‌ପ୍ରେରଣା ପାଳିଲା ସୌମ୍ୟରଂଜନଙ୍କ ଜନ୍ମଦିନ : ପ୍ରତିକୂଳ ପରିବେଶ ବିଜୟର ବାଟ ବତାଏ

ଭୁବନେଶ୍ବର : ପ୍ରତିକୂଳ ପରିବେଶକୁ ଧୈର୍ଯ୍ୟର ସହ ମୁକାବିଲା କରି ଶିଖିବା ଉଚିତ୍। କାରଣ ପ୍ରତିକୂଳ ପରିବେଶ‌ରେ ହିଁ ଛପି ରହିଥାଏ ବିଜୟର ବାଟ। ଜନ୍ମଦିନର ଅବ୍ୟବହିତ ପୂର୍ବରୁ ସ୍ବେଚ୍ଛାସେବୀ ସଂଗଠନ ‘ପ୍ରେରଣା’ ପକ୍ଷରୁ ବରମୁଣ୍ଡାସ୍ଥିତ ହୋଟେଲ ଚନ୍ଦନରେ ଆୟୋଜିତ ଏକ ଶୁଭେଚ୍ଛା ଓ ସମ୍ବର୍ଧନା ସଭା‌ରେ ଖଣ୍ଡପଡ଼ା ବିଧାୟକ ତଥା ‘ସମ୍ବାଦ’ର ସମ୍ପାଦକ ସୌମ୍ୟରଞ୍ଜନ ପଟ୍ଟନାୟକ ଏହା କହିଛନ୍ତି। ୬୦ବର୍ଷ ବୟସ ପରେ ଏକ ନୂଆ ଜୀବନ ଆରମ୍ଭ ହୁଏ ଓ ଏହି ବୟସରେ ଏକଲାପଣ ମଣିଷକୁ ସବୁଠ‌ାରୁ କ୍ଷତି ପହଞ୍ଚାଇଥାଏ। ମାତ୍ର ନିଜ ଭିତରର ଯୁବ ସୁଲଭତା ବଳରେ ନିଜକୁ ବ୍ୟସ୍ତବହୁଳ କାର୍ଯ୍ୟକ୍ରମ ଭିତରେ ସାମିଲ୍ କରାଇ ପାରିଲେ ଏହି ଏକଲାପଣ ଦୂର ହୋଇଥାଏ ଓ ଜୀବନ ମଧୁରମୟ ହୋଇଥାଏ ବୋଲି ସେ କହିଥିଲେ।

