ପରଲୋକରେ ସୁସଙ୍ଗଠିକା ଓ ଉପସ୍ଥାପିକା ମିନାକ୍ଷୀ ଧର

ବିଭିନ୍ନ ମହଲରେ ଶୋକର ଛାୟା

ରାଉରକେଲା : ଜୀବନ ଯୁଦ୍ଧରେ ହାରି ଯାଇଛନ୍ତି ରାଉରକେଲାର ସୁମାନଧନ୍ୟ ଉପସ୍ଥାପିକା, ସୁସଙ୍ଗଠିକା, ସମାଜସେବୀ ଓ ଗାୟିକା ମିନାକ୍ଷୀ ଧର। ତାଙ୍କୁ ୫୨ ବର୍ଷ ହୋଇଥିଲା। ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଆଜି ପୂର୍ବାହ୍ନ ପ୍ରାୟ ୧୧ଟାରେ ତାଙ୍କର ପରଲୋକ ହୋଇଯାଇଛି। ଗତ ୧୨ ତାରିଖରେ ଛିନ୍ତାଇ ବେଳେ ସ୍କୁଟିରୁ ପଡି ଗୁରୁତର ହୋଇଥିଲେ। ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା। ତାଙ୍କୁ ପ୍ରଥମେ ଇସ୍ପାତ ଜେନେରାଲ ହସ୍ପିଟାଲ (ଆଇଜିଏଚ୍) ଆଇସିୟୁରେ ଭର୍ତ୍ତି କରାଯାଇଥିଲା। ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ବେଦବ୍ୟାସ୍ଥିତ ଜୟ ପ୍ରକାଶ ହସ୍ପିଟାଲ ନିଆଯାଇଥିଲା। ମସ୍ତିଷ୍କର ଅସ୍ତ୍ରୋପଚାର ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଥିଲା। ମାତ୍ର ତାଙ୍କ ସ୍ବାସ୍ଥ୍ୟର କୌଣସି ଉନ୍ନତି ଆସି ନଥିଲା।

ବେଦବ୍ୟାସ ଶ୍ମଶାନ ଘାଟରେ ଶୋକାକୁଳ ପରିବେଶରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଯାଇଛି। ଦୁଇ ଝିଅ ପୂଜା ଓ ପ୍ରାଚୀ ମୁଖାଗ୍ନୀ ଦେଇଥିଲେ। ଅନ୍ତିମ ସଂସ୍କାର କାର୍ଯ୍ୟକ୍ରମରେ ସ୍ୱାମୀ ନଳିନୀକାନ୍ତ ଧର, ସ୍ୱସ୍ଥି ସାହିତ୍ୟ ସଂସଦର ରାଜୀବ ପାଣି, ଡକ୍ଟର ସୁଶାନ୍ତ ପାଣି, ଡକ୍ଟର ଅଜୟ ମିଶ୍ର, ପାରେଶ୍ବର ବିଶ୍ବାଳ, ଆଦର୍ଶ ପାଠାଗାରର ଗୋପୀନାଥ ପଟ୍ଟନାୟକ, ଆର୍‌ଏସ୍‌ପିର ପୂର୍ବତନ ଅଧିକାରୀ ଚନ୍ଦ୍ରଶେଖର ଶତପଥୀ, ପଦ୍ମନାଭ ସାହୁ, ଶୈଳେନ୍ଦ୍ର ମହାନ୍ତି, ଆଇନଜୀବୀ କୈଳାସ ସାବତ, ବବିତା ମହାପାତ୍ର, ଭଞ୍ଜ କଳାକେନ୍ଦ୍ରର ରାଧାକୃଷ୍ଣ ମହାପାତ୍ର, ଇସ୍ପାତ ସାହିତ୍ୟ ସଂସଦର ନୃସିଂହ ଜେନା, ପ୍ରୟାସର ପ୍ରଫୁଲ୍ଲ ସେଠୀ, ଡକ୍ଟର ନିବେଦିତା ଜେନ, ଇସ୍ପାତ ସେଣ୍ଟ୍ରାଲ ମାର୍କେଟର ଶଙ୍କର ଜେନା ପ୍ରମୁଖ ଉପସ୍ଥିତ ଥିଲେ।

