ଭୁବନେଶ୍ୱର: ଚଳିତବର୍ଷ ଶେଷ ଆଡ଼କୁ ହେବାକୁ ଥିବା ପୌର ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। ରାଜ୍ୟର ୯୦ଟି ପୌରାଞ୍ଚଳ ଓ ୩ଟି ମହାନଗର ନିଗମ ଭୁବନେଶ୍ୱର, କଟକ ଓ ବ୍ରହ୍ମପୁରରେ ନିର୍ବାଚନ ହେବାକୁ ଥିବାରୁ ଏନେଇ ୩୦ଟି ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଜାରି ହୋଇଛି। ଜିଲ୍ଲାପାଳଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଓ୍ଵାର୍ଡଗୁଡ଼ିକର ସୀମା ପୁନଃନିର୍ଦ୍ଧାରଣ, ଆସନ ସଂରକ୍ଷଣ, ମେୟର/ଅଧ୍ୟକ୍ଷ ପଦବି ସଂରକ୍ଷଣ ପ୍ରକି୍ରୟା ଶେଷ କରିବାକୁ ରାଜ୍ୟ ସରକାର ଜଣାଇଛନ୍ତି। ରାଜ୍ୟ ନିର୍ବାଚନ କମିସନ ଏପ୍ରିଲ ୨୦ ତାରିଖ ସୁଦ୍ଧା ସମସ୍ତ ଓ୍ଵାର୍ଡର ସୀମା ନିର୍ଦ୍ଧାରଣ ଏବଂ ଆସନ ସଂରକ୍ଷଣ ବ୍ୟବସ୍ଥା ସାରିବାକୁ କହିଥିବାରୁ ଏହି ପ୍ରକ୍ରିୟା ନିର୍ଦ୍ଧାରିତ ସମୟ ମଧ୍ୟରେ ଶେଷ ହେବ। ଜିଲ୍ଲାପାଳମାନେ ଏପ୍ରିଲ ୩୦ରେ ଏନେଇ ଚୂଡ଼ାନ୍ତ ବିଜ୍ଞପ୍ତି ପ୍ରକାଶ କରିବାକୁ ପୌର ପ୍ରଶାସନ ନିର୍ଦ୍ଦେଶକ ସଂଗ୍ରାମଜିତ ନାୟକ ନିର୍ଦ୍ଦେଶନାମା ଜାରି କରିଛନ୍ତି।
ଓଡ଼ିଶା ମ୍ୟୁନିସପାଲଟି ଆକ୍ଟ-୧୯୫୦ ଏବଂ ଓଡ଼ିଶା ମ୍ୟୁନିସପାଲ କର୍ପୋରେସନ୍ ଆକ୍ଟ-୨୦୦୩ ଅନୁଯାୟୀ ସୀମା ପୁନଃ ନିର୍ଦ୍ଧାରଣ ଏବଂ ସଂରକ୍ଷଣ ବ୍ୟବସ୍ଥା ହେବ। ଏଥିପାଇଁ ତିନି ମାସ ସମୟ ଲାଗିବାକୁ ଥିବାବେଳେ ଆଜିଠାରୁ ଏନେଇ ପ୍ରକ୍ରିୟା ଆରମ୍ଭ ହୋଇଛି। ଏପ୍ରିଲ୍ ୩୦ସୁଦ୍ଧା ସମସ୍ତ ପ୍ରକ୍ରିୟା ଶେଷ ହେବ ବୋଲି ନଗର ଉନ୍ନୟନ ବିଭାଗ ପକ୍ଷରୁ ନିର୍ବାଚନ କମିସନଙ୍କୁ ଜଣାଯାଇଛି।
