ଭୁବନେଶ୍ବର: ୨୦୪୭ ସୁଦ୍ଧା ଆମ ଦେଶ ବିକଶିତ ଭାରତ ହେବାକୁ ଯାଉଛି। ଏହା କେବଳ ସରକାରଙ୍କ ଏକ ଦୂରଦୃଷ୍ଟି ନୁହେଁ, ବରଂ ଏକ ଜାତୀୟ ମିସନ୍। ଏହି ମିସନ୍‌ରେ ପ୍ରତ୍ୟେକ ଭାରତୀୟ, ଏପରିକି ପ୍ରବାସୀ ଭାରତୀୟମାନେ ସକ୍ରିୟ ଓ ଉତ୍ସାହର ସହ ସାମିଲ୍ ହେବା ଦରକାର ବୋଲି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କହିଛନ୍ତି। ଆଜି ୧୮ତମ ପ୍ରବାସୀ ଭାରତୀୟ ଦିବସର ଉଦ୍‌ଯାପନୀ କାର୍ଯ୍ୟକ୍ରମରେ ଯୋଗଦେଇ ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ କହିଛନ୍ତି ଯେ ପ୍ରବାସୀ ଭାରତୀୟମାନେ ବିଦେଶରେ ଆମ ଦେଶର ସର୍ବୋତ୍ତମ ପ୍ରତିନିଧିତ୍ୱ କରନ୍ତି। ସେମାନେ କେବଳ ଏହି ପବିତ୍ର ଭୂମିରେ ଅର୍ଜିତ ଜ୍ଞାନ ଓ ଦକ୍ଷତାକୁ ନୁହେଁ, ବରଂ ହଜାର ହଜାର ବର୍ଷ ଧରି ଆମ ସଭ୍ୟତାର ମୂଳଦୁଆ ଥିବା ମୂଲ୍ୟବୋଧ ଓ ନୀତିକୁ ମଧ୍ୟ ବହନ କରିଛନ୍ତି। ପ୍ରଯୁକ୍ତିବିଦ୍ୟା, ଔଷଧ, କଳା, ଉଦ୍ୟୋଗ କ୍ଷେତ୍ରରେ ପ୍ରବାସୀ ଭାରତୀୟମାନେ ଏକ ଛାପ ସୃଷ୍ଟି କରିଛନ୍ତି, ଯାହାକୁ ସାରା ବିଶ୍ୱ ସ୍ୱୀକାର କରୁଛି। ତେଣୁ ପ୍ରବାସୀ ଭାରତୀୟମାନେ ବିକଶିତ ଭାରତ ଦୃଷ୍ଟିକୋଣର ଏକ ଅବିଚ୍ଛେଦ୍ୟ ଅଂଶ। ସେମାନଙ୍କର ବିଶ୍ୱସ୍ତରୀୟ ଉପସ୍ଥିତି ସେମାନଙ୍କୁ ଏକ ଅନନ୍ୟ ଦୃଷ୍ଟିକୋଣ ପ୍ରଦାନ କରିଛି। ସେମାନଙ୍କର ସଫଳତା ବିକଶିତ ଭାରତ ମିସନ୍‌କୁ ସାକାର କରିବାରେ ସହାୟକ ହେବ। 

Advertisment

ଭାରତର କାଳଜୟୀ ଦର୍ଶନ ‘ବସୁଧୈବ କୁଟୁମ୍ବକମ୍‌’କୁ ଉଲ୍ଲେଖ କରି ରାଷ୍ଟ୍ରପତି କହିଥିଲେ, ଏହି ପରିକଳ୍ପନା ଏପରି ଏକି ପରିବେଶ  ସୃଷ୍ଟି କରିବା ପାଇଁ ଉଦ୍ଦିଷ୍ଟ, ଯାହା କେବଳ ଆମର ଆବଶ୍ୟକତା ପୂରଣ କରିବ ନାହିଁ, ବରଂ ବିଶ୍ୱ କଲ୍ୟାଣ ଦିଗରେ ମଧ୍ୟ ସହଯୋଗ କରିବ। ଆମେ ଏପରି ଏକ ରାଷ୍ଟ୍ର ହେବାକୁ ଚାହୁଁଛୁ, ଯାହା ସାମାଜିକ ନ୍ୟାୟ ଓ ପରିବେଶଗତ ପରିଚାଳନା ସହିତ ଆର୍ଥିକ ପ୍ରଗତିକୁ ସନ୍ତୁଳିତ କରିବ। ଆଗାମୀ ପିଢ଼ି ପାଇଁ ଏକ ଉଜ୍ଜ୍ୱଳ ଭବିଷ୍ୟତ ସୁନିଶ୍ଚିତ କରିବ। ପ୍ରବାସୀ ଭାରତୀୟମାନେ ଏହି ଲକ୍ଷ୍ୟ ହାସଲ କରିବାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବେ ବୋଲି ମୁଁ ଆଶା କରୁଛି। ଆମେ ଆମର ପ୍ରବାସୀ ଭାରତୀୟ ପରିବାରର ସଫଳତାକୁ ପାଳନ କରୁଥିବା ‌ବେ‌ଳେ ଆମକୁ ଆଶା ଓ ଦୃଢ଼ତାର ସହିତ ଭବିଷ୍ୟତକୁ ମଧ୍ୟ ଅପେକ୍ଷା କରିବାକୁ ପଡ଼ିବ। ଆମେ ଏକାଠି ହୋଇ ଏମିତି ଏକ ରାଷ୍ଟ୍ର ଗଠନ କରିବା, ଯାହା ବିଶ୍ୱ ସ୍ତରରେ ଉଚ୍ଚ ସ୍ଥାନରେ ଠିଆ ହେବ ଏବଂ ବିଶ୍ୱ ପାଇଁ ଆଲୋକବର୍ତ୍ତିକା ହୋଇ ରହିବ। ରାଷ୍ଟ୍ରପତି ତାଙ୍କ ଅଭିଭାଷଣରେ ପ୍ରବାସୀ ଭାରତୀୟ ଦିବସ ଆୟୋଜନ ପାଇଁ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ, ଓଡ଼ିଶା ସରକାରଙ୍କୁ ଶୁଭେଚ୍ଛା ଜଣାଇବା ସହ ଧନ୍ୟବାଦ ଦେଇଥିଲେ। 

ପ୍ରବାସୀଙ୍କୁ ସହଯୋଗ କରିବାକୁ ନୋଡାଲ୍ ମନ୍ତ୍ରୀ ହେବେ 
ସଂସ୍କୃତି ମନ୍ତ୍ରୀ: ମୁଖ୍ୟମନ୍ତ୍ରୀ
ଓଡ଼ିଶାର ବିକାଶ ହେଲେ ହିଁ ଭାରତର ବିକାଶ ହେବ: ଧର୍ମେନ୍ଦ୍ର
୨୪ଟି ଦେଶର ୨୭ଜଣ ପାଇଲେ ପ୍ରବାସୀ ଭାରତୀୟ ସମ୍ମାନ ପୁରସ୍କାର

କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଥିଲେ, ଏହି ପ୍ରବାସୀ ଭାରତୀୟ ଦିବସ କାର୍ଯ୍ୟକ୍ରମ ଦ୍ବାରା  ଓଡ଼ିଶା ଏବେ ପୂର୍ବ ଅପେକ୍ଷା ବିଶ୍ୱ ପାଇଁ ଅଧିକ  ଉନ୍ମୁକ୍ତ ହୋଇଛି।  ସାରା ବିଶ୍ୱ ଏବେ ଓଡ଼ିଶାରେ ଅସୀମ ସୁଯୋଗ ଦେଖୁଛି। ସଂକ୍ଷେପରେ କହିଲେ ଓଡ଼ିଶା ବିଶ୍ୱସ୍ତରୀୟ ହେଉଛି। ଏହାସହ ସେ ପ୍ରବାସୀ ଭାରତୀୟଙ୍କୁ କହିଥିଲେ, ମୁଁ ହୃଦୟରୁ ଆପଣଙ୍କୁ ଆହ୍ବାନ ଦେଉଛି ଯେ ଆପଣମାନେ ଆମ ଦେଶ ଓ ଓଡ଼ିଶାର ସମଗ୍ର ପ୍ରଗତି ଓ ସମୃଦ୍ଧିରେ ଅଂଶବିଶେଷ ହୁଅନ୍ତୁ।  