ପ୍ରେରଣାର ଅଧ୍ୟକ୍ଷ ତଥା ଖୋର୍ଧାର ପୂର୍ବତନ ବିଧାୟକ ଡ.ଦିଲ୍ଲୀପ ଶ୍ରୀଚନ୍ଦନଙ୍କ ଅଧ୍ୟକ୍ଷତାରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ପ୍ରାରମ୍ଭରେ ସମସ୍ତେ ଶ୍ରୀ ପଟ୍ଟନାୟକଙ୍କୁ ପୁଷ୍ପଗୁଚ୍ଛ ଦେଇ ଜନ୍ମଦିନର ଶୁଭେଚ୍ଛା ଜ୍ଞାପନ କରିଥିଲେ। ଶ୍ରୀ ଶ୍ରୀଚନ୍ଦନ ତାଙ୍କ ପ୍ରାରମ୍ଭିକ ବକ୍ତବ୍ୟରେ ଶ୍ରୀ ପଟ୍ଟନାୟକଙ୍କ ସଫଳ ଜୀବନ ଉପ‌ରେ ଆଲୋକପାତ କରିଥିଲେ। ବନାରସ ହିନ୍ଦୁ ବିଶ୍ବବିଦ୍ୟାଳୟରେ ଅଧ୍ୟାପନା ପରେ ଖବରକାଗଜ ପ୍ରତିଷ୍ଠାଠାରୁ ଆରମ୍ଭ କରି ଓଡ଼ିଆ ଭାଷା ସୁରକ୍ଷା ଅଭିଯାନ, ରକ୍ତଦାନ ଅଭିଯାନ, ଚଳଚ୍ଚିତ୍ର ନିର୍ମାଣ ଆଦି କ୍ଷେତ୍ରରେ ଶ୍ରୀ ପଟ୍ଟନାୟକଙ୍କ ଜୟଯାତ୍ରା ଉପରେ ସେ କହିଥିଲେ। ଗରିବ ମେଧାବୀ ପିଲାଙ୍କୁ ମେଧା ବୃତ୍ତି ଯୋଗାଇ ଶିକ୍ଷା କ୍ଷେତ୍ରରେ ବଡ଼ ଅବଦାନ ରଖୁଥିବାରୁ ବିଧାୟକ ଶ୍ରୀ ପଟ୍ଟନାୟକ ଜଣେ ବିସ୍ମୟ ପ୍ରତିଭା ବୋଲି ଅନ୍ୟତମ ଅତିଥି ବରିଷ୍ଠ ସାମ୍ବାଦିକ ପ୍ରଦ୍ୟୁମ୍ନ ଶତପଥୀ କହିଥିଲେ। ଉତ୍କଳ ସଂସ୍କୃତି ବିଶ୍ବବିଦ୍ୟାଳୟର ପୂର୍ବତନ କୁଳପତି ଡ. ବିମଳେନ୍ଦୁ ମହାନ୍ତି ମଧ୍ୟ ଶ୍ରୀ ପଟ୍ଟନାୟକଙ୍କୁ ଜଣେ ବହୁମୁଖୀ ପ୍ରତିଭା ବୋଲି ବର୍ଣ୍ଣନା କରିଥିଲେ। ଏହି ଅବସରରେ ଶିକ୍ଷାବିତ୍‌ ମେଜର ସରୋଜ ତ୍ରିପାଠୀ, ପ୍ରକାଶ ଶ୍ରୀଚନ୍ଦନ, ସମାଜସେବୀ ଚନ୍ଦନ ଦଳସିଂହରାୟ, ଦେବରାଜ ବୈରିଶଲ୍ୟ, ଅନୁରାଧା ଦାଶ, ବିଶିଷ୍ଟ ଓଡ଼ିଶୀ ନୃତ୍ୟଶିଳ୍ପୀ ଅଭୀପ୍ସା ଭଞ୍ଜ, ଅଭିନେତ୍ରୀ ଲିଜା ଶ୍ରୀଚନ୍ଦନ, ସିଟି କ୍ଲବର ସମ୍ପାଦକ ପ୍ରଦୀପ ରାଉତରାୟ, ପୂର୍ବତନ କର୍ପୋରେଟର୍‌ ନବ ବେହେରା, ସାହିତ୍ୟିକ ଜଲିଲ୍‌ ଖାଁ, କବି ନଟବର ସାହୁ, ଅଧ୍ୟାପକ ନିରଦ ଖୁଣ୍ଟିଆ, ଚଳଚ୍ଚିତ୍ର ପ୍ର‌ଯୋଜକ ପ୍ରମୋଦ ସ୍ବାଇଁ, ଦୁନ୍ଦୁଭି ପତ୍ରିକାର ସମ୍ପାଦକ ବନବିହାରୀ ପଟ୍ଟନାୟକ, ପତ୍ରିକା ଓଡ଼ିଆ ପର୍ବର ସମ୍ପାଦକ ସନ୍ତୋଷ ତ୍ରିପାଠୀ, ସମାଜସେବୀ ନମିତା ପାଲ୍‌ ପ୍ରମୁଖ ଶ୍ରୀ ପଟ୍ଟନାୟକଙ୍କ ଜୀବନର ବିଭିନ୍ନ ଦିଗ ଉପ‌ରେ ରେଖାପାତ କରିଥିଲେ। ଶେଷରେ କଣ୍ଠଶିଳ୍ପୀ ଜୟଶ୍ରୀ ଧଳ ସଂଗୀତ ପରିବେଷଣ କରିଥିଲେ।

ସମ୍ବନ୍ଧିତ ଖବର