ଅଂଶୁଘାତ ରୋକିବାକୁ ସରକାରଙ୍କ ଆଗୁଆ ପ୍ରସ୍ତୁତି

ପ୍ରଥମ ବୈଠକ ଡାକିଲେ ଓସ୍‌ଡ୍‌ମା ଏମ୍‌ଡି
ଫେବ୍ରୁଆରି ୧୫ ପରଠୁ ରାଜ୍ୟରେ ଖରା ଟାଣ ହେବା ସମ୍ଭାବନା
ସଚତନତା ପାଇଁ ଚଳିତ ବର୍ଷ ବ୍ୟାପକ କାର୍ଯ୍ୟକ୍ରମ

ଭୁବନେଶ୍ବର : ଏବର୍ଷ ପାଗରେ ବଡ଼ ଧରଣର ପରିବର୍ତନ ସମ୍ଭାବନା ରହିଛି। ଫେବ୍ରୁଆରି ୧୫ ତାରିଖ ବେଳକୁ ସାରା ରାଜ୍ୟରେ ଟାଣ ଖରା ଆରମ୍ଭ ହୋଇଯାଇଥିବ। ଏଭଳି ପୂର୍ବାନୁମାନ ଏବେ ସମସ୍ତଙ୍କ ଚିନ୍ତା ବଢାଇ ଦେଇଛି। ସ୍ବାଭାବିକ ଭାବେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଓ ଖରା କାରଣରୁ ରାଜ୍ୟରେ ଅଂଶୁଘାତ ଭୟ ସୃଷ୍ଟି ହୋଇଛି। ପରିସ୍ଥିତିର ଗମ୍ଭୀରତା ଉପଲବ୍ଧି କରି ଅଂଶୁଘାତ ରୋକିବା ଲାଗି ରାଜ୍ୟ ସରକାର ଏବେଠାରୁ ପ୍ରସ୍ତୁତି ଆରମ୍ଭ କରିଦେଲେଣି। । ଆଜି ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ ପରିଚାଳନା ନିର୍ଦ୍ଦେଶକ ତଥା ସ୍ବତନ୍ତ୍ର ରିଲିଫ କମିସନର ପ୍ରଦୀପ କୁମାର ଜେନାଙ୍କ ଅଧ୍ୟକ୍ଷତାରେ ପ୍ରଥମ ବୈଠକ ଅନୁଷ୍ଠିତ ହୋଇଛି। ପ୍ରଥମ କରି ଚଳିତବର୍ଷ ପଶୁମାନଙ୍କ ପାଇଁ ଆଗୁଆ ଜଳ ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହାସହିତ ଅଂଶୁଘାତ ରୋକିବାକୁ ବ୍ୟାପକ ସଚେତନତା କାର୍ଯ୍ୟକ୍ରମ ଉପରେ ଗୁରୁତ୍ବ ଦିଆଯାଇଛି।