ଏବେ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଆଶୀର୍ବାଦରେ ଓଡ଼ିଆ ଅସ୍ମିତା ନୂତନ ଶିଖରରେ ପହଞ୍ଚିଛି। ମୁଁ ଓଡ଼ିଆ ସଂସ୍କୃତି ଓ ଐତିହ୍ୟକୁ ବିଶ୍ୱରେ ପହଞ୍ଚାଇବାରେ ଆପଣଙ୍କର ସମ୍ପୃକ୍ତି ଓ ସହଯୋଗ ଚାହୁଛି। ପ୍ରକଳ୍ପ, ନିବେଶ ଇତ୍ୟାଦି ପାଇଁ ରାଜ୍ୟ ସହିତ ଜଡିତ ହେବାକୁ ଚାହୁଥିବା ପ୍ରବାସୀମାନଙ୍କୁ ସମର୍ଥନ ଓ ସୁବିଧା ଯୋଗାଇ ଦିଆଯିବ। ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ମନ୍ତ୍ରୀ ନୋଡାଲ ମନ୍ତ୍ରୀ ଭାବେ ଏଥିପାଇଁ ନିଯୁକ୍ତ ହେବେ। ଆପଣଙ୍କୁ ମୋର ଅନୁରୋଧ ଆପଣମାନେ ଓଡ଼ିଶା ଆସନ୍ତୁ। ଓଡ଼ିଶାର ସଂସ୍କୃତି, ଐତିହ୍ୟ ଓ ପ୍ରକୃତିକୁ ଉପଭୋଗ କରନ୍ତୁ। ଏହି କାର୍ଯ୍ୟକ୍ରମ ଆୟୋଜନରେ ସହଯୋଗ ପାଇଁ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍‌ ଜୟଶଙ୍କର ଓଡ଼ିଶା ସରକାରଙ୍କୁ ଧନ୍ୟବାଦ ଦେଇଥିଲେ। ବିକଶିତ ଭାରତ ଓ ସମୃଦ୍ଧ ଓଡ଼ିଶା ଗଠନରେ ପ୍ରବାସୀ ଭାରତୀୟମାନେ ସହଯୋଗର ହାତ ବଢ଼ାନ୍ତୁ।

ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମ କହିଥିଲେ, ମୋର ୩୫ବର୍ଷର ରାଜନୈତିକ ଜୀବନରେ ବହୁ ରାଜନୈତିକ କାର୍ଯ୍ୟକ୍ରମରେ ଯୋଗଦେଇଛି। ହେଲେ ପ୍ରବାସୀ ଭାରତୀୟଙ୍କ ବୈଠକରେ କେବେ ଯୋଗଦେଇନଥିଲି। ଏହି କାର୍ଯ୍ୟକ୍ରମ ଓଡ଼ିଶା ପାଇଁ ପର୍ଯ୍ୟାପ୍ତ ସୁଯୋଗ ସୃଷ୍ଟି କରିବ। କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଥିଲେ, ହଜାର ହଜାର ବର୍ଷ ଧରି ଓଡ଼ିଶାରୁ ପ୍ରବାସୀ ଓଡ଼ିଆମାନେ ଶ୍ରୀଲଙ୍କା ଓ ଦକ୍ଷିଣ-ପୂର୍ବ ଏସିଆରେ ବାଣିଜ୍ୟ ବ୍ୟବସାୟ କରିଥିଲେ। କାର୍ତ୍ତିକ ମାସରେ ଓଡ଼ିଆମାନେ ବେପାର ବାଣିଜ୍ୟ ପାଇଁ ବିଦେଶ ଯାଇଥାନ୍ତି ସେଥିପାଇଁ ତ ଆମେ ପ୍ରବାସୀ ଭାରତୀୟ। ଓଡ଼ିଶାର ସଭ୍ୟତା, ସଂସ୍କୃତି ଓ ପରମ୍ପରା ଏବେ ସାରା ବିଶ୍ୱରେ ବିଶେଷ କରି ଦକ୍ଷିଣ-ପୂର୍ବ ଏସିଆରେ ଦେଖାଯାଉଛି। ପ୍ରଧାନମନ୍ତ୍ରୀ ମୋଦୀ ପୂର୍ବୋଦୟ ପାଇଁ ଆହ୍ୱାନ ଦେଇଛନ୍ତି । ଭାରତ ସରକାରଙ୍କ ‘ଲୁକ୍ ଇଷ୍ଟ- ଆକ୍ଟ ଇଷ୍ଟ’ ନୀତିରେ ଓଡ଼ିଶା କେନ୍ଦ୍ରବିନ୍ଦୁ ହୋଇଛି। ଓଡ଼ିଶାରେ ସ୍ୱାଭିମାନ ଓ ଗଣତନ୍ତ୍ରର ମୂଳ ଗଭୀରତା ରହିଛି। ଏହା ହେଉଛି ବୁଦ୍ଧଙ୍କ ଭୂମି, ଶାନ୍ତିର ଭୂମି। ସମଗ୍ର ବିଶ୍ୱରେ ବୌଦ୍ଧ ଧର୍ମର ମାର୍ଗ ଓଡ଼ିଶା ଜରିଆରେ ହିଁ ଉଭା ହୋଇଛି। ଯେତେବେଳେ ଓଡ଼ିିଶାରେ କେହି ରାଜା ନଥିଲେ, ସେହି ସମୟରେ ଆମ ଓଡ଼ିଶାରେ ଗଣତନ୍ତ୍ର ଥିଲା। ଆମର ସମୂହ ତ୍ୟାଗ, ବଳିଦାନ ଅଶୋକଙ୍କୁ ଚଣ୍ଡାଶୋକରୁ ଧର୍ମାଶୋକରେ ପରିଣତ କରିବା ପାଇଁ ବାଧ୍ୟ କରିଥିଲା। ଏହି ଭୂମି ହିଁ ପୂର୍ବୋଦୟର ଉତ୍ପତ୍ତିସ୍ଥଳୀ ହେବ। ୨୦୪୭ ସୁଦ୍ଧା ଭାରତକୁ ବିକଶିତ ରାଷ୍ଟ୍ରରେ ପରିଣତ କରିବାକୁ ଲକ୍ଷ୍ୟ ରଖାଯାଇଛି। ହେଲେ ଓଡ଼ିଶାର ବିକାଶ ହେଲେ ହିଁ ଭାରତର ବିକାଶ ହେବ ବୋଲି ଶ୍ରୀ ପ୍ରଧାନ କହିଥିଲେ। ଏହି କାର୍ଯ୍ୟକ୍ରମରେ ରାଜ୍ୟପାଳ ହରିବାବୁ କମ୍ଭମପତି, ବୈଦେଶିକ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ କୀର୍ତ୍ତିବର୍ଦ୍ଧନ ସିଂହ ପ୍ରମୁଖ ଯୋଗ ଦେଇଥିଲେ। ଏହି ଅବସରରେ ରାଷ୍ଟ୍ରପତି ୨୪ଟି ଦେଶର ୨୭ଜଣ ବିଶିଷ୍ଟ ବ୍ୟକ୍ତିଙ୍କୁ ପ୍ରବାସୀ ଭାରତୀୟ ସମ୍ମାନ ପୁରସ୍କାରରେ ଏବଂ ଭାରତ ଏକ ଖୋଜ୍ କୁଇଜ୍‌ର ବିଜେତା‌ଙ୍କୁ ସମ୍ମାନିତ କରିଥିଲେ। ‌େଶଷରେ ବୈଦେଶିକ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ପବିତ୍ର ମାର୍ଗେରିଟା ଧନ୍ୟବାଦ ଦେଇଥିଲେ।