ଭଦ୍ରକ: କୋର୍ଟରେ ଜଣେ ଅଧିବକ୍ତା ସର୍ବପ୍ରଥମେ ବିଚାରପତିଙ୍କ ମାନସିକତାକୁ ପଢିବା ଦରକାର। କୋର୍ଟରେ ଅଧିବକ୍ତା ନିଜ ପକ୍ଷଙ୍କ ସପକ୍ଷରେ ଯୁକ୍ତି ବାଢିବା ସମୟରେ ତାଙ୍କର ଉପସ୍ଥାପନା ଶୈଳୀ ତାଙ୍କର ପରିପକ୍ୱତା ଏବଂ ବରିଷ୍ଠତାର ପ୍ରମାଣ ବହନ କରେ। ଅାଇନଜୀବୀଙ୍କ ପ୍ରତି ଉତ୍କଳ ଗୌରବ ମଧୁସୂଦନଙ୍କ ତ୍ୟାଗ ଭଳି ନିରାକାର ଜେନାଙ୍କ ବିଚାର ବିଭାଗ ପ୍ରତି ଅାନୁଗତ୍ୟ ଅନ୍ୟମାନଙ୍କ ପାଇଁ ଉଦାହରଣ।
ନିରାକାର ଜେନା ଭଦ୍ରକର ଗୌରବ ବୋଲି ନିରାକାର ଜେନାଙ୍କ ଜୀବନୀ ପୁସ୍ତକର ଲୋକାର୍ପଣ ଉତ୍ସବରେ ମୁଖ୍ୟଅତିଥି ଭାବେ ଯୋଗ ଦେଇ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଡ. ଜଷ୍ଟିସ୍ ଏସ. ମୁରଲୀଧର କହିଛନ୍ତି। ଭଦ୍ରକ ବାର୍ ଆସୋସିଏସନ୍, ଭଦ୍ରକର ନାଗରିକ ମଞ୍ଚ ଏବଂ ଜିଲ୍ଲା ପ୍ରଗତିଶୀଳ ସାହିତ୍ୟ ପରିଷଦ ଦ୍ୱାରା ଭଦ୍ରକ ସହିଦ୍ ସ୍ମୃତି ଭବନରେ ଅନୁଷ୍ଠିତ ଲୋକାର୍ପଣ ଉତ୍ସବରେ ଭଦ୍ରକ ବାର୍ ଅାସୋସିଏସନର ସଭାପତି ଦିଲ୍ଲୀପ କୁମାର ମହାପାତ୍ର ଅଧ୍ୟକ୍ଷତା କରିଥିବା ବେଳେ ଅଭ୍ୟର୍ଥନା କମିଟିର ଅଧ୍ୟକ୍ଷ ପ୍ରଫେସର ଅଟଳ ବିହାରୀ ନାୟକ ସ୍ବାଗତ ଭାଷଣ ସହିତ ଅତିଥି ପରିଚୟ ପ୍ରଦାନ କରିଥିଲେ।
ଜୀବନୀ ପୁସ୍ତକ ‘ଅାଜୀବନ ସଂଗ୍ରାମୀ ନିରାକାର’ ପୁସ୍ତକର ଲେଖକ ଆଇନଜୀବୀ ଗିରିଧାରୀ ନାଥ ଲେଖକୀୟ ଅଭିବ୍ୟକ୍ତି ପ୍ରଦାନ କରିଥିବା ବେଳେ ପ୍ରଫେସର ବ୍ରଜମୋହନ ମିଶ୍ର ପୁସ୍ତକର ସମୀକ୍ଷା କରିଥିଲେ। ମୁଖ୍ୟବକ୍ତା ଭାବେ ଶିକ୍ଷକନେତା ପ୍ରଫେସର ଡ. ସୁରେନ୍ଦ୍ର ଜେନା ଯୋଗ ଦେଇଥିଲେ।। ଏହି ଅବସରରେ ଅତିଥିମାନଙ୍କୁ ଉପଢୌକନ, ଉତ୍ତରୀୟ ଦେଇ ସମ୍ମାନିତ କରାଯାଇଥିଲା। ଅଧିବକ୍ତା ନିରାକାର ଜେନା ଏବଂ ତାଙ୍କ ଧର୍ମପତ୍ନୀ ମନୋରମା ଜେନା ମଞ୍ଚାସୀନ ହୋଇଥିଲେ। ଉତ୍ସବରେ ଜିଲ୍ଲା ଜଜ୍ ପ୍ରଦ୍ୟୁମ୍ନ କୁମାର ନାୟକ, ଜିଲ୍ଲାପାଳ ତ୍ରିଲୋଦନ ମାଝୀ, ଏସପି ଚରଣ ସିଂ ମୀନାଙ୍କ ସମେତ ସମସ୍ତ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ, ଅଧିକାରୀ କର୍ମଚାରୀ ଓକିଲ, ବୁଦ୍ଧିଜୀବୀ ଯୋଗ ଦେଇଥିଲେ। ରୁଦ୍ରମାଧବ ବାରିକ ଏବଂ ତାଙ୍କ ସାଥୀ ବନ୍ଦେ ଉତ୍କଳ ଜନନୀ ଗାନ କରିଥିଲେ। ଶେଷରେ ଭଦ୍ରକ ବାର୍ ଅାସୋସିଏସନର ସମ୍ପାଦକ ସୂର୍ଯ୍ୟକାନ୍ତ କୁଅଁର ଧନ୍ୟବାଦ ଅର୍ପଣ କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/05/26-1.jpg)
