଓ ୬୧୦ ଆଇସିୟୁ ସଂରକ୍ଷିତ ରଖାଯାଇଛି।

ଏହାସହ ଆଗକୁ ଦୈନିକ ୧୦ହଜାର ସଂକ୍ରମଣକୁ ନଜରରେ ରଖି ରାଜ୍ୟ ସରକାର ୨୮୫୦ ସାଧାରଣ ଶଯ୍ୟା, ୧୫୦ ଆଇସିୟୁ/ଏଚ୍‌ଡିୟୁ ଶଯ୍ୟାର ଆବଶ୍ୟକତା ରହିଥିବା ବିଭାଗ ପକ୍ଷରୁ କୁହାଯାଇଛି। ଏହାସହ ଯଥେଷ୍ଟ ପରିମାଣର ଔଷଧ, ମେଡିକାଲ ଅକ୍ସିଜେନ୍ ଓ ଅନ୍ୟାନ୍ୟ ସାମଗ୍ରୀ ମହଜୁଦ ରଖିବା ଲାଗି ମେଡିକାଲ କଲେଜ ଓ ସିଡିଏମ୍‌ଓମାନଙ୍କୁ ନିର୍ଦେଶ ଦିଆଯାଇଛି। ଶିଶୁଙ୍କ ଚିକିତ୍ସା ଲାଗି ତାଲିମପାପ୍ତ ମାନବ ସମ୍ବଳକୁ ନିଯୁକ୍ତ କରିବା, ଦକ୍ଷତା ବିକାଶପାଇଁ ଅନଲାଇନ୍‌ ଟ୍ରେନିଂ ଆରମ୍ଭ କରିବା ସହିତ ମେଡିକାଲ କଲେଜର ନିକଟରେ ନିଯୁକ୍ତ ହୋଇଥିବା ଡାକ୍ତର ଓ ପାରାମେଡିକଙ୍କୁ ତାଲିମ ଦିଆଯିବ। ସମୁଦାୟ ୧୧୧୪ ଡାକ୍ତର ଓ ୧୦୩୬ ଷ୍ଟାଫ ନର୍ସଙ୍କୁ ତାଲିମ ଦିଆଯିବାର ଯୋଜନା ରହିଛି। ଶିଶୁ ଭବନରେ ଉତ୍ସର୍ଗୀକୃତ କୋଭିଡ୍‌ ବ୍ଲକ୍ ନିର୍ମାଣ ସହିତ ସମସ୍ତ କୋଭିଡ୍‌ ଚିକିତ୍ସା ବ୍ୟବସ୍ଥାରେ ବ୍ରେଷ୍ଟ ଫିଡିଂ କର୍ଣ୍ଣର ବ୍ୟବସ୍ଥା ଓ ଲୋକମାନଙ୍କୁ ଏ ସଂପର୍କରେ ଅଧିକ ସୂଚନା ପ୍ରଦାନ କରିବା ଲାଗି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ନିର୍ଦେଶ ଦିଆଯାଇଛି।