ଭୁବନେଶ୍ବର: ଆସନ୍ତା ଜାନୁଆରି ୧୭ତାରିଖରେ ପୁରୀ ଶ୍ରୀ ମନ୍ଦିରରେ ଶ୍ରୀ ଜଗନ୍ନାଥ ମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ଉତ୍ସବ ଅନୁଷ୍ଠିତ ହେବ। ଏଥିରେ ଦେଶର ବିଭିନ୍ନ ଦେବପୀଠ ଓ ଧାର୍ମିକ ଗୁରୁମାନଙ୍କୁ ଯୋଗଦେବା ପାଇଁ ନିମନ୍ତ୍ରଣ କରାଯାଉଛି। ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପାଇଁ ଯେପରି ରାଜ୍ୟର ପ୍ରତି ଗାଁରେ ଉତ୍ସବର ପରିବେଶ ହେବ ଏବଂ ସାରା ଓଡ଼ିଶା ଜଗନ୍ନାଥମୟ ହୋଇଯିବ ସେଥିପାଇଁ ରାଜ୍ୟ ସରକାର ବଡ଼ ଧରଣର ଆୟୋଜନ କରିଛନ୍ତି। ଜାନୁଆରି ୫ରୁ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପାଇଁ ୩୧୪ଟି ବ୍ଲକର ସବୁ ପଞ୍ଚାୟତରେ ଶ୍ରୀ ଜଗନ୍ନାଥ ପ୍ରଚାର ରଥ ବୁଲିବ। ପ୍ରତି ପଞ୍ଚାୟତରେ ଭଜନ କୀର୍ତ୍ତନ ହେବ। ଘରକୁ ଘର ବୁଲି ଗୁଆ, ଚାଉଳ ସଂଗ୍ରହ କରାଯିବ। ଏହାକୁ ପ୍ରଥମେ ପଞ୍ଚାୟତର କୌଣସି ଏକ ମନ୍ଦିରରେ ରଖାଯିବ। ପରେ ବ୍ଲକ ମୁଖ୍ୟାଳୟ ମନ୍ଦିରରେ ରଖାଯାଇ ଜାନୁଆରି ୧୭ରେ ଏହି ଗୁଆ-ଚାଉଳକୁ ପୁରୀ ଅଣାଯିବ। ଶ୍ରୀ ଜଗନ୍ନାଥ ସଂସ୍କୃତିର ପ୍ରଚାର, ପ୍ରସାର ଓ ସଂରକ୍ଷଣ ଏବଂ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଆଭିମୁଖ୍ୟ ନେଇ ଗାଁ ଗାଁରେ ପ୍ରଚାର କରାଯିବ। ଲୋକାର୍ପଣ ଉତ୍ସବକୁ ଯେପରି ରାଜ୍ୟବାସୀ ଦେଖିପାରିବେ ସେଥିପାଇଁ ପଞ୍ଚାୟତ ସ୍ତରରେ ଏଲ୍ଇଡି ଟିଭି ଲଗାଯାଇ ଲୋକାର୍ପଣ ଉତ୍ସବର ସିଧା ପ୍ରସାରଣ କରାଯିବ। ଏହିସବୁ କାର୍ଯ୍ୟକ୍ରମ ପାଇଁ ରାଜ୍ୟ ସରକାର ୧୩୫କୋଟି ୮୮ଲକ୍ଷ ଟଙ୍କା ଖର୍ଚ୍ଚ କରିବେ। ଏହାବାଦ୍ ରାଜ୍ୟର ପ୍ରତ୍ୟେକ ଗାଁର ଲୋକ ଯେପରି ଏହି ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବରେ ସାମିଲ୍ ହେବେ ସେଥିପାଇଁ ରାଜ୍ୟ ସରକାର ପ୍ରତି ଗ୍ରାମପଞ୍ଚାୟତରୁ ଲୋକଙ୍କୁ ସ୍ବତନ୍ତ୍ର ଗାଡ଼ିରେ ପୁରୀ ଆଣିବେ।
ଗାଁ ଗାଁରେ ବୁଲିବ ଶ୍ରୀ ଜଗନ୍ନାଥ ପ୍ରଚାର ରଥ
ପ୍ରତି ପଞ୍ଚାୟତରୁ ଲୋକଙ୍କୁ ପୁରୀ
ଅଣାଯିବ, ଖର୍ଚ୍ଚ ହେବ ୨୦କୋଟି
୨୦୦କୋଟି ବଢ଼ିଲା ‘ଆମ
ଓଡ଼ିଶା ନବୀନ ଓଡ଼ିଶା’ ବଜେଟ୍