ସେ ତାଙ୍କ ସ୍ବାମୀ ବ୍ୟବସାୟୀ ନଳିନୀକାନ୍ତ ଧର, ଦୁଇ ଝିଅ ପୂଜା ଓ ପ୍ରାଚୀଙ୍କୁ ଛାଡି ଯାଇଛନ୍ତି। ମିନାକ୍ଷୀ ଗତ ୧୯୬୯ ଅକ୍ଟୋବର ୨୬ରେ ଦେବଗଡରେ ଜନ୍ମ ଗ୍ରହଣ କରିଥିଲେ। ଦେବଗଡ ଜିଲ୍ଲାରେ ବିଏ ପାସ୍ କରିଥିଲେ। ୧୯୯୩ରେ ସମ୍ବଲପୁରର ନଳିନୀକାନ୍ତ ଧରଙ୍କୁ ବିବାହ କରିଥିଲେ। ସ୍ବାମୀଙ୍କ ନଳିନୀଙ୍କ ସହ ରାଉରକେଲାରେ ରହୁଥିଲେ। ତାଙ୍କ ମୃତ୍ୟୁରେ ସହରର ରାଜନୈତିକ, ସାମାଜିକ ଓ ସାଂସ୍କୃତିକ ସଙ୍ଗଠନ ମହଲରେ ଗଭୀର ଶୋକ ପ୍ରକାଶ ପାଇଛି। ପୂର୍ବତନ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ, ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକ, ରଘୁନାଥପାଲୀ ବିଧାୟକ ସୁବ୍ରତ ତରାଇ, ପୂର୍ବତନ ବିଧାୟକ ତଥା ଜିଲ୍ଲା କଂଗ୍ରେସ ସଭାପତି ଜର୍ଜ ତିର୍କୀ ପ୍ରମୁଖ ଗଭୀର ଶୋକ ବ୍ୟକ୍ତ କରିଛନ୍ତି। ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇଛନ୍ତି। ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ସୁନ୍ଦରଗଡ ସାଂସଦ ଜୁଏଲ ଓରାମ ସୁନ୍ଦରଗଡ ଜିଲ୍ଲା ବିଶେଷ କରି ରାଉରକେଲା ସହର ଜଣେ ସୁନାମଧନ୍ୟ ଉଦ୍‌ଘୋଷିକାଙ୍କୁ ହରାଇଲା। ତାଙ୍କର ଅକାଳ ବିୟୋଗ ରାଉକେଲା ପାଇଁ ଅପୂରଣୀୟ କ୍ଷତି ବୋଲି କହିଛନ୍ତି। ରାଉରକେଲା ବିଧାୟକ ଶ୍ରୀ ନାୟକ ସ୍ବର୍ଗତ ମିନାକ୍ଷୀ ଧର କେବଳ କେବଳ ଜଣେ ଭଲ ଉପସ୍ଥାପିତା ଥିଲେ ତା ନୁହେଁ, ଭଲ ସୁସଙ୍ଗଠନିକା ମଧ୍ୟ ଥିଲେ। ସହରର ପ୍ରତ୍ୟେକ ସାଂସ୍କୃତିକ କାର୍ଯ୍ୟକ୍ରମରେ ତାଙ୍କର ଉପସ୍ଥିତି ରହିଥିଲା। ସହରରେ ପ୍ରତ୍ୟେକ ଅନୁଷ୍ଠାନ ସହିତ ସେ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ଜଡିଥିଲେ। ଏଭଳି ସମୟରେ ସେ ଆମମାନଙ୍କୁ ଛାଡି ଚାଲିଯିବେ, ମୁଁ ଆଦୌ ବିଶ୍ବାସ କରି ପାରୁ ନାହିଁ ବୋଲି କହିଛନ୍ତି।