ଆଜି ପ୍ରକାଶ ପାଇଥିବା ବିଜ୍ଞପ୍ତି ଅନୁଯାୟୀ, ଫେବ୍ରୁଆରି ୧୫ରେ ଜିଲ୍ଲାପାଳମାନେ କେଉଁ ଓ୍ଵାର୍ଡରେ କେଉଁ ଅଞ୍ଚଳ ଯାଉଛି, କେଉଁ ଆସନ ସଂରକ୍ଷିତ ରହିବ ତାହାର ଚିଠା ବିଜ୍ଞପ୍ତି ପ୍ରକାଶ କରିବେ। ଏହା ଉପରେ ସାଧାରଣ ଲୋକଙ୍କ ମତାମତ ସଂଗ୍ରହ କରାଯିବ। ଫେବ୍ରୁଆରି ୨୪ସୁଦ୍ଧା ଏହି ମତାମତ ଗ୍ରହଣ କରାଯିବ। ମାର୍ଚ୍ଚ ୮ରେ ଓ୍ଵାର୍ଡ ସୀମା ପୁନଃ ନିର୍ଦ୍ଧାରଣ ଏବଂ ଆସନ ସଂରକ୍ଷଣ ନେଇ ବିଜ୍ଞପ୍ତି ପ୍ରକାଶ ପାଇବ। ଜିଲ୍ଲାପାଳଙ୍କ ଏହି ବିଜ୍ଞପ୍ତିକୁ କେହି ଚାଲେଞ୍ଜ କରିବାକୁ ଚାହୁଁଥିଲେ ମାର୍ଚ୍ଚ ୯ରୁ ୨୩ ମଧ୍ୟରେ ନଗର ଉନ୍ନୟନ ବିଭାଗରେ ଅଭିଯୋଗ କରିପାରିବେ। ମାର୍ଚ୍ଚ ୨୬ରୁ ଏପ୍ରିଲ୍ ୨୫ମଧ୍ୟରେ ଏହାର ଶୁଣାଣି ହେବ। ଏପ୍ରିଲ୍ ୨୮ସୁଦ୍ଧା ନଗର ଉନ୍ନୟନ ବିଭାଗର ନିଷ୍ପତ୍ତି ଜିଲ୍ଲାପାଳମାନଙ୍କୁ ଜଣାଇ ଦିଆଯିବ। ଏପ୍ରିଲ୍ ୩୦ରେ ଜିଲ୍ଲାପାଳମାନେ ସେମାନଙ୍କ ଅଧୀନରେ ଥିବା ପୌରାଞ୍ଚଳ ପାଇଁ ଚୂଡ଼ାନ୍ତ ତାଲିକାର ବିଜ୍ଞପ୍ତି ପ୍ରକାଶ କରିବେ।ସମ୍ବଲପୁର ଓ ରାଉରକେଲା ମହାନଗର ନିଗମ ନେଇ କୋର୍ଟରେ ମାମଲା ବିଚାରାଧୀନ ଥିବାରୁ ଏଠାରେ ପୌର ନିର୍ବାଚନ ନେଇ କୌଣସି ପ୍ରସ୍ତୁତି କାର୍ଯ୍ୟ ହେବ ନାହିଁ।
ଜିଲ୍ଲାପାଳମାନଙ୍କୁ ଦିଆଯାଇଥିବା ନିର୍ଦ୍ଦେଶନାମାରେ ଓ୍ଵାର୍ଡ ସୀମା ନିର୍ଦ୍ଧାରଣ ସମୟରେ ୨୦୧୧ ଜନଗଣନା ଅନୁଯାୟୀ ଯେପରି ସମସ୍ତ ଓ୍ଵାର୍ଡରେ ସମାନ ସଂଖ୍ୟକ ଲୋକ ରହିବେ ସେନେଇ ଧ୍ୟାନ ଦେବାକୁ କୁହାଯାଇଛି। ଆବଶ୍ୟକସ୍ଥଳେ ସଂପୃକ୍ତ ପୌରସଂସ୍ଥା ବା ମହାନଗର ନିଗମର ସହଯୋଗ ନେବେ। ଓଡ଼ିଶା ମ୍ୟୁନିସପାଲ ଆକ୍ଟ ୧୯୫୦ ଧାରା ୧୧ ଅନୁଯାୟୀ ସଂରକ୍ଷଣ ବ୍ୟବସ୍ଥା ଲାଗୁ କରିବାକୁ କୁହାଯାଇଛି। ଏଥିରେ ଅନୁସୂଚିତ ଜାତି, ଅନୁସୂଚିତ ଉପଜାତି, ପଛୁଆ ବର୍ଗ, ମହିଳାଙ୍କ ପାଇଁ ସଂରକ୍ଷଣ ବ୍ୟବସ୍ଥା ରହିବ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/01/election.jpg)