ଢେଙ୍କାନାଳ : ବିଶ୍ବପ୍ରସିଦ୍ଧ ଯୋରନ୍ଦା ମାଘମେଳା ଫେବ୍ରୁଆରି ମାସ ୪ ତାରିଖ ଦିନ ଅନୁଷ୍ଠିତ ହେବ। ଏଥିପାଇଁ ଆଜି ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ବୈଠକ ଡକାଯାଇଥିଲା। ତେବେ, କୌପୀନଧାରୀ ମହିମା ସମାଜର ବାବାମାନେ ଏହାକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ସେମାନଙ୍କର ବତି ମନ୍ଦିର, ଧୁନି ମନ୍ଦିରକୁ ଭାଙ୍ଗି ଦିଆଯାଇଛି। ଏହାକୁ ନେଇ ଅସନ୍ତୋଷ ପ୍ରକାଶ କରିବା ସହିତ ଥଇଥାନ ଓ ପୁନଃମନ୍ଦିର ନିର୍ମାଣ ପାଇଁ ସେମାନେ ଦାବି କରିଛନ୍ତି।

Advertisment

କୌପୀନଧାରୀ ବାବା ଅଭୟ ଦାସ ଅଭିଯୋଗପତ୍ରରେ ଦର୍ଶାଇଛନ୍ତି, ଗତ ନଭେମ୍ବର ୨୨ ତାରିଖରେ କୌପୀନଧାରୀ ମହିମା ସମାଜର ୧୦୦ ବର୍ଷର କୀର୍ତ୍ତି ଭାବେ ଦଣ୍ତାୟମାନ ଭେକ ମନ୍ଦିର, ଧୁନି ମନ୍ଦିର ଓ ବତି ମନ୍ଦିରକୁ ଭାଙ୍ଗି ଦିଆଯାଇଥିଲା। ଏହାପରେ କୌପୀନଧାରୀ ମହିମା ସମାଜ ପକ୍ଷରୁ ଜିଲ୍ଲାପାଳ, ଉପଜିଲ୍ଲାପାଳଙ୍କଠାରେ ଅନେକଥର ନିବେଦନ କରିବା ପରେ ମଧ୍ୟ ନ୍ୟାୟ ମିଳିପାରି ନାହିଁ। ମାଘମେଳା ପୂର୍ବରୁ କୌପୀନଧାରୀମାନଙ୍କୁ ଥଇଥାନ କରିବା ପାଇଁ ଜିଲ୍ଲାପାଳ ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ ଅଦ୍ୟାବଧି ସେ ଦିଗରେ କୌଣସି ବ୍ୟବସ୍ଥା କରାଯାଇ ନାହିଁ। ଫଳରେ, କୌପୀନଧାରୀ ମହିମା ସମାଜ ମଧ୍ୟରେ ବ୍ୟାପକ ଅସନ୍ତୋଷ ପ୍ରକାଶ ପାଇଛି। ଜିଲ୍ଲା ପ୍ରଶାସନ ପକ୍ଷରୁ ଆଜି ଆୟୋଜିତ ଯୋରନ୍ଦା ମାଘମେଳା ପ୍ରସ୍ତୁତି ବୈଠକରେ ଯୋଗ ଦେବାପାଇଁ ଗତକାଲି କୌପୀନଧାରୀ ମହିମା ସମାଜର କର୍ମକର୍ତ୍ତାମାନେ ଚିଠି ପାଇଥିଲେ। ଆଜି ସେମାନେ ଜିଲ୍ଲା କାର୍ଯ୍ୟାଳୟକୁ ଆସିଥିଲେ। ଜିଲ୍ଲାପାଳ ନଥିବାରୁ ତାଙ୍କ ପିଏ ଏବଂ ଉପଜିଲ୍ଲାପାଳଙ୍କୁ ଚିଠି ପ୍ରଦାନ କରିଛନ୍ତି।