ଭୁବନେଶ୍ବର: ଏ ଦେଶରେ ଜଳ, ଜଙ୍ଗଲ ଓ ଜମି ପାଇଁ ବ୍ରିଟିସ ବିରୋଧରେ ଲଢ଼ି ହଜାର ହଜାର ଆଦିବାସୀ ସହିଦ ହୋଇଛନ୍ତି। ସ୍ୱାଧୀନ ଭାରତରେ ପୁଣି ଆଦିବାସୀଙ୍କ ଜଳ, ଜଙ୍ଗଲ ଓ ଜମିକୁ ଲୁଟ୍ କରୁଥିବା ଲୁଟେରା ପୁଞ୍ଜିପତି ଓ ବିଜେପିର ମିଳିତ ଶକ୍ତି ବିରୋଧରେ ଦ୍ୱିତୀୟ ସ୍ୱାଧୀନତା ସଂଗ୍ରାମ ପାଇଁ ଆଦିବାସୀମାନେ ପ୍ରସ୍ତୁତ ହେବା ଦରକାର। ଓଡ଼ିଶା ଆଦିବାସୀ କଂଗ୍ରେସର ରାଜ୍ୟସ୍ତରୀୟ ବୈଠକରେ ଯୋଗଦେଇ ଏହି ଆହ୍ବାନ ଦେଇଛନ୍ତି ଅଖିଳ ଭାରତ ଆଦିବାସୀ କଂଗ୍ରେସର ରାଷ୍ଟ୍ରୀୟ ଅଧ୍ୟକ୍ଷ ବିକ୍ରାନ୍ତ ଭୂରିଆ।
ଓଡ଼ିଶା ଆଦିବାସୀ କଂଗ୍ରେସର ରାଜ୍ୟ ଅଧ୍ୟକ୍ଷ ଯଶୋବନ୍ତ ନାରାୟଣ ଲାଗୁରିଙ୍କ ଅଧ୍ୟକ୍ଷତାରେ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ପିସିସି ସଭାପତି ଭକ୍ତଚରଣ ଦାସ ଯୋଗଦେଇ କହିଥିଲେ, ରାଜ୍ୟରେ ଶିଳ୍ପାୟନରେ ସବୁଠାରୁ ବେଶି କ୍ଷତିଗ୍ରସ୍ତ ହୋଇଥିବା ଆଦିବାସୀମାନେ ଏକ ହୋଇ ବିସ୍ଥାପନ ବିରୋଧରେ ଲଢ଼େଇ କରିବାକୁ ହେବ। ଆଦିବାସୀ କଂଗ୍ରେସ ତରଫରୁ ବିସ୍ଥାପନ ବିରୋଧରେ ଲଢ଼େଇ, ଉଚ୍ଚ ବୈଷୟିକ ଶିକ୍ଷାରେ ଆଦିବାସୀଙ୍କୁ ଆନୁପାତିକ ସଂରକ୍ଷଣ, ଆଦିବାସୀ କ୍ୟାଲେଣ୍ଡର ପ୍ରସ୍ତୁତ ଓ ଆଦିବାସୀ ମହାମନିଷୀଙ୍କ ସ୍ମୃତି ରକ୍ଷା, ନୂତନ ନେତୃତ୍ୱ ସୃଷ୍ଟି, ଜଙ୍ଗଲ ସୁରକ୍ଷା ଆଇନକୁ କାର୍ଯ୍ୟକାରୀ କରିବା ଦିଗରେ ପଦକ୍ଷେପ ନେବାପାଇଁ ନିଷ୍ପତ୍ତି କରାଗଲା।
ବୈଠକରେ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡ଼ାମ, ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧର ଗମାଙ୍ଗ, ପୂର୍ବତନ ମନ୍ତ୍ରୀ ହଳଧର କାର୍ଜି, ପୂର୍ବତନ ମନ୍ତ୍ରୀ ବଳଭଦ୍ର ମାଝୀ, ପୂର୍ବତନ ସାଂସଦ ଶକୁନ୍ତଳା ଲାଗୁରୀ, ହେମା ଗମାଙ୍ଗ, ଜୟରାମ ପାଙ୍ଗୀ, ନକୁଳ ନାୟକ, ବିଧାୟକ ଦାଶରଥୀ ଗମାଙ୍ଗ, ରାଜ୍ୟ ଅନୁସୂଚିତ ଜାତି ଅଧ୍ୟକ୍ଷ ମାନସ ମଲ୍ଲିକ, ଆଦିବାସୀ କଂଗ୍ରେସ ରାଷ୍ଟ୍ରୀୟ ସଂଯୋଜିକା ହାରାବତୀ ଗଣ୍ଡ, ପଛୁଆବର୍ଗ ରାଷ୍ଟ୍ରୀୟ ସଂଯୋଜକ ରାଜକିଶୋର ବାରିକ, ପୂର୍ବତନ ବିଧାୟକ ସୁବର୍ଣ୍ଣ ନାୟକ, ଜନାର୍ଦ୍ଦନ ଦେହୁରୀ, ଜାକବ ପ୍ରଧାନ, ଲକ୍ଷ୍ମଣ ମାଝୀ, ପ୍ରହଲ୍ଲାଦ ପୂର୍ତ୍ତି, ପୂର୍ବତନ ପୁଲିସ ପ୍ରଶାସକ ଶ୍ୟାମସୁନ୍ଦର ହାଂସଦା, ଲକ୍ଷ୍ମୀଧର ସିଂ, ଅନିମା ମିଞ୍ଜ, ମୋହନ ହେମ୍ବ୍ରମ, ପ୍ରତିଭା ମଞ୍ଜରି ନାୟକ, ମୟୂରଭଞ୍ଜ ପଶ୍ଚିମ ଜିଲ୍ଲା ସଭାପତି ଭୂବନ ବିହାରୀ ସାହୁ, ଜବାମଣି ଟୁଡୁ, ଅମିତା ବିଶ୍ୱାଳ, ସ୍ୱର୍ଣ୍ଣଲତା ବାନରା, ଗେରୋଟି ଖେସ, ପ୍ରମୋଦ ହେମ୍ବ୍ରମ, କ୍ଷୀରୋଦ ଚନ୍ଦ୍ର ପାତ୍ର ପ୍ରମୁଖ ଯୋଗଦେଇଥିଲେ।