ପୁରୀ: ରଥଯାତ୍ରାକୁ ୟୁନେସ୍କୋ ବିଶ୍ବ ସାଂସ୍କୃତିକ ଐତିହ୍ୟ ମାନ୍ୟତା ଆଶା ପୁଣି ଜାଗିଛି। ମହାପ୍ରଭୁଙ୍କ ଘୋଷଯାତ୍ରାକୁ ଅମୂର୍ତ୍ତ (ଇନ୍‌ଟାଞ୍ଜିବଲ୍‌) ସାଂସ୍କୃତିକ ଐତିହ୍ୟ ମାନ୍ୟତା ନେଇ ଶ୍ରୀମନ୍ଦିର ପ୍ରଶାସନ ପ୍ରକ୍ରିୟା ଆରମ୍ଭ କରିଛି। ଏ ନେଇ ନାମାଙ୍କନପତ୍ର ପ୍ରସ୍ତୁତି ପ୍ରକ୍ରିୟା ଚାଲିଛି। ଖୁବ୍‌ଶୀଘ୍ର ଏହା ଦାଖଲ କରାଯିବ। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ ପାଢ଼ୀ ଦିଲ୍ଲୀ ଗସ୍ତ ଅବସରରେ କେନ୍ଦ୍ର ସଂସ୍କୃତି ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି। ବିଶ୍ବପ୍ରସିଦ୍ଧ ଏହି ମହାର୍ଘ ଯାତ୍ରାର ମହାନତା ଉପଲବ୍ଧି କରି କର୍ତ୍ତୃପକ୍ଷ ଶୀଘ୍ର ଏ ଦିଗରେ ପଦକ୍ଷେପ ନେବେ ବୋଲି ଆଶା ବ୍ୟକ୍ତ କରାଯାଇଛି। 
ରଥଯାତ୍ରାକୁ ୟୁନେସ୍କୋ ମୋହର ମିଳିବା ଆଶାରେ ୨୦୨୨ ନଭେମ୍ବରରେ ମଧ୍ୟ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ଅନ୍ତତଃ ୨୦୨୩ ରଥଯାତ୍ରା ପୂର୍ବରୁ ଏହି ମାନ୍ୟତା ମିଳିବା ନେଇ ଆଶା ରହିଥିଲା। ମାତ୍ର ପ୍ରକ୍ରିୟା ବିଳମ୍ବ ହେବାରୁ ଏଥିରେ ସଫଳତା ମିଳିପାରି ନଥିଲା। ଏହି ମାନ୍ୟତା ମିଳିବା ଲକ୍ଷ୍ୟ ନେଇ ଏକ କମିଟି ଗଠନ ହେବା ସହ ଏ ସମ୍ବନ୍ଧୀୟ ସମସ୍ତ ଦସ୍ତାବିଜ ପ୍ରସ୍ତୁତ କରିବାକୁ ସେତେବେଳେ ଏକ ଘରୋଇ ସଂସ୍ଥାକୁ ଦାୟିତ୍ବ ଦିଆଯାଇଥିଲା। 

Advertisment

ରଥଯାତ୍ରା ବିଶ୍ବପ୍ରସିଦ୍ଧ ହୋଇଥିଲେ ମଧ୍ୟ ୟୁନେସ୍କୋ ପକ୍ଷରୁ ମାନ୍ୟତା ଦିଆଯିବା ଫଳରେ ଅନ୍ତର୍ଜାତୀୟସ୍ତର‌ରେ ରଥଯାତ୍ରାର ଆହୁରି ପରିବ୍ୟାପ୍ତ ଓ ପ୍ରସିଦ୍ଧି ବଢ଼ିବ। ସେଇ ଦୃଷ୍ଟିରୁ ୨୦୨୨ ଅକ୍ଟୋବର ମାସରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ଉକ୍ତ ବର୍ଷ ନଭେମ୍ବର ୪ ତାରିଖରେ ଶ୍ରୀମନ୍ଦିର ପ୍ରଶାସନକୁ ସଂସ୍କୃତି ବିଭାଗର ଅତିରିକ୍ତ ସଚିବ ଚିଠି ଦେଇଥିଲେ। ଚିଠି ମୁତାବକ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏକ କମିଟି ଗଠନ କରାଯାଇଥିଲା। ସେଥିରେ ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟଙ୍କ ସମେତ ୨ ଜଣ ମଠାଧୀଶ ରହିଥିଲେ। ଏକ ଘରୋଇ ଏଜେନ୍ସି ଏ କ୍ଷେତ୍ରରେ ସେତୁ ଭଳି କାମ କରିଥିଲା। କିନ୍ତୁ ଏହା ପରେ ପ୍ରକ୍ରିୟା ଧିମା ପଡ଼ିଗଲା।

ରିପୋର୍ଟ ୨୦୨୩ ମସିହାରୁ ପ୍ରସ୍ତୁତ ସରିଥିଲା। ଉକ୍ତ ବର୍ଷ ଫେବ୍ରୁଆରି ମାସରେ ମ୍ୟାନେଜିଂ କମିଟି ସଦସ୍ୟଙ୍କୁ ପ୍ରସ୍ତୁତ ହୋଇଥିବା ରିପୋର୍ଟ ତର୍ଜମା କରିବାକୁ ଦିଆଯାଇଥିଲା। ତତ୍କାଳୀନ ଶ୍ରୀମନ୍ଦିର ପରିଚାଳନା କମିଟିର ୫ ଜଣ ସେବାୟତ ସଦସ୍ୟ ଉକ୍ତ ରିପୋର୍ଟକୁ ଅନୁଧ୍ୟାନ କରି ସଂଶୋଧନ କରିଥିଲେ। ଗଜପତି ମହାରାଜ ଦିବ୍ୟସିଂହ ଦେବଙ୍କୁ ମଧ୍ୟ ଏହି ରିପୋର୍ଟ ପଠାଯାଇଥିଲା। ମାର୍ଚ୍ଚ ମାସ ଶେଷ ସୁଦ୍ଧା ରିପୋର୍ଟ ଦିଆଯାଇଥିଲା। ତେବେ ବିଳମ୍ବ ଯୋଗୁ ଉକ୍ତ ବର୍ଷ ଏହି ମାନ୍ୟତା ପାଇବା ନେଇ ଯେଉଁ ଲକ୍ଷ୍ୟ ରଖାଯାଇଥିଲା ତାହା ହୋଇପାରିନଥିଲା। ୨୦୨୪ରେ ମଧ୍ୟ ଏହି ଲକ୍ଷ୍ୟ ସାଧନ ହୋଇପାରିଲା ନାହିଁ। ତେବେ ଚଳିତ ବର୍ଷ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ.ପାଢ଼ୀଙ୍କ ଉଦ୍ୟମ କ୍ରମେ ଅନ୍ତତଃ ଚଳିତବର୍ଷ ରଥଯାତ୍ରା ପୂର୍ବରୁ ଏହି ମାନ୍ୟତା ମିଳିଯିବା ନେଇ ଆଶା ଜାଗ୍ରତ ହୋଇଛି।