ଭୁବନେଶ୍ବର : ଏପ୍ରିଲ ୧ ଓଡ଼ିଶା ଦିବସ ଉପଲକ୍ଷେ ଓଡ଼ିଶାବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ରାଷ୍ଟପ୍ରତି ଦ୍ରୌପଦୀ ମୁର୍ମୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହାସହ ରାଜ୍ୟବାସୀଙ୍କ ଉତ୍ତମ ସ୍ବାସ୍ଥ୍ୟ ଓ ସମୃଦ୍ଧି କାମନା କରିଛନ୍ତି।
ରାଷ୍ଟ୍ରପତି କହିଛନ୍ତି, ଓଡ଼ିଶା ଦିବସ ଅବସରରେ ରାଜ୍ୟବାସୀଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଜଣାଉଛି। ପ୍ରଚୁର ପ୍ରାକୃତିକ ସଂପଦ, ଦକ୍ଷ ଓ କର୍ମଠ ଲୋକଶକ୍ତି ଆଧାରରେ ଓଡ଼ିଶା, ଆମ ଅର୍ଥ ବ୍ୟବସ୍ଥାର ଗ୍ରୋଥ ଇଞ୍ଜିନ ହେବାର ସାମର୍ଥ୍ୟ ବହନ କରୁଛି। ସେହିପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡ଼ିଶା ଦିବସର ଶୁଭେଚ୍ଛା ଜଣାଇବା ସହିତ ଦେଶର ପ୍ରଗତିରେ ଓଡ଼ିଶା, ଓଡ଼ିଆ ଜନସାଧାରଣ ଓ ସଂସ୍କୃତିର ସମୃଦ୍ଧ ଅବଦାନକୁ ଏହି ଦିନ ଜାଣିବାର ଅବସର ବୋଲି କହିଛନ୍ତି।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି, ସ୍ବତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର ବରେଣ୍ୟ ସାଧକମାନଙ୍କୁ ଓଡ଼ିଶା ଦିବସ ଅବସରରେ ସମ୍ମାନ ଜଣାଉଛି। ଓଡ଼ିଶା ଜାତିର ଅସ୍ମିତା ଓ ସ୍ବାଭିମାନକୁ ବଜାୟ ରଖି ଏକ ନୂତନ ଓଡ଼ିଶା, ଉଚ୍ଚାକାଂକ୍ଷୀ ଓଡ଼ିଶା ଗଠନ ଦିଗରେ ସଂକଳ୍ପବଦ୍ଧ ହୋଇ ଆଗକୁ ବଢ଼ିବା ଲାଗି ମୁଖ୍ୟମନ୍ତ୍ରୀ ଆହ୍ବାନ କରିଛନ୍ତି।
କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ କହିଛନ୍ତି ଯେ ପ୍ରାଚୀନ ମନ୍ଦିର, ସମୃଦ୍ଧ ସାଂସ୍କୃତିକ ଐତିହ୍ୟ, ସୁନ୍ଦର ହୃଦୟର ଲୋକ ଓ ସବୁଜିମାରେ ଭରପୁର ଜଙ୍ଗଲ ସହିତ ଓଡ଼ିଶା ଭାରତର ସ୍ବାଭିମାନର ମୁକୁଟ ଉପରେ ଶୋଭା ପାଉଥିବା ଏକ ଅମୂଲ୍ୟ ରତ୍ନ। ମହାପ୍ରଭୁ ଜଗନ୍ନାଥ ରାଜ୍ୟକୁ ସୁଖ ଓ ସମୃଦ୍ଧତା ଆଶୀର୍ବାଦ କରନ୍ତୁ।
କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓଡ଼ିଶା ଦିବସର ଅଭିନନ୍ଦନ ଜଣାଇବା ସହିତ ଭାଷାଭିତ୍ତିକ ଓଡ଼ିଶା ପ୍ରଦେଶ ଗଠନର ବରପୁତ୍ରଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ଏହି ଦିନଟି ସମସ୍ତ ଓଡ଼ିଶାବାସୀଙ୍କ ପାଇଁ ସ୍ମରଣୀୟ ଦିବସ। ଓଡ଼ିଆ ଜାତିକୁ ପୁଣି ଥରେ ଶକ୍ତିଶାଳୀ, ସମୃଦ୍ଧ ଓ ଭବ୍ୟ କରିବା ପାଇଁ ବଦ୍ଧପରିକର ହେବା ଲାଗି ଶ୍ରୀ ପ୍ରଧାନ ଆହ୍ବାନ କରିଛନ୍ତି।
ଆଜି ଦୁନିଆରେ ଯେତେ ସବୁ ଭାଷା ଅଛି, ସେ ସବୁ ମନୁଷ୍ୟକୃତ ଅଟେ। ଯଦି ଆମେ ଏହି ସବୁ ଭାଷାର ଉତ୍ପତ୍ତି ବିଷୟରେ ବିଶ୍ଳେଷଣ କରୁ, ତେବେ ବିଶ୍ୱରେ କେବଳ ଗୋଟିଏ ଭାଷା ଅଛି ଯାହା ମଣିଷ ଦ୍ୱାରା ସୃଷ୍ଟି ହୋଇନାହିଁ। ଏହା ମହାପ୍ରଭୂ ଜଗନ୍ନାଥଙ୍କ ପ୍ରଦତ୍ତ ଅଟେ। ତାହା ହେଉଛି ଓଡ଼ିଆ ଭାଷା। ଏହାକୁ ମହାପ୍ରଭୂ ଜଗନ୍ନାଥ ଓଡିଆ ଲୋକଙ୍କୁ ମହାପ୍ରସାଦ ଭାବରେ ଉପହାର ଦେଇଛନ୍ତି। ସେଥିପାଇଁ ଓଡ଼ିଆ ଭାଷା ଏତେ ମଧୁର ଭାଷା ଅଟେ ବୋଲି କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନ ବୈଷ୍ଣବ କହିଛନ୍ତି। ଏଥିସହ ଉତ୍କଳ ଦିବସ ଅବସରରେ ଶ୍ରୀ ବୈଷ୍ଣବ ସମସ୍ତ ଓଡ଼ିଶା ବାସୀଙ୍କୁ ହାର୍ଦିକ ଶୁଭେଚ୍ଛା ଜଣାଇଛନ୍ତି।
ପିସିସି ସଭାପତି ଶରତ ପଟ୍ଟନାୟକ କହିଛନ୍ତି, ଯେଉଁ ଜାତିର ଆରାଧ୍ୟ ଦେବତା ଶ୍ରୀଜଗନ୍ନାଥ, ଯେଉଁ ଜାତିର ଐତିହ୍ୟ, ସ୍ଥାପତ୍ୟ, କଳାର ଅମର କିର୍ତ୍ତୀରାଜି ସୌନ୍ଦର୍ଯ୍ୟ କୋଣାର୍କ, ସେହି ଅତୀତକୁ ମନେ ପକାଇ ଭବିଷ୍ୟତର ସୁନ୍ଦର ଓଡ଼ିଶା ଗଢ଼ିବାର ସଂକଳ୍ପବଦ୍ଧତା ଆବଶ୍ୟକ। ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ଓଡ଼ିଶା ଦିବସର ଶୁଭେଚ୍ଛା ଜଣାଇବା ସହିତ ଶାନ୍ତି ଓ ସମୃଦ୍ଧି ପାଇଁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି।