ଆଜିଠୁ ପ୍ରିକସନ୍ ଡୋଜ୍: ରାଜ୍ୟ ପାଖରେ ନାହିଁ ଆବଶ୍ୟକ ଟିକା

୧୭ ସୁଦ୍ଧା ଆବଶ୍ୟକ ଟିକା ପରିମାଣ ପଠାଇବାକୁ କେନ୍ଦ୍ରର ନିର୍ଦେଶ, କଲେଜ, ସହରାଞ୍ଚଳରେ ପ୍ରିକସନ୍ ଡୋଜ୍ ଟିକାକରଣକୁ ଗୁରୁତ୍ବ

ଭୁବନେଶ୍ବର: ଆସନ୍ତାକାଲିଠାରୁ ରାଜ୍ୟରେ ୧୮-୫୯ବର୍ଗର ଲୋକଙ୍କ ମାଗଣା ପ୍ରିକସନ୍ ଡୋଜ୍ ଟିକାକରଣ ଆରମ୍ଭ ହେବ। କେନ୍ଦ୍ର ସରକାର ଏହି ଘୋଷଣା କରିବା ପରେ ରାଜ୍ୟ ସରକାର ଏଥିପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ରାଜ୍ୟର ୨୫ଶହ ଟିକାକରଣ କେନ୍ଦ୍ରରେ ପ୍ରିକସଜ୍ ଡୋଜ୍ ଟିକା ପ୍ରଦାନ କରାଯିବ। ୧୮ବର୍ଷରୁ ଅଧିକ ଲୋକଙ୍କ ପାଇଁ ଏହି ଘୋଷଣା ହୋଇଥିବାରୁ କଲେଜ ଓ ଅନ୍ୟ ସ୍ଥାନ‌ରେ ସ୍ବତନ୍ତ୍ର କ୍ୟାମ୍ପ୍ କରାଯିବ। ଏହାସହ ସହରାଞ୍ଚଳରେ ମଧ୍ୟ ପ୍ରିକସନ୍ ଡୋଜ୍ ଟିକାକରଣରୁ ଯଥାଶୀଘ୍ର ଶେଷ କରିବା ଉପରେ କେନ୍ଦ୍ର ସରକାର ଗୁରୁତ୍ବ ଦେଇଛନ୍ତି।

ପ୍ରିକସନ୍ ଡୋଜ୍ ଟିକାକରଣକୁ ନେଇ ଆଜି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସବୁ ରାଜ୍ୟମାନଙ୍କ ସହିତ ବୈଠକ ବସିଥିଲା। ଏଥିରେ କିଭଳି ଢଙ୍ଗରେ ଟିକାକରଣ କରାଯିବ ଓ ଟିକାକରଣର ଆବଶ୍ୟକତା ଉପରେ ଆଲୋଚନା କରାଯାଇଛି। ପୂର୍ବରୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ୬୦ବର୍ଷରୁ ଅଧିକ ବୟସ୍କଙ୍କ ପାଇଁ ମାଗଣାରେ ପ୍ରିକସନ୍ ଡୋଜ୍ ଟିକାକରଣ କରାଯାଉଥିଲା। ମାତ୍ର ଗତକାଲି କେନ୍ଦ୍ର ସରକାର ୧୮ବର୍ଷରୁ ୫୯ବର୍ଷଙ୍କ ପାଇଁ ମାଗଣାରେ ଏହି ଟିକା ଦେବାକୁ ‌ଘୋଷଣା କରିବା ପରେ ରାଜ୍ୟବ୍ୟାପୀ ଟିକାର ସଂକଟ ସୃଷ୍ଟି ହୋଇଛି। ରାଜ୍ୟରେ ଏହି ବର୍ଗରେ ୨.୬୫ କୋଟି ଲୋକ ରହିଛନ୍ତି। ମାତ୍ର ରାଜ୍ୟ ନିକଟରେ ଏବେ ୧୪/୧୫ଲକ୍ଷ ଟିକା ମହଜୁଦ ରହିଛି। ତେଣୁ ଆସନ୍ତା ୧୭ତାରିଖ ସୁଦ୍ଧା ରାଜ୍ୟବ୍ୟାପୀ ଟିକାର ଆବଶ୍ୟକତା ବା ଇଣ୍ଡେଣ୍ଟ୍‌ ପ୍ରଦାନ କରିବା ଲାଗି ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି।

