କସରତ ଆରମ୍ଭ ହୋଇନି, ଲବି କିନ୍ତୁ ଜୋରଦାର
ଆଶାୟୀଙ୍କ ସଂଖ୍ୟା ବଢୁଛି, ମୁଖିଆ, କ୍ଷମତାକେନ୍ଦ୍ର ସମସ୍ତେ ଚୁପ୍‌

Advertisment

ଭୁବନେଶ୍ୱର : ସାର୍‌, ‘ହାପି ନିୟୁ ଇୟର୍‌’ ଗଦ୍‌ ଗଦ୍‌ ହୋଇ ପ୍ରଥମେ ଜୁହାର ଏବଂ ପରେ ଫୁଲତୋଡା ବଢାଇ ଦେଉଥିଲେ। ଅଣ୍ଟାଯାଏଁ ମୁଣ୍ଡ ନଇଁ ଯାଉଥିଲା। ସେପଟୁ ଜବାବ ମିଳୁଥିଲା--ଥ୍ୟାଙ୍କ୍‌ ୟୁ, ‘ହାପି ନିୟୁ ଇୟର୍‌’।

ଆଜି ନବୀନ ନିବାସ, ସଚିବାଳୟରେ ନୂଆ ବର୍ଷର ଶୁଭେଚ୍ଛା ଦିଆନିଆ ଭିତରେ ଏମିତି କିଛି ଚେହେରା ସାମ୍ନାକୁ ଆସିଛି, ଯାହାକୁ ନେଇ ବିଜେଡି ଆଭ୍ୟନ୍ତରୀଣ ରାଜନୀତି ଗରମ ଧରିଲାଣି। ଶୁଭେଚ୍ଛା ଜଣାଇବା ଆଳରେ ଆଜି ମୁଖ୍ୟମନ୍ତ୍ରୀଙ୍କ ସମେତ ରାଜ୍ୟ ଶାସନର କ୍ଷମତା କେନ୍ଦ୍ରର ଦୃଷ୍ଟି ଆକର୍ଷଣ କରିଛନ୍ତି ଅନେକ ଟାଣୁଆ ଓ ବରିଷ୍ଠ ନେତା। ଆସନ୍ତା ଏପ୍ରିଲ ମାସରେ ଖାଲି ପଡ଼ୁଥିବା ତିନିଟି ରାଜ୍ୟସଭା ଆସନ ଉପରେ ଆଖି ପକାଇଛନ୍ତି। ଏହାକୁ ହାତେଇ ନେବା ଲାଗି ଗତ କିଛି ଦିନ ଧରି ନେତାମାନେ ଯେଉଁ ଲବି ଚଳାଇଛନ୍ତି, ଇଏ ତାର ଆଉ ଏକ ପର୍ଯ୍ୟାୟ ବୋଲି କୁହାଯାଉଛି।

publive-image

ବିଜେଡିର ପାଖାପାଖି ଦୁଇ ଡଜନରୁ ଅଧିକ ବରିଷ୍ଠ ନେତାଙ୍କର ଏ କୌଶଳ ସୁପ୍ରିମୋଙ୍କୁ ଛୁଇଁଛି କି ନାହିଁ, ତାହା ଜଣାପଡିନାହିଁ। ତେବେ ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ମୁତାବକ, ଆଗକୁ ଥିବା ରାଜ୍ୟସଭା ନିର୍ବାଚନ ନେଇ କସରତ ବି ଆରମ୍ଭ ହୋଇନାହିଁ। କିନ୍ତୁ ସଚିବାଳୟର ତୃତୀୟ ମହଲା, ନବୀନ ନିବାସକୁ ଭିଡ଼ ବଢିଛି। କିଏ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ମୁକାବିଲା କରିବେ ବୋଲି ଠାରରେ ଠାରରେ ସୂଚାଇଛନ୍ତି, ଆଉ କିଏ ପଶ୍ଚିମଓଡ଼ିଶା ଗଡ଼ ସମ୍ଭାଳିବାର ପ୍ରତିଶ୍ରୁତି ରଖୁଛନ୍ତି। କିଛି ନେତା ବିଜୁଙ୍କ ସହଯୋଗୀ, ନବୀନଙ୍କ ଶୃଙ୍ଖଳିତ କର୍ମୀ କଥା କହି ନିଜ ସଂପର୍କରେ ନିଜେ ପ୍ରସ୍ତାବ ରଖିବା ଆରମ୍ଭ କଲେଣି।

