ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପଟି ଶ୍ରୀମନ୍ଦିର ପରିଚାଳନା କମିଟି ଦ୍ୱାରା ପ୍ରସ୍ତୁତ ଓ ଅନୁମୋଦିତ: ବିଜେଡି

ମୌସୁମୀ ଓ ରଥଯାତ୍ରା ଆସୁଥିବାରୁ ପ୍ରକଳ୍ପ କାର୍ଯ୍ୟରେ ସହଯୋଗ ଆହ୍ୱାନ

ଭୁବନେଶ୍ୱର: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପଟି ଶ୍ରୀମନ୍ଦିର ପରିଚାଳନା କମିଟି ଦ୍ୱାରା ପ୍ରସ୍ତୁତ ଏବଂ ଅନୁମୋଦନ କରାଯାଇଛି । ପ୍ରଥମତଃ ସାଧାରଣ ଲୋକେ ଏବଂ ବିଭିନ୍ନ ସଂଗଠନର ମତାମତ ପାଇଁ ଏହି ଯୋଜନାକୁ ପବ୍ଲିକ ଡୋମେନରେ ରଖାଯାଇଥିଲା । ଏହାପରେ ପରିଚାଳନା କମିଟି ଦ୍ୱାରା ଏହି ଯୋଜନା ଅନୁମୋଦନ କରାଯାଇଥିଲା ବୋଲି କହିଛନ୍ତି ବିଜେଡି ମୁଖପାତ୍ର ଲେନିନ୍‍ ମହାନ୍ତି । ବିଜେପି ସାମ୍ବାଦିକ ସମ୍ମିଳନୀର ଜବାବ ଦେଇ ଶ୍ରୀ ମହାନ୍ତି କହିଛନ୍ତି ଯେ ଏହାପରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପଟି ଓଡିଶା ସରକାରଙ୍କ ନିକଟକୁ ଆସିଥିଲା, ଯାହାକୁ ସରକାର ଅନୁମୋଦନ କରିପାରିଥାନ୍ତେ । କିନ୍ତୁ ଏହା କରିବା ବଦଳରେ ପ୍ରକଳ୍ପକୁ ଓଡିଶା ବିଧାନସଭା ମାଧ୍ୟମରେ ଓଡିଶାର ଲୋକଙ୍କ ନିକଟକୁ ନେବାକୁ ନିଷ୍ପତ୍ତି ନିଆଯାଇଥିଲା । ସେଠାରେ ଏହି ଯୋଜନାଟି ସମସ୍ତ ବିଧାୟକଙ୍କ ଦ୍ୱାରା ସର୍ବସମ୍ମତି କ୍ରମେ ପାରିତ ହୋଇଥିଲା ।

ଫଟୋ: କାହ୍ନା (ପୁରୀ)

ଯୋଜନା ଅନୁମୋଦନ ହେବା ପରେ ଏହାକୁ ଜାତୀୟ ଐତହ୍ୟ ପ୍ରାଧିକରଣ (ଏନ୍‌ଏମ୍‌ଏ)କୁ ପଠାଯାଇଥିଲା ଯିଏ କି ପ୍ରସ୍ତାବକୁ ଅନୁମୋଦନ କରିଥିଲେ । ଏନ୍‌ଏମ୍‌ଏର ଅନୁମୋଦନ ପରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପାଇଁ ଭିତ୍ତିପ୍ରସ୍ତର ରଖାଯାଇଥିଲା । ଏହି ସମାରୋହ ପାଇଁ ସମସ୍ତ ରାଜନୈତିକ ଦଳର ନେତାଙ୍କ ସହିତ ଅନ୍ୟାନ୍ୟ ମାନ୍ୟଗଣ୍ୟ ବ୍ୟକ୍ତିଙ୍କୁ ନିମନ୍ତ୍ରଣ କରାଯାଇଥିଲା । ଏହା ପରେ କାମ ଆରମ୍ଭ ହେଲା । ଏଏସ୍‍ଆଇ କିଛି ପରାମର୍ଶ ଦେଇଥିଲା ଯାହା ବିଧିବଦ୍ଧ ଭାବରେ ସାମିଲ କରାଯାଇଥିଲା ଏବଂ ସେହି ଅନୁଯାୟୀ ସଂଶୋଧନ କରାଯାଇଥିଲା । ସାଧାରଣ ଲୋକ ଏବଂ ବିଭିନ୍ନ ସଂଗଠନ ସହିତ ପରାମର୍ଶ କରିବା ପରେ, ଓଡ଼ିଶା ବିଧାନସଭା ଦ୍ୱାରା ଏହି ଯୋଜନାକୁ ସର୍ବସମ୍ମତି କ୍ରମେ ପାସ୍ କରିବା ଏବଂ ପରବର୍ତ୍ତୀ ସମୟରେ ଏନ୍‍ଏମ୍‌ଏ ଦ୍ୱାରା ଏହି ଯୋଜନା ଅନୁମୋଦନ ହେବାପରେ କାର୍ଯ୍ୟକାରୀ ହେଉଛି । ଆଗକୁ ମୌସୁମୀ ଓ ରଥଯାତ୍ରା ଆସୁଥିବାରୁ ଆଶା କରାଯାଉଛି ଯେ ସମସ୍ତେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ସମର୍ଥନ କରିବା ଉଚିତ୍‍ ।

 

 

ସମ୍ବନ୍ଧିତ ଖବର