ସେମାନଙ୍କ ରହିବା ଓ ଖାଇବା ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ। ଏଥିପାଇଁ ୨୦କୋଟି ଖର୍ଚ୍ଚ ହେବ। ୧୭ ତାରିଖ ପରେ ପ୍ରତ୍ୟେକ ବ୍ଲକରୁ ବଛାବଛା ଲୋକଙ୍କୁ ପୁରୀ ଆଣି ଜଗନ୍ନାଥ ଦର୍ଶନ ସହ ପରିକ୍ରମା ପ୍ରକଳ୍ପ ଦେଖାଯିବ। ଏହି ସମସ୍ତ କାର୍ଯ୍ୟକ୍ରମ ‘ଆମ ଓଡ଼ିଶା ନବୀନ ଓଡ଼ିଶା’ ପ୍ରୟାସ ଅନ୍ତର୍ଗତ ହେବ। ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ ବୈଠକରେ ଏହି ପ୍ରସ୍ତାବ ସମେତ ୧୦ଟି ବିଭାଗର ୧୩ଟି ପ୍ରସ୍ତାବକୁ ପାରିତ କରାଯାଇଛି ବୋଲି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ପ୍ରଦୀପ ଅମାତ ଏବଂ ମୁଖ୍ୟ ସଚିବ ପ୍ରଦୀପ କୁମାର ଜେନା ସୂଚନା ଦେଇଛନ୍ତି। ଏବେ ରାଜ୍ୟର ୬୭୯୪ଟି ଗ୍ରାମପଞ୍ଚାୟତରେ ‘ଆମ ଓଡ଼ିଶା ନବୀନ ଓଡ଼ିଶା’ କାର୍ଯ୍ୟକ୍ରମରେ ଗ୍ରାମାଞ୍ଚଳର ସର୍ବାଙ୍ଗୀନ ବିକାଶ ପାଇଁ ପଞ୍ଚାୟତସ୍ତରରେ ପ୍ରାଥମିକ ଶିକ୍ଷାର ଉନ୍ନତୀକରଣ, ସାଂସ୍କୃତିକ ଭିତ୍ତିଭୂମିର ବିକାଶ, ବିଭିନ୍ନ ଗୋଷ୍ଠୀଭିତ୍ତିକ ଆବଶ୍ୟକ ପ୍ରକଳ୍ପ, ମିସନ ଶକ୍ତି ଗୃହ, ଡିଜିଟାଲ ସେବା ନିମନ୍ତେ ଆବଶ୍ୟକ ଭିତ୍ତିଭୂମିର ବିକାଶ ଏବଂ ଅନ୍ୟାନ୍ୟ ଆନୁଷଙ୍ଗିକ ପ୍ରକଳ୍ପ/ପ୍ରସ୍ତାବକୁ କେନ୍ଦ୍ର କରି ପ୍ରତ୍ୟେକ ପଞ୍ଚାୟତ ପାଇଁ ଯୋଜନା ପ୍ରସ୍ତୁତ କରାଯିବ। ଏହି ପ୍ରକଳ୍ପକୁ ସଂପୃକ୍ତ ଗ୍ରାମବାସିନ୍ଦା, ନିର୍ବାଚିତ ପଞ୍ଚାୟତିରାଜ ପ୍ରତିଷ୍ଠାନ ସଦସ୍ୟ, ସ୍ବୟଂସହାୟକ ଗୋଷ୍ଠୀ ସଦସ୍ୟ, ବିଭିନ୍ନ ଗୋଷ୍ଠୀ ସଙ୍ଗଠନର ସଦସ୍ୟ, ଅନ୍ୟାନ୍ୟ ବିଭାଗୀୟ ଅଧିକାରୀଙ୍କଠାରୁ ଗ୍ରହଣ କରାଯାଇ ଗ୍ରାମପଞ୍ଚାୟତ ସହ ପରାମର୍ଶ କରି ଏହାକୁ ସଙ୍କଳନ କରାଯିବ। ଏହାକୁ ଚୂଡ଼ାନ୍ତ ରୂପ ଦେବାପାଇଁ ଗ୍ରାମପଞ୍ଚାୟତସ୍ତରୀୟ ବୈଠକରେ ଅନୁମୋଦିତ କରାଯିବ। ଏହାପରେ ପ୍ରସ୍ତାବିତ ପ୍ରକଳ୍ପ ତାଲିକା ସରକାରଙ୍କ ଅନୁମୋଦନ ପାଇଁ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗକୁ ପଠାଯିବ। ଏଥିପାଇଁ ଗ୍ରାମପଞ୍ଚାୟତସ୍ତରୀୟ ସଭା/ବୈଠକ ଜାନୁଆରି ୧୫ରୁ ଫେବ୍ରୁଆରି ମାସର ପ୍ରଥମ ସପ୍ତାହ ମଧ୍ୟରେ ଅନୁଷ୍ଠିତ ହେବ ବୋଲି ନିଷ୍ପତ୍ତି ହୋଇଛି। ଏହି କାର୍ଯ୍ୟକ୍ରମର ଯୋଜନା ପ୍ରସ୍ତୁତ କରିବା ଏବଂ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନାକୁ ଗ୍ରାମାଞ୍ଚଳରେ ପ୍ରଚାରପ୍ରସାର କରିବାକୁ ପ୍ରତି ପଞ୍ଚାୟତକୁ ୩ଲକ୍ଷ ଟଙ୍କା ହିସାବରେ ୬୭୯୪ଟି ପଞ୍ଚାୟତକୁ ୨୦୩କୋଟି ୮୨ଲକ୍ଷ ଟଙ୍କା ପ୍ରଦାନ କରାଯିବ। ଏଥିପାଇଁ ‘ଆମ ଓଡ଼ିଶା ନବୀନ ଓଡ଼ିଶା’ ବଜେଟ୍ ଆଉ ୨୦୦କୋଟି ଟଙ୍କା ବଢ଼ାଯାଇ ୪୨୦୦କୋଟି ଟଙ୍କା କରାଯାଇଛି।