ଖାଲିପଡ଼ିଥିବା ତିନିଟି ଆସନ ପାଇଁ ରାଜନୈତିକ ପର୍ଯ୍ୟବେକ୍ଷକ ମହଲର ଅଙ୍କ କିଛି ଅଲଗା କହୁଛି। ବିଜେଡି ଶୀର୍ଷ ନେତୃତ୍ୱର ଗଣିତ ବି ଭିନ୍ନ ସଙ୍କେତ ଦେଉଛି। ଯେକୌଣସି ମୁହୂର୍ତରେ ସାଧାରଣ ନିର୍ବାଚନ ଆଶଙ୍କା ଥିବାରୁ ଏହି ତିନିଟି ଆସନକୁ ନେଇ ମୁଖିଆ ଏକ ବଡ଼ ଖେଳ ଖେଳିବେ ବୋଲି ବିଶ୍ୱାସ କରାଯାଉଛି। ଏଥର ରାଜ୍ୟସଭା ନିର୍ବାଚନ ସହଜ ହେବ ନାହିଁ ବରଂ ଅଙ୍କ ଜଟିଳ ବୋଲି ପୂର୍ବାନୁମାନ କରୁଛନ୍ତି ଏହି ମହଲ।

ଉଲ୍ଲେଖଯୋଗ୍ୟ, ଆସନ୍ତା ଏପ୍ରିଲ ୩ ତାରିଖରେ ସାଂସଦ ଅନଙ୍ଗ ଉଦୟ ସିଂହଦେଓ, ଦିଲ୍ଲିପ ତିର୍କୀ, ଏ.ଭି ସ୍ୱାମୀ (ସ୍ୱାଧୀନ)ଙ୍କ କାର୍ଯ୍ୟକାଳ ଶେଷ ହେଉଥିବା ପରିପ୍ରେକ୍ଷୀରେ ଏସବୁ ଆସନ ଲାଗି ଆସନ୍ତା ମାର୍ଚ୍ଚ ଦ୍ୱିତୀୟ କିମ୍ବା ତୃତୀୟ ସପ୍ତାହ ବେଳକୁ ନିର୍ବାଚନ ହେବ। ଏହି ତିନିଟି ଆସନ ପାଇଁ ଆଶାୟୀଙ୍କ ସଂଖ୍ୟା ଯଥେଷ୍ଟ ଅଧିକ ବଢିଗଲାଣି। ଆଗକୁ ବିଜେପୁର ଉପ ନିର୍ବାଚନ ଥିବାରୁ କିଛି ନେତା ଏହି ଆସନକୁ ନଜରରେ ରଖି ପରୋକ୍ଷରେ ମୂଲଚାଲ ଲାଗି ବାଟ ଖୋଲୁଛନ୍ତି। ଯୁକ୍ତି ବି ଅପ୍ରାସଙ୍ଗିକ ନୁହେଁ, କାରଣ ତିନି ଜଣ ଯାକ ନେତା ପଶ୍ଚିମ ଓଡ଼ିଶାକୁ ପ୍ରତିନିଧିତ୍ୱ କରୁଛନ୍ତି। ଶ୍ରୀ ସ୍ୱାମୀ ନୂଆପଡ଼ା ଜିଲ୍ଲାର। ବିଜେଡି ସଙ୍କଟରେ ଥିବା ସୁନ୍ଦରଗଡ଼କୁ ପ୍ରତିନିଧିତ୍ୱ କରୁଛନ୍ତି ହକି ତାରକା ଦିଲ୍ଲୀପ ତିର୍କୀ। ଆଉ ନବୀନଙ୍କ ଡୁନ୍‌ ସ୍କୁଲ ବନ୍ଧୁ ଅନଙ୍ଗ ଉଦୟ ସିଂହଦେଓ ହେଉଛନ୍ତି ବଲାଙ୍ଗୀରର।

