ଘଟଗାଁ/ଯୋଡ଼ା/ ଚମ୍ପୁଆ : ୫-ଟି ସଚିବ ଭି କାର୍ତ୍ତିକେୟନ୍‌ ପାଣ୍ତିଆନ ଆସନ୍ତା ୧୦ ଓ ୧୧ ତାରିଖ ଦୁଇଦିନିଆ କେନ୍ଦୁଝର ଜିଲ୍ଲା ଗସ୍ତରେ ଆସିବାର କାର୍ଯ୍ୟକ୍ରମ ରହିଛି। ଏଥିପାଇଁ ବିଭିନ୍ନ ସ୍ଥାନରେ ବ୍ୟାପକ ପ୍ରସ୍ତୁତି ହୋଇଛି।

Advertisment

ସୂଚନା ଅନୁସାରେ, ୧୦ ତାରିଖରେ ୫-ଟି ସଚିବ ଶ୍ରୀ ପାଣ୍ଡିଆନ ଚମ୍ପୁଆ ଗସ୍ତରେ ଆସିବାର କାର୍ଯ୍ୟକ୍ରମ ରହିଛି। ଏଥିପାଇଁ କେନ୍ଦୁଝର ଏସ୍‌ପି ନିତିନ କୁଶଲକର ଡାଗଡୁ, ଉପଜିଲ୍ଲାପାଳ ସୁକାନ୍ତ ମାଝୀ, ପୂର୍ତ୍ତ ବିଭାଗର ଅଧୀକ୍ଷଣ ଯନ୍ତ୍ରୀ ସନ୍ତୋଷ କୁମାର ବେହେରା, ଏସ୍‌ଡିପିଓ ରାମରାୟ ମୁର୍ମୁ, ଚମ୍ପୁଆ ଥାନା ଅଧିକାରୀ ଗଗନ ବିହାରୀ ନାୟକ ପ୍ରମୁଖ ନେହରୁ ଷ୍ଟାଡିୟମରେ ପହଞ୍ଚି ସ୍ଥାନ ନିରୂପଣ କରିଛନ୍ତି।

୧୧ ତାରିଖରେ ଘଟଗାଁ ଗସ୍ତରେ ଆସି ୫-ଟି ସଚିବ ପ୍ରଥମେ ମା’ ତାରିଣୀଙ୍କ ଦର୍ଶନ ଓ ପୂଜାର୍ଚ୍ଚନା କରିବାର କାର୍ଯ୍ୟକ୍ରମ ରହିଛି। ସଚିବଙ୍କ ଗସ୍ତକୁ ଦୃଷ୍ଟିରେ ରଖି ଗତକାଲି ଜିଲ୍ଲାପାଳ ଆଶିଷ ଠାକ୍‌ରେ, ଏସ୍‌ପି , ଜିଲ୍ଲାପରିଷଦ ନିର୍ବାହୀ ଅଧିକାରୀ ବିଷ୍ଣୁପ୍ରସାଦ ଆଚାର୍ଯ୍ୟ, ଉପଜିଲ୍ଲାପାଳ ରାମଚନ୍ଦ୍ର କିସ୍କୁ, ବିଡିଓ ଉମାକାନ୍ତ ପରିଡ଼ା, ତହସିଲଦାର ଜନକ ନାୟକ, ହୃଷୀକେଶ ପଣ୍ତା ପ୍ରମୁଖ ଘଟଗାଁ ଷ୍ଟାଡିୟମରେ ପହଞ୍ଚି ହେଲିପ୍ୟାଡ ନିର୍ମାଣ ପାଇଁ ସ୍ଥାନ ନିରୂପଣ କରିଥିଲେ। ବିଧାୟକ ବଦ୍ରିନାରାୟଣ ପାତ୍ର ମଧ୍ୟ ଉପସ୍ଥିତ ରହି ୫-ଟି ସଚିବଙ୍କ ଗସ୍ତକୁ ସଫଳ କରିବାପାଇଁ ଲାଗିପଡ଼ିଛନ୍ତି। ଘଟଗାଁ ଡାକବଙ୍ଗଳାରେ ଜିଲ୍ଲାପାଳଙ୍କ ସମେତ ସମସ୍ତ ଅଧିକାରୀଙ୍କୁ ନେଇ ବିଧାୟକ ଆଲୋଚନା କରିଥିବା ଜଣାଯାଇଛି।

ଗସ୍ତ ବେଳେ ୫-ଟି ସଚିବ ମା’ ତାରିଣୀ ପୀଠର ଉନ୍ନତୀକରଣ ପାଇଁ ସ୍ବତନ୍ତ୍ର ପ୍ୟାକେଜ ଘୋଷଣା କରିପାରନ୍ତି ବୋଲି ଆଶା କରାଯାଉଛି। ସେହିପରି, ନୀଳକଣ୍ଠେଶ୍ବର ମନ୍ଦିର, ବାଣେଶ୍ବର ମନ୍ଦିର, ସୀତାବିଞ୍ଜି, ଗୁଣ୍ତିଚାଘାଗି ଜଳପ୍ରପାତର ଉନ୍ନତୀକରଣ ପାଇଁ ମଧ୍ୟ ସ୍ବତନ୍ତ୍ର ପାକେଜ୍‌ ଘୋଷଣା କରିବାକୁ ଅଞ୍ଚଳବାସୀ ୫-ଟି ସଚିବଙ୍କ ଦୃଷ୍ଟି ଆକର୍ଷଣ କରିବେ ବୋଲି ଜଣାପଡ଼ିଛି।