ଗତ ୨ ଏପ୍ରିଲ ସ୍ଥାନୀୟ ସିଭିକ୍ ସେଣ୍ଟରରେ ଉତ୍କଳ ସାଂସ୍କୃତିକ ପରିଷଦ ପକ୍ଷରୁ ଆୟୋଜିତ ‘ଗରିମା’ ଥିଲା ତାଙ୍କର ଶେଷ କାର୍ଯ୍ୟକ୍ରମ। କେବଳ ରାଉରକେଲା ନୁହେଁ ପଶ୍ଚିମ ଓଡ଼ିଶାର ଜଣେ ଜଣାଶୁଣା ଉପସ୍ଥାପିକା ଭାବେ ବେଶ୍ ପରିଚିତ ଥିଲେ। ନାରୀମାନଙ୍କୁ ଆଗକୁ ବଢ଼ିବା ଓ ସେମାନଙ୍କ ଲୁକ୍କାୟିତ ପ୍ରତିଭାକୁ ଆଗକୁ ଆଣିବାକୁ ସେ ନିଜେ ଗଠନ କରିଥିଲେ ମହିଳା ସଙ୍ଗଠନ ‘ମମତା’। ସେ ସହରର ପ୍ରତିଷ୍ଠିତ ଅନୁଷ୍ଠାନ ଆଦର୍ଶ ପାଠାଗାରର ଉପସଭାନେତ୍ରୀ ଥିଲେ। ଏଥିସହ ଉତ୍କଳ ସାଂସ୍କୃତିକ ପରିଷଦ, ରାଉରକେଲା କଳାକାର ଆସୋସିଏସନ୍, ଓଡ଼ିଶା ମ୍ୟୁଜିକ୍ ଆର୍ଟିଷ୍ଟ ୱେଲଫେୟାର ଆସୋସିଏସନ୍, ଆସ୍ଥା, ୟୁଥ ଭାଇବ୍ରେସନ୍, ୟୁଥ ମୁମ୍ଭେମେଣ୍ଟ ଫେଡେରେସନ୍ ଅଫ୍ ଇଣ୍ଡିଆ (ୱାଏମ୍ଏଫ୍ଆଇ) ସମେତ ସହରର ଶତାଧିକ ସାଂସ୍କୃତିକ ଓ ସାମାଜିକ ସଙ୍ଗଠନର ଜଣେ ସକ୍ରିୟ ସଦସ୍ୟା ଥିଲେ। ସହରର ପ୍ରତ୍ୟେକ ରାଜନୈତିକ, ସାମାଜିକ, ସାଂସ୍କୃତିକ ସଙ୍ଗଠନ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ଉପସ୍ଥାପନା କରିବାକୁ ତାଙ୍କୁ ଖୋଜାପଡିଥାଏ। ତାଙ୍କର ଗୀତ, ଉପସ୍ଥାପନା ଶୈଳୀ ସେ କେବଳ ରାଉରକେଲା ନୁହେଁ ରାଜ୍ୟରେ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରି ପାରିଥିଲେ। ରାଉରକେଲା, ସୁନ୍ଦରଗଡ ସମେତ ରାଜ୍ୟ ଏବଂ ରାଜ୍ୟ ବାହାରୁ ଅନେକ ପୁରସ୍କାର, ସମ୍ମାନ ସାଉଣ୍ଟିଥିଲେ। ସ୍ବର୍ଗତ ମିନାକ୍ଷୀ ଧର ରାଉରକେଲା ଶକ୍ତିନଗରରେ ସ୍ବାମୀ ନଳିନୀକାନ୍ତ ଓ ଦୁଇ ଝିଅ ପୁଜା ଓ ପ୍ରାଚୀଙ୍କ ସହ ରହୁଥିଲେ।

ସମ୍ବନ୍ଧିତ ଖବର