ବିଶ୍ବଜିତ ଦାଶ
ଭୁବନେଶ୍ବର: ଟୋକିଓ ଅଲିମ୍ପିକ୍ସରେ ଭାରତର ସଫଳତା ପରେ ରାଜ୍ୟ ସରକାର ଉତ୍ସାହିତ ହୋଇ କହିଲେ ପ୍ରତି ସହର ଓ ଗାଁରୁ କ୍ରୀଡ଼ାବିତଙ୍କୁ ଅଲିମ୍ପିକ୍ସ ପାଇଁ ପ୍ରସ୍ତୁତ କରାଯିବ। ଏଥିପାଇଁ ରାଜ୍ୟରେ ୮୯ଟି ବହୁମୁଖୀ ଇନଡୋର୍ ହଲ୍ ନିର୍ମାଣ କରାଯିବ। ଅଗଷ୍ଟ ୯, ୨୦୨୧ରେ ରାଜ୍ୟ କ୍ୟାବିନେଟ୍ ଏହି ଯୋଜନାରେ ମୋହର ମାରିଲା। ଘୋଷଣା କରାଗଲା ଦେଢ଼ ବର୍ଷ ଭିତରେ (ଫେବ୍ରୁଆରି, ୨୦୨୩ ସୁଦ୍ଧା) ସମସ୍ତ ବହୁମୁଖୀ ଇନଡୋର୍ ହଲ୍ ନିର୍ମାଣ ସରିବ। ଏହାପରେ ଅଲିମ୍ପିକ୍ସରେ ଯେପରି ଓଡ଼ିଶାରୁ ଅଧିକ ପ୍ରତିଯୋଗୀ ସ୍ଥାନ ପାଇବେ ସେନେଇ ପ୍ରଶିକ୍ଷଣ ଦିଆଯିବ। ବିଡମ୍ବନାର ବିଷୟ ୨୦୨୪ରେ ହେବାକୁ ଥିବା ପ୍ୟାରିସ୍ ଅଲିମ୍ପିକ୍ସର ଯୋଗ୍ୟତା ପର୍ଯ୍ୟାୟ ପାଇଁ ଏଠାରେ କେହି ପ୍ରସ୍ତୁତ ହୋଇପାରିଲେନି। ଏପରିକି ଏହି ଯୋଜନାର ଅଗ୍ରଗତି ଦେଖିଲେ ଲାଗୁନି, ୨୦୨୮ରେ ଲସ୍ ଏଞ୍ଜେଲ୍ସରେ ହେବାକୁ ଥିବା ଅଲିମ୍ପିକ୍ସରେ ଭାଗ ନେବା ପାଇଁ ଓଡ଼ିଶାରୁ କେହି ଏହି ବହୁମୁଖୀ ଇନଡୋର୍ ହଲ୍ରେ ପ୍ରସ୍ତୁତ ହୋଇପାରିବେ।
ବହୁମୁଖୀ ଇନଡୋର୍ ହଲ୍ରେ କ୍ରୀଡ଼ାବିତ୍ଙ୍କ ପାଇଁ ବ୍ୟାଡମିଣ୍ଟନ, ଟେନିସ୍, ଟେବୁଲ୍ ଟେନିସ୍, ଜିମ୍ନାସିୟମ ଭଳି ବିଭିନ୍ନ ଇନଡୋର୍ ଖେଳର ଭିତ୍ତିଭୂମି ରହିବ। େକବଳ ଖେଳ ପାଇଁ ନୁହେଁ, ବାତ୍ୟା, ବନ୍ୟାପ୍ରବଣ ରାଜ୍ୟରେ ଯେପରି ଏହାକୁ ଆଶ୍ରୟସ୍ଥଳୀ ଭାବେ ବ୍ୟବହାର କରାଯାଇପାରିବ, କରୋନା ଭଳି ବିଭିନ୍ନ ମହାମାରୀ ସମୟରେ ହସ୍ପିଟାଲ ଭଳି ବ୍ୟବହାର କରିହେବ ସେନେଇ ବି ଏଠାରେ ଆବଶ୍ୟକ ବ୍ୟବସ୍ଥା କରିବାକୁ ଯୋଜନା ହୋଇଛି। ଧାର୍ଯ୍ୟ ସମୟରେ ଯେପରି କାମ ସରିବ ସେଥିପାଇଁ ଏକସଙ୍ଗେ ୬୯୩କୋଟି ୩୫ଲକ୍ଷ ଟଙ୍କାର ବଜେଟ ବି ମଞ୍ଜୁର ହୋଇଗଲା। ଗତ ଫେବ୍ରୁଆରିରେ ଧାର୍ଯ୍ୟ ଅବଧି ପୂରଣ ହୋଇଛି। ହେଲେ ଗୋଟିଏ ବି ପ୍ରକଳ୍ପ ସଂପୂର୍ଣ୍ଣ ହୋଇନି। କେବଳ ଏତିକି ନୁହେଁ, ଏବେ ସୁଦ୍ଧା ୪ଟି ବହୁମୁଖୀ ଇନଡୋର୍ ହଲ୍ ନିର୍ମାଣ କାମ ଆରମ୍ଭ ହୋଇପାରିନି। ଯେଉଁ ୮୫ଟିର କାମ ଚାଲିଛି ସେଥିରୁ ବହୁ ସ୍ଥାନରେ ଡିଜାଇନ୍ରେ ତ୍ରୁଟି ନେଇ ଅଭିଯୋଗ ଆସିଛି। କ୍ରୀଡ଼ା ବିଭାଗ ଯେଉଁ ଡିଜାଇନ୍ ଏବଂ ଯେପରି ଏହି ବହୁମୁଖୀ ଇନଡୋର୍ ହଲ୍ଗୁଡ଼ିକୁ ନିର୍ମାଣ କରିବାକୁ କହିଥିଲା ତାହାକୁ କିଛି ସ୍ଥାନରେ ଠିକାସଂସ୍ଥା ବଦଳାଇ ଦେଇଥିବା ନେଇ କାମ ଯାଞ୍ଚ ସମୟରେ ଜାଣିବାକୁ ମିଳିଛି। ଯାହାକୁ ନେଇ ପୂର୍ତ୍ତ ବିଭାଗର ମୁଖ୍ୟ ଯନ୍ତ୍ରୀ ଓ ସର୍ବୋଚ୍ଚ ଯନ୍ତ୍ରୀଙ୍କୁ ଚିଠି ଆସିଥିଲେ ବି କେହି ଏହା ଉପରେ ପଦକ୍ଷେପ ନେଉନାହାନ୍ତି।