ରାଜ୍ୟ କରୋନା ଟିକାକରଣ ନୋଡାଲ ଅଧିକାରୀ ଡା.ବିଜୟ ପାଣିଗ୍ରାହୀ କହିଛନ୍ତି, ଦ୍ବିତୀୟ ଡୋଜ୍ ସାର୍ଟିଫିକେଟ୍ କିମ୍ବା ଯେଉଁ ମୋବାଇଲ ନମ୍ବର ପଞ୍ଜୀକରଣ ହୋଇଛି ସେହି ନମ୍ବର ଅନୁଯାୟୀ ନିଜର ଷ୍ଟାଟସ୍ ବା ସ୍ଥିତି ଜାଣିପାରିବେ। ଯେଉଁମାନଙ୍କର ଦ୍ବିତୀୟ ଡୋଜ୍ ଟିକା ନେଇ ସାରିଥିବା ଅବଧି ୬ମାସ ହୋଇଥିବା ସେମାନେ ପ୍ରିକସନ୍ ଡୋଜ୍ ନେଇପାରିବେ। ଆଜି ମଧ୍ୟରାତ୍ରରୁ କେନ୍ଦ୍ର ସରକାର କେ-ୱିନ୍ ଆପ୍‌କୁ ଆକ୍ଟିଭେଟ୍‌ କରିବେ। ଯେହେତୁ ବୟସ୍କଙ୍କ ଗ୍ରୁପ୍‌ରେ ପ୍ରିକସନ୍ ଡୋଜ୍ ଦିଆଯିବ ସେଥିପାଇଁ କଲେଜ୍ ଓ ଅନ୍ୟ ସ୍ଥାନରେ ଟିକାକରଣ ଅଧିବେଶନ ଅନୁଷ୍ଠିତ ହେବ। ଏହାସହ ସହରାଞ୍ଚଳରେ କରୋନା ସଂଖ୍ୟା ବଢ଼ୁଥିବାରୁ ଏଠାରେ ପ୍ରିକସନ୍ ଡୋଜ୍‌କୁ ଯଥାଶୀଘ୍ର ଶେଷ କରିବା ଉପରେ ଗୁରୁତ୍ବ ଦିଆଯାଇଛି। ପ୍ରିକସନ୍ ଡୋଜ୍ ପାଇଁ ରାଜ୍ୟ ସରକାରଙ୍କ ପାଖରେ ଆବଶ୍ୟକ ସଂଖ୍ୟକ ଟିକା ନାହିଁ। ତେଣୁ ୧୭ତାରିଖ ସୁଦ୍ଧା ଆବଶ୍ୟକ ଟିକା ସଂପର୍କରେ କେନ୍ଦ୍ରକୁ ଜଣାଇବାକୁ କୁହାଯାଇଥିବା ଡା.ପାଣିଗ୍ରାହୀ କହିଛନ୍ତି। ରାଜ୍ୟରେ ୧୨-୧୪ବର୍ଗରେ ୯୮ ପ୍ରତିଶତ ନିଜର ପ୍ରଥମ ଡୋଜ୍ ନେଇ ସାରିଥିବା ବେଳେ ୭୨ ପ୍ରତିଶତ ଦ୍ବିତୀୟ ଡୋଜ୍ ନେଇଛନ୍ତି। ସେହିପରି ୧୫-୧୭ବର୍ଗରେ ୯୨ ପ୍ରତିଶତ ନିଜର ପ୍ରଥମ ଓ ୮୨ ପ୍ରତିଶତ ଦ୍ବିତୀୟ ଡୋଜ୍ ନେଇଛନ୍ତି। ୧୮ବର୍ଷରୁ ଅଧିକ ୯୬ ପ୍ରତିଶତ ପ୍ରଥମ ଓ ୯୦ ପ୍ରତିଶତ ଦ୍ବିତୀୟ ଡୋଜ୍ ନେଇ ସାରିଛନ୍ତି। ଏହାସହ ପ୍ରାୟ ୨୮ ପ୍ରତିଶତ ସ୍ବାସ୍ଥ୍ୟକର୍ମୀ, ସମ୍ମୁଖ ଯୋଦ୍ଧା ଓ ବରିଷ୍ଠ ନାଗରିକ ନିଜର ପ୍ରକିସନ୍ ଡୋଜ୍ ନେଇ ସାରିଲେଣି।

ସମ୍ବନ୍ଧିତ ଖବର