ପୁରୀ: ଚଳିତବର୍ଷ ମେ ୧୦ ତାରିଖରେ ପଡ଼ୁଛି ପବିତ୍ର ଅକ୍ଷୟ ତୃତୀୟା। ଏହିଦିନ ଶ୍ରୀମନ୍ଦିର କାର୍ଯ୍ୟାଳୟ ସମ୍ମୁଖରେ ମହାପ୍ରଭୁଙ୍କ ଆଜ୍ଞାମାଳ ବିଜେ ପୂର୍ବକ ରଥ ନିର୍ମାଣ କାର୍ଯ୍ୟ ଅନୁକୂଳ ହେବ। ଏହାସହ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ବପ୍ରସିଦ୍ଧ ଚନ୍ଦନଯାତ୍ରା ବି ଆରମ୍ଭ ହେବ। ବିଶ୍ବନିୟନ୍ତା ମହାପ୍ରଭୁ ଶ୍ରୀଜଗନ୍ନାଥ ପବିତ୍ର ଅକ୍ଷୟ ତୃତୀୟାଠାରୁ ୨୧ଦିନ ଧରି ନରେନ୍ଦ୍ର ପୁଷ୍କରିଣୀରେ ଜଳକ୍ରୀଡ଼ା କରିବେ। ନନ୍ଦା, ଭଦ୍ରା ଓ ବୈଜୟନ୍ତୀ ଡଙ୍ଗାରେ ବସି ଚାପ ଖେଳିବେ। ପ୍ରତିବର୍ଷ ଭଳି ଆଜି ଚୈତ୍ର ପୂର୍ଣ୍ଣିମା ତିଥିରେ ଏହାର ପୂର୍ବ ପ୍ରସ୍ତୁତି ଆରମ୍ଭ ହୋଇଛି। ଭୋଇସର୍ଦ୍ଦାର ରବି ଭୋଇଙ୍କ ନେତୃ୍ତ୍ବରେ ପ୍ରାୟ ୩୦ଜଣ ଭୋଇସେବକ ଗତ ଚନ୍ଦନଯାତ୍ରା ପରଠାରୁ ନରେନ୍ଦ୍ରରେ ବୁଡ଼ି ରହିଥିବା ନନ୍ଦା, ଭଦ୍ରା ଓ ବୈଜୟନ୍ତୀ ଡଙ୍ଗାଙ୍କୁ ପାଣି ଉପରକୁ ଉଠାଇଛନ୍ତି। ତିନି ଡଙ୍ଗା ସାଜସଜ୍ଜା ପରେ ଚନ୍ଦନଯାତ୍ରା ଦିନ ନରେନ୍ଦ୍ରରେ ମହାପ୍ରଭୁଙ୍କୁ ସାଙ୍ଗରେ ଧରି ଚାପ ଖେଳିବେ।
ଭୋଇସର୍ଦ୍ଦାର ଶ୍ରୀ ଭୋଇ କହିଛନ୍ତି, ଆଜିଠାରୁ ଚନ୍ଦନଯାତ୍ରାର ପ୍ରସ୍ତୁତି ସହ ଭୋଇ ସେବକଙ୍କ ସେବାକାର୍ଯ୍ୟ ଆରମ୍ଭ ହୋଇଛି। ନନ୍ଦା, ଭଦ୍ରା ଓ ବୈଜୟନ୍ତୀଙ୍କୁ ଆଜି ନରେନ୍ଦ୍ରରୁ ଉଠାଯିବା ପରେ ଡେରା ଯାଇଛି। ଶୁଖିଲା ପରେ ସଫା କରାଯାଇ ରଙ୍ଗ କାର୍ଯ୍ୟ ହେବ। ସେପଟେ ରଥଖଳା ପ୍ରସ୍ତୁତି କାମ ବି ଜୋରଦାର ହେବ। ମହାପ୍ରଭୁ ଚନ୍ଦନଯାତ୍ରା ସମୟରେ ବଡ଼ଦାଣ୍ଡରେ ବିଭିନ୍ନ ସ୍ଥାନରେ ଅଟକି ପନ୍ତି ଭୋଗ ଖାଇଥାନ୍ତି। ଏଥିପାଇଁ ବିଭିନ୍ନ ସ୍ଥାନରେ ଚାଞ୍ଚି ବନ୍ଧା ହୋଇ ଛାମୁଣ୍ଡିଆ ତିଆରି ହେବ। ଭୋଇ ସେବକମାନେ ଏହି କାର୍ଯ୍ୟ ସଂପନ୍ନ ପରେ ରଥଖଳାକୁ କାଠ ଯୋଗାଇଦେବେ। ପରେ ମହାରଣା ସେବକମାନେ ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ କରିବେ ବୋଲି ଶ୍ରୀ ଭୋଇ କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/04/dgjgjdgjdgjdjgd.jpg)