ବିଧାନସଭା ପାଇଁ ସଜବାଜ : ଚାଷୀ, ଚାଷ ମୁଖ୍ୟ ପ୍ରସଙ୍ଗ

ଭୁବନେଶ୍ୱର : ଚାଷୀ ଓ ଚାଷ ପ୍ରସଙ୍ଗକୁ ନେଇ ବିଧାନସଭା ଶୀତ ଅଧିବେଶନରେ ପରସ୍ପରକୁ ପ୍ରଚଣ୍ଡ ଆକ୍ରମଣ କରିବା ଲାଗି ରାଜ୍ୟର ତିନି ପ୍ରମୁଖ ରାଜନୈତିକ ଦଳ ବିଜେଡି, କଂଗ୍ରେସ ଓ ବିଜେପି ସଜବାଜ ଚଳାଇଛନ୍ତି। ମହାନଦୀ, ପୋଲାଭରମ୍‌ ଜଳ ବିବାଦ ଭଳି ପ୍ରସଙ୍ଗକୁ ନେଇ ବି ଗୃହରେ କମ୍ପନ ସୃଷ୍ଟି ହେବ।

ବିଜେଡି ଯୋଜନା କରିଛି କେନ୍ଦ୍ର ଅବହେଳାର ଦୀପକୁ ତେଜିବ। ସେପଟେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିରୋଧରେ ବର୍ଷିବ କଂଗ୍ରେସ। ରାଜ୍ୟ ସରକାରଙ୍କ ଅପାରଗତାର ଲମ୍ବା ତାଲିକାକୁ ନିଜ ଢଙ୍ଗରେ ଉପସ୍ଥାପନ କରିବାକୁ ବିଜେପିର ଶୀର୍ଷସ୍ତରରେ ପ୍ରସ୍ତୁତି ଆରମ୍ଭ ହୋଇଛି। ଏସବୁ ଆଲୋଚନା ହେବା ଭିତରେ ମଝିରେ ମଝିରେ ସମୟ ସୁବିଧା ଦେଖି ରାଜ୍ୟରେ ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା, ରାଜନୀତିରେ ଅପରାଧୀକରଣ ଠାରୁ ଆରମ୍ଭ କରି ବେକାରି ପ୍ରସଙ୍ଗ ଆଦିକୁ ଗୃହ ସାମ୍ନାକୁ ଆଣିବାକୁ ଯୋଜନା ଚଳାଇଛନ୍ତି ବିରୋଧୀ।

ଏଥିସହିତ ୨୬ ଦିନିଆ ଶୀତ ଅଧିବେଶନରେ ଚଳିତ ବର୍ଷର ପ୍ରଥମ ଅତିରିକ୍ତ ବଜେଟ୍‌ ଓ ଏକାଧିକ ବିଲ୍‌କୁ ପାରିତ କରିବା ହେଉଛି ସରକାରଙ୍କ ଲକ୍ଷ୍ୟ।

ଉଲ୍ଲେଖଯୋଗ୍ୟ, କେଉଁ ପ୍ରସଙ୍ଗକୁ କିଏ କିଭଳି ଢଙ୍ଗରେ ଗୃହରେ ଉପସ୍ଥାପନ କରିବେ, କାହା ପରେ କେଉଁ ବିଷୟକୁ ଗୁରୁତ୍ଵ ଦିଆଯିବ, ପରସ୍ପରକୁ ମାତ୍‌ ଦେବା ଲାଗି ନିର୍ଦିଷ୍ଟ କି କୌଶଳ ଅବଲମ୍ବନ ହେବ, ସେ ନେଇ ଆସନ୍ତାକାଲି ତିନି ପ୍ରମୁଖ ଦଳ ରଣନୀତି ପ୍ରସ୍ତୁତ କରିବେ। ଏଥିପାଇଁ ବିଜେଡି, କଂଗ୍ରେସ ଓ ବିଜେପି ବିଧାୟକ ଦଳ ବୈଠକ ଡକାଯାଇଛି। ସବୁଠାରୁ ବଡ଼ କଥା ହେଉଛି, ବିଜେପୁର ଉପନିର୍ବାଚନ ପୂର୍ବରୁ ଏହି ଅଧିବେଶନ ବସୁଥିବା ପରିପ୍ରେକ୍ଷୀରେ ସମସ୍ତେ ଏହାକୁ ଆୟୁଧ କରି ନିଜ ନିଜର ପତିଆରା ସୃଷ୍ଟି ପାଇଁ ଉଦ୍ୟମ କରିବାକୁ ପ୍ରସ୍ତୁତି ଚଳାଇଛନ୍ତି। ଫୋକସ୍‌ ରହିବ ପଶ୍ଚିମ ଓଡ଼ିଶା ଓ ସେଠାକାର ସମସ୍ୟା।

ଆସନ୍ତା ୨୮ ତାରିଖରେ ବିଧାନସଭାର ଶୀତ ଅଧିବେଶନ ଆରମ୍ଭ ହେବ। ବାହାରେ ଲୋୟର ପିଏମ୍‌ଜିରେ ଶିକ୍ଷକଙ୍କ ଠାରୁ ଆରମ୍ଭ କରି ଆଶାକର୍ମୀଙ୍କ ଯାଏ ସମସ୍ତେ ଆନ୍ଦୋଳନକୁ ଜୋରଦାର କରିବେ। ଏପଟେ ଚାଷୀ ପ୍ରସଙ୍ଗକୁ ନେଇ ଗୃହକୁ ଓହ୍ଲାଇପାରନ୍ତି ବିରୋଧୀ। ଏମ୍‌ଏସ୍‌ପି କିମ୍ବା ମହାନଦୀ ପ୍ରସଙ୍ଗରେ କେନ୍ଦ୍ରକୁ ଟାର୍ଗେଟ କରି ସରକାରୀ ଦଳ ବିଧାନସଭାର ପ୍ରଥମ ଦିନରୁ ହଙ୍ଗାମା କରିବା ସମ୍ଭାବନା ବି ଅଧିକ ରହିଛି।

କାରଣ, ଗୋଟିଏ ପଟେ ରାଜ୍ୟରେ ଧାନ କିଣା ପ୍ରକ୍ରିୟା ଚାଲୁ ରହିଛି। ଉତ୍ପାଦନ ଖର୍ଚ୍ଚ (କ୍ୱିଣ୍ଟାଲ ପ୍ରତି ୨୩୪୪ ଟଙ୍କା)କୁ ବିଚାରକୁ ନେଲେ କ୍ୱିଣ୍ଟାଲ ପିଛା ଚାଷୀକୁ ୭୯୪ ଟଙ୍କା କ୍ଷତି ସହିବାକୁ ପଡୁଛି। ସେପଟେ ମରୁଡି, ଚକଡ଼ା ପୋକ ଓ ଅଦିନିଆ ବର୍ଷା ଜନିତ କ୍ଷତି ଚାଷୀର ମେରୁଦଣ୍ଡକୁ ଦୋହଲାଇ ଦେଲାଣି। କ୍ଷତି ସହିନପାରି ଚାଷୀ ଆତ୍ମହତ୍ୟା କରୁଥିବା ଅଭିଯୋଗ ସଂଖ୍ୟା ମଧ୍ୟ ବଢିବାରେ ଲାଗିଛି।

ଏମିତି ସମୟରେ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି ପ୍ରସଙ୍ଗକୁ କେନ୍ଦ୍ର ସରକାର ରୋକ୍‌ଠୋକ୍‌ ଅଗ୍ରାହ୍ୟ କରିବା ଘଟଣାର ଗମ୍ଭୀରତାକୁ ବଢାଇ ଦେଇଛି। ଉଲ୍ଲେଖନୀୟ କଥା ହେଲା, ମୂଲ୍ୟ ବୃଦ୍ଧି ପ୍ରସ୍ତାବକୁ କେନ୍ଦ୍ର ବିଚାର କରିବା ତ ଦୂରର କଥା, ଏ ସଂକ୍ରାନ୍ତରେ ଆଲୋଚନା ଲାଗି ମଧ୍ୟ ପ୍ରସ୍ତୁତ ନୁହେଁ। ଧାନର ସର୍ବନିମ୍ନ ସହାୟକ ମୂଲ୍ୟ କ୍ୱିଣ୍ଟାଲ ପ୍ରତି ୨୯୩୦ ଟଙ୍କାକୁ ବୃଦ୍ଧି ପ୍ରସଙ୍ଗରେ ବିଧାନସଭା ଗୃହ କମିଟିକୁ ଆଲୋଚନା ପାଇଁ ସମୟ ଦେବାକୁ ବାଚସ୍ପତି ପ୍ରଦୀପ ଅମାତ ଏ ମଧ୍ୟରେ ପୁଣି ଥରେ ଚିଠି ଲେଖିଛନ୍ତି ପ୍ରଧାନମନ୍ତ୍ରୀଙ୍କୁ। ଗତ ୧୮ ତାରିଖରେ ଲେଖାଯାଇଥିବା ଏହି ଚିଠିର ଉତ୍ତର କିନ୍ତୁ ଏଯାଏ ମିଳିନାହିଁ। ଫଳରେ ଏହି ପ୍ରସଙ୍ଗ ଗୃହରେ ଜୋରଦାର ଆଲୋଚନା ପାଇଁ ସୁଯୋଗ ରଖୁଛି, ଯାହାର ପ୍ରଭାବ ପଶ୍ଚିମ ଓଡ଼ିଶାରେ ପଡିବ ଓ ଉଭୟ ବିଜେଡି ଓ କଂଗ୍ରେସ ରାଜନୈତିକ ଫାଇଦା ମଧ୍ୟ ହାସଲ କରିପାରିବେ। ଏହି ପ୍ରସଙ୍ଗରେ ସରକାରଙ୍କୁ ମୁକାବିଲା କରିବା ଲାଗି ବିଜେପି ରାଜ୍ୟ କୃଷି ନୀତିର ବିଫଳତା, କୃଷି ଋଣ ଛାଡ଼ ଓ ଛତିଶଗଡ ଭଳି ଓ଼଼ଡ଼ିଶାରେ ବୋନସ ଦିଆଯିବା ପ୍ରସଙ୍ଗ ଉଠାଇବାକୁ ମନସ୍ଥ କରିଛି।

ଇନ୍‌ପୁଟ୍‌ ସବ୍‌ସିଡି ହିତାଧିକାରୀ ଚିହ୍ନଟ ପଛର କେଳେଙ୍କାରୀ, ଚକଡା଼ ପୋକ ମୁକାବିଲାରେ ବିଫଳତା, ସାର ଓ କୀଟନାଶକ ଯୋଗାଣ ପଛର ହେରାଫେରି, କୃଷି ବିଭାଗର ବେପରୁଆ ମନୋଭାବ ଆଦି ପ୍ରସଙ୍ଗରେ ବିରୋଧୀ ଦଳ ସରକାରଙ୍କୁ ହଲାପଟା କରିବେ। ଭୂସଂସ୍କାର ନିୟମକୁ ଏଡ଼ାଇ ଯାଇ ଯେଭଳି ଢଙ୍ଗରେ ହିତାଧିକାରୀ ଚିହ୍ନଟ ଲାଗି ସରକାର ଘୋଷଣା କରିଛନ୍ତି, ସେ ପ୍ରସଙ୍ଗ ବି ବିରୋଧୀ ଗୃହ ସାମ୍ନାକୁ ଆଣିବା ଲାଗି ପଛଘୁଞ୍ଚା ଦେବେ ନାହିଁ।

ଏହାବ୍ୟତୀତ ବ୍ରହ୍ମପୁର ଅପରାଧ ମାମଲାରେ ବିଜେପି ନେତାଙ୍କ ସଂପୃକ୍ତି, ହାଇକୋର୍ଟ ବିଚାରପତିଙ୍କ ଟିପ୍‌ପଣୀ, ରାଜ୍ୟରେ ମହିଳା, ଯୁବତୀ ଓ ଛାତ୍ରୀଙ୍କ ଅଶ୍ଳୀଳ ଫଟୋ ଭାଇରାଲ୍‌ ହେବା, ମଦ ବିରୋଧୀ ଅଭିଯାନ, ଅଣ୍ଡା ଦର ବୃଦ୍ଧି ଯୋଗୁଁ ମଧ୍ୟାହ୍ନ ଭୋଜନରେ ଅଚଳାବସ୍ଥା, ମନରେଗା ଯୋଜନା ଠପ୍‌ ଆଦି ପ୍ରସଙ୍ଗ ମଧ୍ୟ ଗୃହରେ ଉଠାଇବା ଲାଗି ବିଧାୟକମାନେ ତାଲିକା କରିଛନ୍ତି। ରାଜ୍ୟର ପଶ୍ଚିମ ଓ ଦକ୍ଷିଣରେ ପୁଣି ଥରେ ମାଓ କାର୍ଯ୍ୟକଳାପ ବୃଦ୍ଧି ଘଟିବା, ବିଭିନ୍ନ ଯୋଜନାରେ କେନ୍ଦ୍ରୀୟ ଅନୁଦାନ କମିବା ଆଦି ପ୍ରସଙ୍ଗ ମଧ୍ୟ ଏଥର ଅଧିବେଶନରେ ଉଠିବା ସମ୍ଭାବନା ରହିଛି।

ସମ୍ବନ୍ଧିତ ଖବର