ବୈଠକରେ ଅଧ୍ୟକ୍ଷତା କରି ଶ୍ରୀ ଜେନା ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇ କହିଥିଲେ, ଗ୍ରୀଷ୍ଣ ପ୍ରବାହ ପୂର୍ବରୁ ଆଗୁଆ ସଚେତନତା କାର୍ଯ୍ୟକ୍ରମ କରାଯିବ। ଏଥିପାଇଁ ବିଦ୍ୟାଳୟଗୁଡ଼ିକରେ ପିଲାମାନଙ୍କୁ ଶିକ୍ଷକମାନେ ଅଂଶୁଘାତର ଲକ୍ଷଣ ଓ ସତର୍କତା ନେଇ ସଚେତନ କରାଇବେ। ସରକାର ବିଶେଷଜ୍ଞମାନଙ୍କୁ ନିୟୋଜିତ କରି ଆକାଶବାଣୀ, ଏଫ୍‌ଏମ୍‌ ରେଡିଓ ଓ ଟେଲିଭିଜନ ଜରିଆରେ ସ୍ବତନ୍ତ୍ର କାର୍ଯ୍ୟକ୍ରମ କରିବେ। ଏହାସହିତ ଖବରକାଗଜ ଜରିଆରେ ମଧ୍ୟ ସଚେତନତା କାର୍ଯ୍ୟକ୍ରମ ଜାରି ରହିବ। ଟାଣ ଖରାରେ ବାହାରକୁ ନ ବାହାରି ନିଜକୁ କିପରି ଅଂଶୁଘାତରୁ ଦୂରେଇ ରଖାଯାଇପାରିବ ସେଥିପାଇଁ ବିଦ୍ୟାଳୟରେ ଛୋଟଛୋଟ ପିଲାମାନଙ୍କୁ ବିଭିନ୍ନ ଲେଖା ଓ କାର୍ଯ୍ୟକ୍ରମ ଜରିଆରେ ଶିକ୍ଷକମାନେ ଅବଗତ କରାଇବେ। ଅଂଶୁଘାତରେ ଆକ୍ରାନ୍ତ ରୋଗୀଙ୍କୁ ତୁରନ୍ତ ସ୍ବାସ୍ଥ୍ୟସେବା ଯୋଗାଇବା ପାଇଁ ଆମ୍ବୁଲାନସ୍‌ ଓ ଡାକ୍ତରଖାନାରେ ଆବଶ୍ୟକ ଔଷଧ ପତ୍ର ଏବେଠୁ ଉପଲବ୍ଧ କରି ରଖିବାକୁ ଓସ୍‌ଡ୍‌ମା ଏମ୍‌ଡି ସ୍ବାସ୍ଥ୍ୟ ବିଭାଗ ଅଧିକାରୀଙ୍କୁ ନିର୍ଦେଶ ଦେଇଛନ୍ତି।

ଟାଣ ଖରାରେ ମଣିଷଙ୍କ ଜୀବନ ସୁରକ୍ଷିତ ରଖିବା ସହ ଜୀବଜନ୍ତୁମାନେ ଯେପରି ପ୍ରଚଣ୍ଡ ରୌଦ୍ର ତାପରେ ଜଳ ପାଇବାରୁ ବଞ୍ଚିତ ନ ହୁଅନ୍ତି ତା ଉପରେ ପ୍ରଥମ କରି ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ଜେନା ଗୁରୁତ୍ବ ଦେଇଛନ୍ତି। ବନ୍ୟଜନ୍ତୁଙ୍କ ପାଇଁ ଜଙ୍ଗଲରେ ଥିବା ଜଳାଶୟଗୁଡ଼ିକର ପୁନରୁଦ୍ଧାର, ଜଳ ବ୍ୟବସ୍ଥା କରିବାକୁ ଜଙ୍ଗଲ ବିଭାଗ ଅଧିକାରୀଙ୍କୁ ସେ ପରାମର୍ଶ ଦେଇଛନ୍ତି। ଖାଲିସେତିକି ନୁହେଁ, ସହରାଞ୍ଚଳ ଓ ଗ୍ରାମାଞ୍ଚଳରେ ବୁଲା ଷଣ୍ଢ, ଗାଈ ଓ ବାଛୁରିମାନେ ଯେପରି ପାଣି ପାଇଁ ଡହଳବିକଳ ନ ହେବେ ସେଥିପାଇଁ ପ୍ରତି ଘର ଆଗରେ ପାଣି କୁଣ୍ଡ କିମ୍ବା ଜଳ ବ୍ୟବସ୍ଥା କରିବାକୁ ଲୋକଙ୍କୁ ସଚେତନ କରାଯିବ। ଏହାସହିତ ସମ୍ପର୍କିତ ବିଭାଗଗୁଡ଼ିକ ଅଂଶୁଘାତ ରୋକିବାକୁ ଆଗୁଆ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନେବେ। ଆସନ୍ତା ଫେବ୍ରୁଆରି ୧ ତାରିଖ ଦିନ ଅଂଶୁଘାତ ପ୍ରସ୍ତୁତି ନେଇ ସମୀକ୍ଷା ବୈଠକ କରିବାକୁ ନିଷ୍ପତ୍ତି ହୋଇଛି।

ସମ୍ବନ୍ଧିତ ଖବର