ପଶ୍ଚିମ ଓଡ଼ିଶାର ମାନଚିତ୍ର ଗେରୁଆ ଦିଶୁଥିବା ପରିପ୍ରେକ୍ଷୀରେ ବିଜେଡି ମୁଖିଆ ଏହି ତିନିଟି ରାଜ୍ୟସଭା ଆସନକୁ ନେଇ ଚାପରେ ରହିବା ସ୍ୱାଭାବିକ। କିନ୍ତୁ ଏମିତି ନୁହେଁ ଯେ ଏମାନଙ୍କୁ ଆଉଥରେ ରାଜ୍ୟସଭା ପଠାଇବାକୁ ବାଧ୍ୟ। କାରଣ, ଏ ଭି ସ୍ୱାମୀଙ୍କ ପ୍ରତିନିଧିତ୍ୱ ବିଜେଡି ପାଇଁ ବିଶେଷ କିଛି ପ୍ରଭାବ ରଖିନାହିଁ। ଶ୍ରୀ ସିଂହଦେଓଙ୍କୁ ରାଜ୍ୟସଭାକୁ ପଠାଇ ନବୀନ ବନ୍ଧୁତ୍ୱ ଚାପରୁ ମୁକ୍ତ ଅଛନ୍ତି। ଦିଲ୍ଲୀପଙ୍କର ଦଳରେ ଗୁରୁତ୍ୱ ରହିଛି, ସେ ଦୁଇ ଦୁଇଟି ବର୍ଗକୁ ପ୍ରତିନିଧିତ୍ୱ କରୁଛନ୍ତି। ତଥାପି ପଶ୍ଚିମ ଓଡ଼ିଶାରେ ବିଜେଡିକୁ ସୁରକ୍ଷିତ ରଖିବା ଲାଗି ଏହି ଅସ୍ତ୍ରଟି ଯଥେଷ୍ଟ ନୁହେଁ।

ବିଜେଡିର ଜଣେ ଛାମୁଆ ନେତାଙ୍କ ସୂଚନା ଅନୁସାରେ, ଏହି ତିନିଟି ଆସନ ମଧ୍ୟରୁ ପଶ୍ଚିମ ଓଡ଼ିଶାର ଭାଗ ତ ନିଶ୍ଚୟ ରହିବ, କିନ୍ତୁ ଏମାନଙ୍କୁ ଆଉ ଥରେ ସୁଯୋଗ ଦିଆଯିବ ନାହିଁ। ଶ୍ରୀ ସିଂହଦେଓଙ୍କ ପାଇଁ ଚ୍ୟାଲେଞ୍ଜ ହେଉଛି, ଏଥର ସେ ତାଙ୍କ ଦୁଇ ପୁଅଙ୍କ ଉପଯୁକ୍ତ ଥଇଥାନକୁ ଗୁରୁତ୍ୱ ଦେବେ। ସାଂସଦ କଲିକେଶ ସ୍ଥାନ ନିରାପଦ ରହିବ ଓ ଅର୍କେଶଙ୍କୁ ବିଧାୟକ ଟିକେଟ୍‌ ମିଳିବ। ହକିକୁ ସରକାର ଗୁରୁତ୍ୱ ଦେଉଥିବା ପରିପ୍ରେକ୍ଷୀରେ ଦିଲ୍ଲୀପଙ୍କୁ ପୃଥକ୍‌ ଏକ ବ୍ୟବସ୍ଥାରେ ଥଇଥାନ କରିବା ଲାଗି ସୁପ୍ରିମୋ ବିଚାର କରିପାରନ୍ତି।

ବରଂ ଏମିତି ହୋଇପାରେ, ନବୀନ ଆସନ୍ତା ସାଧାରଣ ନିର୍ବାଚନକୁ ଆଖି ଆଗରେ ରଖି ଦଳ ଭିତରେ ଏହି ଆସନକୁ ବାଣ୍ଟିପାରନ୍ତି। ପଶ୍ଚିମ, ଉତ୍ତର ଓ ଉପକୂଳ ଓଡ଼ିଶାକୁ ଗୋଟିଏ ଲେଖାଏଁ ଆସନ ଦିଆଯିବା ପଛରେ ଯୁକ୍ତି ଅଧିକ ରହିଛି। ଏମିତିରେ ବି ଦକ୍ଷିଣ ଓଡ଼ିଶା ମନ୍ତ୍ରୀ ପଦକୁ ନେଇ ଟିକିଏ ଓଜନିଆ ଅଛି।

