ବଢ଼ିବ ଯୁକ୍ତ ୨ ପରୀକ୍ଷା କେନ୍ଦ୍ର

ଯୁକ୍ତ୨ ଥିଓରି ପରୀକ୍ଷା ପ୍ରସ୍ତୁତି

ଭୁବନେଶ୍ୱର : ମାର୍ଚ୍ଚ ୬ରୁ ଯୁକ୍ତ୨ ଥିଓରି ପରୀକ୍ଷା। ତାହାକୁ ଦୃଷ୍ଟିରେ ରଖି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ପରୀକ୍ଷା କେନ୍ଦ୍ର, ହବ୍‌ ପ୍ର୍ରତିଷ୍ଠା ନେଇ ଆଜି ବସିଥିବା ପରୀକ୍ଷା କମିଟି ବୈଠକରେ ନିଷ୍ପତ୍ତି ହୋଇଛି। ଗତବର୍ଷ ତୁଳନାରେ ଏଥର ପରୀକ୍ଷା କେନ୍ଦ୍ର ବଢ଼ାଇବାକୁ ସ୍ଥିର କରାଯାଇଥିବା ବେଳେ ହବ୍‌ରେ କୌଣସି ପରିବର୍ତନ କରାଯାଇ ନାହିଁ। ପୂର୍ବବର୍ଷ ଭଳି ଏଥର ମଧ୍ୟ ୨୦୨ଟି ହବ୍‌ ହେବ। ପରୀକ୍ଷା ଲାଗି ଏଥର ୫ଟି କେନ୍ଦ୍ର ବଢ଼ାଇବାକୁ ଏକପ୍ରକାର ସ୍ଥିର ହୋଇଛି। ଭୁବନେଶ୍ୱରସ୍ଥିତ ଆଇଟିଇଆର୍‌ରେ ଅଧିକ ଗୋଟିଏ ପରୀକ୍ଷା ଉପକେନ୍ଦ୍ର କରିବା ଲାଗି ନିଷ୍ପତ୍ତି ନିଆଯାଇଛି।

୨୦୧୬ରେ ଥିଓରି ପରୀକ୍ଷା ଲାଗି ୧୧୦୭ଟି ପରୀକ୍ଷା କେନ୍ଦ୍ର ହୋଇଥିଲା। କାଁ ଭାଁ ଅଭିଯୋଗକୁ ଛାଡ଼ି ସୁରୁଖୁରରେ ପରୀକ୍ଷା ଶେଷ ହୋଇଥିବାରୁ ଏଥର ମଧ୍ୟ ସମାନ ସଂଖ୍ୟକ କେନ୍ଦ୍ରରେ ପରୀକ୍ଷା କରିବାକୁ ପରିଷଦ କର୍ତୃପକ୍ଷ ଯୋଜନା କରିଥିଲେ। କିନ୍ତୁ ଗତବର୍ଷ ତୁଳନାରେ କଲେଜ ସଂଖ୍ୟା ବୃଦ୍ଧି ପାଇଥିବାରୁ ଆଉ ୫ଟି କେନ୍ଦ୍ର ବଢ଼ାଇବାକୁ ସ୍ଥିର ହୋଇଛି। ଛାତ୍ରଛାତ୍ରୀଙ୍କ ସୁବିଧାକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନିଆଯାଇଛି। ପର୍ଯ୍ୟାପ୍ତ ଭିତ୍ତିଭୂମି ରହିଥିବା, ୫୦ରୁ ଅଧିକ ଛାତ୍ରଛାତ୍ରୀ ପଢ଼ୁଥିବା କଲେଜରେ ପରୀକ୍ଷା କେନ୍ଦ୍ର ହୋଇଛି।

