ମାଲକାନଗିରି: ଇତିହାସ ପାଲଟିବାକୁ ଯାଉଛି ନକ୍ସଲ ସଂଗଠନ। ମୁଖ୍ୟସ୍ରୋତକୁ ଫେରୁଛନ୍ତି ଶହ ଶହ ନକ୍ସଲ। ଗତ ଦୁଇ ଦିନରେ ୩୦୦ ନକ୍ସଲଙ୍କ ଆତ୍ମସମର୍ପଣ ପରେ ପୁଣି ଗୋଟିଏ ବଡ଼ଧରଣର ଆତ୍ମସମର୍ପଣ ହେବାକୁ ଯାଉଛି। ଉନ୍ଦତି ଏରିଆ କମିଟି ସଚିବ ସୁନୀଲଙ୍କ ଚିଠିରୁ ଏହି ସୂଚନା ମିଳିଛି। ଯାହା ସଂକେତ ମିଳୁଛି, ଗରିଆବନ୍ଧରେ ଏହି ଆତ୍ମସମର୍ପଣ ହେବ। ସୁନୀଲ ସଂଗଠନର ସାଥୀଙ୍କ ଉଦ୍ଦେଶ୍ୟରେ ପତ୍ର ଲେଖିଛନ୍ତି। ସେଥିରେ ଗତ ୧୬ ତାରିଖରେ ସୋନୁ ଦାଦା ମହାରାଷ୍ଟ୍ରର ଗଡଚିରୋଲିରେ ୬୧ଜଣ ସାଥୀଙ୍କ ସହ ସରକାରଙ୍କ ନିକଟରେ ଆତ୍ମସମର୍ପଣ କରିଥିବା ଉଲ୍ଲେଖ ହୋଇଛି। ସେହିପରି ୧୭ତାରିଖରେ ବସ୍ତରରେ ରୂପେଶ ଓରଫ ସତୀଶ ଦାଦା ସଶସ୍ତ୍ର ଆନ୍ଦୋଳନ ବନ୍ଦ କରିଛନ୍ତି। ରୂପେଶଙ୍କ ସହ ୨୧୦ଜଣ କମ୍ରେଡ ଆତ୍ମସମର୍ପଣ କରିଥିବା ସୂଚନା ଦେଇଛନ୍ତି।
ସୋନୁ ସଂଘର୍ଷ ବନ୍ଦ କରିବା ପାଇଁ ଏକ ପୁସ୍ତିକା ଜାରି କରିଛନ୍ତି। ଯେଉଁଥିରେ ସଶସ୍ତ୍ର ଆନ୍ଦୋଳନ ପାଇଁ ବର୍ତ୍ତମାନ ପରିସ୍ଥିତି ଅନୁକୂଳ ନୁହେଁ। ପୁଲିସର ଚାପ ବୃଦ୍ଧି ପାଉଛି। ତେଣୁ ସମସ୍ତ ସାଥୀ ଅସ୍ତ୍ର ବ୍ୟବହାର ବନ୍ଦ କରିବେ ଏବଂ ଲୋକଙ୍କ ସହିତ ରହି ଲୋକଙ୍କ ସମସ୍ୟାର ସମାଧାନ କରିବାକୁ ଚେଷ୍ଟା କରିବେ ବୋଲି କହିଛନ୍ତି। ଏହିକ୍ରମରେ ଉନ୍ଦତି ଏରିଆ କମିଟି ଗରିଆବନ୍ଧରେ ସଶସ୍ତ୍ର ଆନ୍ଦୋଳନ ବନ୍ଦ କରିବାକୁ ଯାଉଛି। ଆପଣ ମଧ୍ୟ ସମସ୍ତ ୟୁନିଟ୍ ସହିତ ଏହି ସଶସ୍ତ୍ର ଆନ୍ଦୋଳନକୁ ବନ୍ଦ କରିବାକୁ ଆଗେଇ ଆସନ୍ତୁ ବୋଲି ସୁନୀଲ ଆହ୍ବାନ ଦେଇଛନ୍ତି।
ବର୍ତ୍ତମାନ ସୁଯୋଗ ଅଛି, ପ୍ରଥମେ ଆମକୁ ଜୀବନ ବଞ୍ଚାଇବାକୁ ହେବ। ତେଣୁ ସମସ୍ତ ୟୁନିଟ୍ ମଧ୍ୟରୁ ଗୋବ୍ରା, ସୀନାପାଲି, ଏସ୍ଡିକେ, ସୀତାନଦୀ ଏରିଆ କମିଟିର କମ୍ରେଡଙ୍କୁ ଅନୁରୋଧ ଆପଣମାନେ ଚିନ୍ତା କରି ଠିକ୍ ନିଷ୍ପତ୍ତି ନିଅନ୍ତୁ। ପରେ ଯେମିତି ବିଳମ୍ବ ହୋଇନଯାଏ। ପୂର୍ବରୁ ଆମର ଅନେକ ଗୁରୁତ୍ୱପୂର୍ଣ୍ଣ ସାଥୀଙ୍କୁ ହରାଇଛୁ। ଉନ୍ଦତି ଏରିଆ କମିଟି ସୋନୁ ଏବଂ ରୂପେଶଙ୍କ ନିଷ୍ପତ୍ତିକୁ ସମର୍ଥନ କରୁଛି। ତୁମେ ମଧ୍ୟ ପୂର୍ଣ୍ଣ ଶକ୍ତି ଏବଂ ଅସ୍ତ୍ରଶସ୍ତ୍ର ସହିତ ମୁଖ୍ୟସ୍ରୋତକୁ ଫେରିଆସ। ଯେ କୌଣସି ସାଥୀ ୯୩୨୯୯୧୩୨୨୦ ନମ୍ବରରେ ଯୋଗାଯୋଗ କରିପାରିବେ ବୋଲି ସୁନୀଲ ସୂଚନା ଦେଇଛନ୍ତି।