ଅପରପକ୍ଷେ ବହୁମୁଖୀ ଇନଡୋର୍ ହଲ୍ ପ୍ରକଳ୍ପ ଯେପରି ଧାର୍ଯ୍ୟ ସମୟରେ େଶଷ ହେବ ସେନେଇ ମୁଖ୍ୟ ସଚିବଙ୍କୁ ନିୟମିତ କାର୍ଯ୍ୟ ସମୀକ୍ଷା କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ପୂର୍ବତନ ମୁଖ୍ୟ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ପ୍ରକଳ୍ପ ଘୋଷଣାର ବର୍ଷକ ପରେ ଏହାର ସ୍ଥିତି ସମୀକ୍ଷା କରିବା ବେଳେ ଜାଣିବାକୁ ମିଳିଥିଲା ଯେ କୌଣସି ଗୋଟିଏ ବି ପ୍ରକଳ୍ପ ୧୦% କାର୍ଯ୍ୟ ହୋଇନଥିଲା। ଯେଉଁ ସ୍ଥାନରେ ଆଖିଦୃଶିଆ କାମ ଆଗେଇନଥିଲା ସେଠାକାର ଅଧୀକ୍ଷଣ ଯନ୍ତ୍ରୀଙ୍କୁ କାରଣ ଦର୍ଶାଅ ନୋଟିସ୍ ହୋଇଥିଲା। ଏପରିକି ବହୁମୁଖୀ ଇନଡୋର୍ ହଲ୍ ପ୍ରକଳ୍ପରେ ଗୁଣାବତ୍ତାକୁ ଉଲ୍ଲଂଘନ କରାଯାଉଥିବା ନେଇ ଅଭିଯୋଗ ଆସିଥିବାରୁ ଏହାକୁ ଯାଞ୍ଚ କରିବାକୁ ପୂର୍ତ୍ତ ବିଭାର ସର୍ବୋଚ୍ଚ ଯନ୍ତ୍ରୀ ଓ ମୁଖ୍ୟ ଯନ୍ତ୍ରୀଙ୍କୁ କୁହାଯାଇଥିଲା। ଆଗାମୀ ସମୀକ୍ଷା ବେଳକୁ ସମସ୍ତ ପ୍ରକଳ୍ପ କାର୍ଯ୍ୟ ନେଇ ରିପୋର୍ଟ ଦେବାକୁ କୁହାଯାଇଥିଲା। ହେଲେ ଏହାପରେ ଆଉ ମୁଖ୍ୟ ସଚିବଙ୍କ ସମୀକ୍ଷା ବୈଠକ ହେଲାନି କି ବିଭାଗର ପ୍ରମୁଖସଚିବ ଏ ନେଇ ଥରଟିଏ ବି ସମୀକ୍ଷା କରିନାହାନ୍ତି।
ଏନେଇ ପୂର୍ତ୍ତ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ମନୋରଂଜନ ମିଶ୍ରଙ୍କୁ ଯୋଗାଯୋଗ କରିବାରୁ ସେ କହିଛନ୍ତି ଯେ, ଆମର ପ୍ରାୟ ୩୦ରୁ ୩୫ଟି ବହୁମୁଖୀ ଇନଡୋର୍ ହଲ୍ ପ୍ରକଳ୍ପର କାମ ଶେଷ ହୋଇଗଲାଣି। ବାକି ୨୦ରୁ ୨୫ଟି ଆଗାମୀ ମାସେ ଦୁଇ ମାସ ମଧ୍ୟରେ ଶେଷ ହେବ। ବାକି ୧୦ରୁ ୧୫% ପ୍ରକଳ୍ପ ବିଳମ୍ବ ହେବ। ଯେଉଁ ୪ଟିର କାମ ଆରମ୍ଭ ହୋଇନି ସେନେଇ କୋର୍ଟରେ ମାମଲା ଅଛି। ବହୁମୁଖୀ ଇନଡୋର୍ ହଲ୍ ପ୍ରକଳ୍ପ ପାଇଁ ଜର୍ମାନ, କାନପୁର, ପୁଣେ ଆଦି ସ୍ଥାନରୁ ବିଭିନ୍ନ ସାମଗ୍ରୀ ଆସୁଥିବାରୁ କାର୍ଯ୍ୟ ବିଳମ୍ବ ହେଉଛି। ନିକଟରେ ଡ୍ରାଇଭରଙ୍କ ଆନ୍ଦୋଳନ ଯୋଗୁଁ କାମ ୭ରୁ ୮ଦିନ ବିଳମ୍ବ ହୋଇଯିବ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/05/tokyoolympics_0_1200x768_1200x768.jpeg)