ରାଜ୍ୟରେ ୩୫୦ରୁ ଅଧିକ ସେଲ୍ଫ ଫାଇନାନ୍ସିଂ କଲେଜ ଥିବାରୁ କେନ୍ଦ୍ର ଚୟନକୁ ନେଇ ଦ୍ୱନ୍ଦ୍ୱରେ ପଡ଼ିଥିଲେ ପରିଷଦର ଅଧିକାରୀ। ଖୋର୍ଧା ଜିଲ୍ଲାରେ ଅଧିକ ସଂଖ୍ୟକ ସେଲ୍ଫ ଫାଇନାନ୍ସିଂ ଯୁକ୍ତ୨ କଲେଜ ରହିଥିବାରୁ ତାହାକୁ ଦୃଷ୍ଟିରେ ରଖି କେନ୍ଦ୍ରରେ କିଛିଟା ପରିବର୍ତନ କରାଯାଇଛି। ପୂର୍ବରୁ ଭୁବନେଶ୍ୱରର କିଟ୍‌, କିସ୍‌ରେ ଦୁଇଟି ଉପକେନ୍ଦ୍ର ହେଉଥିବା ବେଳେ ଏଥର ଆଇଟିଇଆର କ୍ୟାମ୍ପସରେ ଅଧିକ ଗୋଟିଏ ଉପକେନ୍ଦ୍ର କରିବାକୁ ସ୍ଥିର ହୋଇଛି। ଗଞ୍ଜାମ ଜିଲ୍ଲା ବ୍ରହ୍ମପୁରସ୍ଥିତ ନୀଳକଣ୍ଠନଗର ସରସ୍ୱତୀ ବିଦ୍ୟାମନ୍ଦିରରେ ଏଥର ବି ଉପକେନ୍ଦ୍ର କରାଯିବ। ଆଉ କୌଣସି ସହରରେ ଉପକେନ୍ଦ୍ର ହେବ ନାହିଁ।

ଏଥର ମଧ୍ୟ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ କ୍ୟାମ୍ପସରେ ବାହାର କୌଣସି ବି କଲେଜକୁ ଟ୍ୟାଗ୍‌ କରାଯାଇ ନାହିଁ। ଭିତ୍ତିଭୂମି ଅଭାବ ଥିବାରୁ ଏହି କ୍ୟାମ୍ପସରେ କେବଳ ରମାଦେବୀ ଜୁନିଅର କଲେଜ ଛାତ୍ରୀ ହିଁ ପରୀକ୍ଷା ଦେବେ। ଯେଉଁ କଲେଜରେ ପର୍ଯ୍ୟାପ୍ତ ଭିତ୍ତିଭୂମି ରହିଛି ସେଠାରେ ଅଧିକ ସେଲ୍ଫ ଫାଇନାନ୍ସ କଲେଜକୁ ଟ୍ୟାଗ୍‌ କରାଯିବାକୁ ସ୍ଥିର ହୋଇଛି। ପରୀକ୍ଷାର ସୁପରିଚାଳନା ଲାଗି ଏଥର ମଧ୍ୟ ୨୦୨ଟି ହବ୍‌ ହେବ। କୌଣସି ପରିବର୍ତନ କରାଯାଇନି। ପୂର୍ବଭଳି ହବ୍‌ଗୁଡ଼ିକରେ ଲକର ସିଷ୍ଟମ, ସିସିଟିଭି କ୍ୟାମେରା, ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରିବାକୁ ବି କୁହାଯାଇଛି। କେତେକ ହବ୍‌ରେ ଭିତ୍ତିଭୂମି ଅଭାବ ରହିଥିବାରୁ ସେଥିରେ ସୁଧାର ଆଣିବାକୁ ପରାମର୍ଶ ଦିଆଯିବ ବୋଲି ବୈଠକରେ ନିଷ୍ପତ୍ତି ନିଆଯାଇଛି। ଏନେଇ ଖୁବ୍‌ଶୀଘ୍ର ବିଜ୍ଞପ୍ତି ପ୍ରକାଶ ପାଇବ ବୋଲି ଜଣାପଡ଼ିଛି।

ସମ୍ବନ୍ଧିତ ଖବର