ପୁରୀ : ମହାପ୍ରଭୁଙ୍କ ବାହୁଡ଼ାଯାତ୍ରାର ପ୍ରାରମ୍ଭିକ କାର୍ଯ୍ୟ ଭାବେ ରବିବାର ଦିନ ତିନିରଥରୁ ଦୁଇ ରଥ ତାଳଧ୍ୱଜ ଓ ଦର୍ପଦଳନ ଦକ୍ଷିଣ ମୋଡ଼ ନେଇଛନ୍ତି। ଦୁଇ ରଥ ଆଜି ନାକଚଣା ଦ୍ବାର ସମ୍ମୁଖ ଶରଧାବାଲିରେ ବିଜେ କରିଛନ୍ତି। ସେପଟେ ବିଳମ୍ବ ସହ ରାତି ହୋଇଯିବାରୁ ନନ୍ଦିଘୋଷ ରଥର ଦକ୍ଷିଣମୋଡ଼ ହୋଇପାରିନି। ଆଜି ସକାଳୁ ନନ୍ଦିଘୋଷ ରଥକୁ ଦକ୍ଷିଣମୋଡ଼ ଦିଆଯିବ।
ଶ୍ରୀଗୁଣ୍ଡିଚା ଯାତ୍ରାଠାରୁ ଶ୍ରୀଗୁଣ୍ଡିଚା ମନ୍ଦିର ସିଂହଦ୍ୱାର ଆଗରେ ତିନି ରଥ ବିଜେ କରିଥିଲେ। ଲକ୍ଷ୍ମୀ ଠାକୁରାଣୀ ମା’ ବିମଳାଙ୍କ ପରାମର୍ଶକ୍ରମେ ଗତକାଲି ମହାପ୍ରଭୁଙ୍କୁ ଦର୍ଶନ ପାଇଁ ଶ୍ରୀମନ୍ଦିରରୁ ଶ୍ରୀଗୁଣ୍ଡିଚା ମନ୍ଦିରକୁ ଗୋପନ ଯାତ୍ରା କରିଥିଲେ। କିନ୍ତୁ, ମହାପ୍ରଭୁଙ୍କ ଭେଟ ନ ପାଇ ଅପମାନରେ ମା’ ଲକ୍ଷ୍ମୀ ଠାକୁରାଣୀ ଶ୍ରୀଗୁଣ୍ଡିଚା ମନ୍ଦିରରୁ ନାକଚଣା ଦ୍ୱାର ଦେଇ ନିରାଡ଼ମ୍ୱରଭାବରେ ଶ୍ରୀମନ୍ଦିରକୁ ଫେରି ଆସିଛନ୍ତି। ଏହା ଜାଣିବାପରେ ମା’ ଲକ୍ଷ୍ମୀ ଠାକୁରାଣୀଙ୍କ ମାନଭଞ୍ଜନ ପାଇଁ ମହାପ୍ରଭୁ ବାହୁଡ଼ା ଯାତ୍ରା ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ଏଥିପାଇଁ ଆଜି ସ୍ବତନ୍ତ୍ର ନୀତି ନିର୍ଘଣ୍ଟ ହୋଇଥିଲା। ଆଜି ଅପରାହ୍ନ ପ୍ରାୟ ୨ଟା ୧୫ରେ ଆଡ଼ପମଣ୍ଡପରୁ ଶ୍ରୀଅଙ୍ଗ ଲାଗି ଆଜ୍ଞାମାଳ ବିଜେ ପରେ ତିନି ରଥରେ ଲାଗି ହୋଇଥିଲା। ପରେ ରଥକୁ ଦକ୍ଷିଣମୋଡ଼ ଦିଆଯାଇଥିଲା। ପ୍ରଥମ ମା’ ସୁଭଦ୍ରାଙ୍କ ଦେବଦଳନ ରଥ ଦକ୍ଷିଣମୋଡ଼ ନେଇଥିଲେ। ପରେ ବଡ଼ଠାକୁର ବଳଭଦ୍ରଙ୍କ ତାଳଧ୍ବଜ ରଥ ଦକ୍ଷିଣମୋଡ଼ ନେଇଥିଲେ। ପୁଲିସ, ଆରଏଏଫ ଓ ଓଏସଏପିଙ୍କ ସହଯୋଗରେ ଆଜି ରଥକୁ ଶ୍ରୀଗୁଣ୍ଡିଚା ମନ୍ଦିର ସିଂହଦ୍ବାରରୁ ନାକଚଣା ଦ୍ବାର ସମ୍ମୁଖ ଶରଧାବାଲିକୁ ନିଆଯାଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/06/p-110-ratha-dakhinimodo-arambha.jpg)