ନୂଆଦିଲ୍ଲୀ: ପଞ୍ଚମ ଜାତୀୟ ଜଳ ପୁରସ୍କାର-୨୦୨୩ରେ ଓଡ଼ିଶାକୁ ଚାରିଟି ବର୍ଗରେ ପୁରସ୍କୁତ କରାଯାଇଛି। ଆଜି ସ୍ଥାନୀୟ ବିଜ୍ଞାନ ଭବନର ପ୍ଲିନାରି ହଲ୍ରେ କେନ୍ଦ୍ର ଜଳଶକ୍ତି ମନ୍ତ୍ରାଳୟ ପକ୍ଷରୁ ଆୟୋଜିତ ପୁରସ୍କାର ବିତରଣ ସମାରୋହରେ ମୁଖ୍ୟ ଅତିଥିଭାବେ ଯୋଗଦେଇ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଶ୍ରେଷ୍ଠ ରାଜ୍ୟ ବର୍ଗରେ ପ୍ରଥମ ସ୍ଥାନ ହାସଲ କରିଥିବା ଓଡ଼ିଶାକୁ ପୁରସ୍କୁତ କରିଥିଲେ। ଉନ୍ନୟନ କମିସନର୍ ତଥା ଜଳ ସଂପଦ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ଓ ଜଳ ସଂପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଚନ୍ଦ୍ରଶେଖର ପାଢ଼ୀ ରାଷ୍ଟ୍ରପତିଙ୍କଠାରୁ ପୁରସ୍କାର ଗ୍ରହଣ କରିଥିଲେ। ସେହିଭଳି ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ ପୂର୍ବାଞ୍ଚଳରେ ବଲାଙ୍ଗୀରକୁ ଶ୍ରେଷ୍ଠ ଜିଲ୍ଲା ରୂପେ ପୁରସ୍କୃତ କରିଛନ୍ତି। ପୁରସ୍କାର ଗ୍ରହଣ କରିଥିଲେ ବଲାଙ୍ଗୀର ଜିଲ୍ଲାପାଳ ଗୌରବ ଶିବାଜୀ ଇସଲୱାର ଓ ସିଡିଓ ପ୍ରଭାତ କୁମାର ମହାପାତ୍ର। ଶ୍ରେଷ୍ଠ ସହରାଞ୍ଚଳ ଭାବେ ଦ୍ବିତୀୟ ସ୍ଥାନ ହାସଲ କରିଥିବା ପୁରୀକୁ କେନ୍ଦ୍ର ଜଳ ସଂପଦ ମନ୍ତ୍ରୀ ସିଆର୍ ପାଟିଲ ପୁରସ୍କୃତ କରିଥିଲେ। ପୁରସ୍କାର ପୁରୀ ପୌରସଂସ୍ଥାର ବରିଷ୍ଠ ଅଧିକାରୀ ଦେବାଶିଷ ନାୟକ ଗ୍ରହଣ କରିଥିଲେ।
ଶ୍ରେଷ୍ଠ ବିଦ୍ୟାଳୟ ବର୍ଗରେ ତୃତୀୟ ସ୍ଥାନ ହାସଲ କରିଥିବା ମୟୂରଭଞ୍ଜର ଖଇରାବାଣି ଆଶ୍ରମ ସ୍କୁଲକୁ କେନ୍ଦ୍ର ଜଳଶକ୍ତି ମନ୍ତ୍ରୀ ଶ୍ରୀ ପାଟିଲ ମଧ୍ୟ ସମ୍ମାନିତ କରିଥିଲେ। ଖଇରାବାଣି ଆଶ୍ରମ ସ୍କୁଲର ଶିକ୍ଷୟିତ୍ରୀ ବିନୀତା ଦାସ କେନ୍ଦ୍ରମନ୍ତ୍ରୀଙ୍କଠାରୁ ପୁରସ୍କାର ଗ୍ରହଣ କରିଥିଲେ। ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ ଓ କେନ୍ଦ୍ର ଜଳଶକ୍ତି ମନ୍ତ୍ରୀ ଶ୍ରୀ ପାଟିଲ ୯ଟି ବର୍ଗରେ ଯୁଗ୍ମ ବିଜେତାଙ୍କ ସହ ୩୮ ବିଜେତାଙ୍କୁ ପୁରସ୍କୃତ କରିଥିଲେ। ବିଜେତାଙ୍କୁ ପ୍ରଶଂସାପତ୍ର ଓ ଟ୍ରଫି ସହ ନଗଦ ପୁରସ୍କାର ପ୍ରଦାନ କରାଯାଇଥିଲା। ଜଳ ସଂରକ୍ଷଣ ଦିଗରେ ବ୍ୟାପକ କାମ କରୁଥିବା ଯୋଗୁଁ ଓଡ଼ିଶାକୁ ଶ୍ରେଷ୍ଠ ରାଜ୍ୟଭାବେ ପୁରସ୍କୃତ କରାଯାଇଛି। ରାଜ୍ୟରେ ୫୩ହଜାର ଜଳ ସଂରକ୍ଷଣ ଓ ବର୍ଷା ଜଳ ଅମଳ ପ୍ରକଳ୍ପ, ୩୯ହଜାର ହେକ୍ଟର ଚାଷଜମିକୁ ଜଳବନ୍ଦୀରୁ ଉଦ୍ଧାର କରାଯାଇଥିବାବେଳେ ୯୦,୯୦୦ ହେକ୍ଟରରୁ ଅଧିକ ଜମିକୁ ଜଳସେଚନ ଅଂଚଳରେ ପରିଣତ କରାଯାଇଛି। ବଲାଙ୍ଗୀରରେ ଜଳ ସଂରକ୍ଷଣକୁ ନେଇ ପାଣି ପଂଚାୟତ, ଜଳାଶୟ ଖନନ ଭଳି ଅନେକ କାମ ହୋଇଥିବା ବେଳେ ପୁରୀ ପ୍ରଥମ ପୌର ସଂସ୍ଥାଭାବେ ସହରସାରା ୨୪ଘଣ୍ଟିଆ ଜଳଯୋଗାଣ କରିଛି। ଆଜିର ପୁରସ୍କାର ବିତରଣ ସମାରୋହରେ ଅନ୍ୟମାନଙ୍କ ମଧ୍ୟରେ କେନ୍ଦ୍ର ଜଳଶକ୍ତି ରାଷ୍ଟ୍ରମନ୍ତ୍ରୀ ରାଜଭୂଷଣ ଚୌଧୁରୀ, ଭି ସୋମାନାଙ୍କ ସମେତ ମନ୍ତ୍ରାଳୟର ସଚିବ ତଥା ବରିଷ୍ଠ ଅଧିକାରୀମାନେ ଯୋଗଦେଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2024/10/23/YtHiWZvjknXbgmdYLzL5.jpg)