ଦ୍ୱିତୀୟତଃ ନବୀନ ବିଜୁ ଅନୁଗତଙ୍କ କଥା ବିଚାର କରିପାରନ୍ତି। ଏହାଦ୍ୱାରା ବରିଷ୍ଠ-କନିଷ୍ଠ ବିବାଦ ବି ଥମିଯିବ। ରାଜ୍ୟସଭାରେ ଦଳିତ ବର୍ଗର କେହି ସଭ୍ୟ ନାହାନ୍ତି। ଦଳରେ ପ୍ରମୁଖ କିଛି ଦାବିଦାର ଅଛନ୍ତି, ଯେଉଁମାନଙ୍କୁ ପୂର୍ବରୁ ଆଶ୍ୱାସନା ଦିଆଯାଇଛି। ରଘୁନାଥ ମହାନ୍ତିଙ୍କ ଭଳି କିଛି ପୂର୍ବତନ ମନ୍ତ୍ରୀ ଏହି ତାଲିକାରେ ଅଛନ୍ତି, ଯେଉଁମାନଙ୍କୁ ନବୀନ ଥଇଥାନ କରିବା ନେଇ ସଙ୍କେତ ଦେଇଥିଲେ ବା ଦଳରେ ପୁରୁଖ ନେତାଙ୍କୁ ଗୁରୁତ୍ୱ ମିଳିବ ବୋଲି ସୂଚାଇଥିଲେ। ସେହିଭଳି ରାଜ୍ୟରେ ଟ୍ରେଡ୍‌ ୟୁନିୟନ୍‌ ଦବ୍‌ଦବା ଆରମ୍ଭ ହୋଇଥିବା ପରିପ୍ରେକ୍ଷୀରେ ଏକ୍ଷେତ୍ରକୁ ମଧ୍ୟ ବିଚାର କରାଯିବା ସମ୍ଭାବନାକୁ ଗୌଣ କରିହେବ ନାହିଁ। କେବଳ ସେତିକି ନୁହେଁ, ଏମ୍‌ସର ଅବସରପ୍ରାପ୍ତ ଡାକ୍ତର ଅଶୋକ ମହାପାତ୍ର ଓ ସୁବ୍ରତ ବାଗ୍‌ଚି ଭଳି ପ୍ରତିଷ୍ଠିତ ବ୍ୟକ୍ତିଙ୍କୁ ସରକାର ଏହି ଆସନରେ ଛାଡି ନିଜ ପତିଆରା ବଢାଇପାରନ୍ତି।

ସୂଚନାଯୋଗ୍ୟ, ଏଥର ଖାଲି ହେଉଥିବା ୩ଟି ଆସନ ଲାଗି ଗଣିତ ହେଉଛି ଏମିତି। ୧୪୭ ଆସନ ବିଶିଷ୍ଟ ଓଡ଼ିଶା ବିଧାନସଭାରେ ଏବେ ବିଜେଡିର ୧୧୭ ଜଣ ବିଧାୟକ ଅଛନ୍ତି। ୧୬ ଜଣ କଂଗ୍ରେସ ଦଳକୁ ପ୍ରତିନିଧିତ୍ଵ କରୁଛନ୍ତି। ବିଜେପିର ୧୦ ଜଣ ବିଧାୟକ ଥିବା ବେଳେ ସିପିଆଇ ଓ ସମତା କ୍ରାନ୍ତିର ଜଣେ ଲେଖାଏଁ ଏବଂ ବାକି ୨ ଜଣ ସ୍ୱାଧୀନ ବିଧାୟକ। ଏମାନଙ୍କ ମଧ୍ୟରୁ ସତ୍ୟବାଦୀ ବିଧାୟକ ଉମାକାନ୍ତ ସାମନ୍ତରାୟଙ୍କ ଉପରୁ ବିଜେଡି ନିଲମ୍ବନ ଉଠାଇସାରିଲାଣି।

ଜଣେ ରାଜ୍ୟସଭା ପ୍ରାର୍ଥୀଙ୍କୁ ଜିତିବା ଲାଗି ପ୍ରଥମ ପସନ୍ଦର ୩୭ଟି ଭୋଟ ବା ୩୭ଜଣ ବିଧାୟକଙ୍କ ସମର୍ଥନ ଆବଶ୍ୟକ ହେଉଛି। ଯେହେତୁ ବିଜେଡିର ୧୧୭ ଜଣ ସଭ୍ୟ ଅଛନ୍ତି, ଏଣୁ ଦଳ ଅତି ସହଜରେ ୩ଜଣ ସଭ୍ୟଙ୍କୁ ପ୍ରଥମ ପସନ୍ଦ ଭୋଟରେ ଜିତାଇ ପାରିବ। ଶାସକ ଦଳରେ ସେଭଳି ଆଖିଦୃଶିଆ ବିଭାଜନ ହେଲେ ଯାଇ ବିରୋଧୀଙ୍କ ପାଇଁ ସୁଯୋଗ ସୃଷ୍ଟି ହୋଇପାରେ। ଯାହାର ସମ୍ଭାବନା କ୍ଷୀଣ।