ଭୁବନେଶ୍ବର: ଉତ୍କଳ ବିଶ୍ୱବିଦ୍ୟାଳୟର ୫୩ତମ ସମାବର୍ତ୍ତନ ଉତ୍ସବ ଆସନ୍ତା ୨୯ ତାରିଖରେ ଅନୁଷ୍ଠିତ ହେବ।ଅପରାହ୍ଣ ସାଢ଼େ ୫ଟାରେ ଆୟୋଜିତ ହେବାକୁ ଥିବା ଏହି ଉତ୍ସବରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମୁଖ୍ୟଅତିଥି ଭାବେ ଯୋଗଦେଇ ଦୀକ୍ଷାନ୍ତ ଭାଷଣ ପ୍ରଦାନ କରିବେ। ବିଶ୍ବବିଦ୍ୟାଳୟର କୁଳାଧିପତି ତଥା ରାଜ୍ୟପାଳ ରଘୁବର ଦାସଙ୍କ ଅଧ୍ୟକ୍ଷତା ଅନୁଷ୍ଠିତ ହେବାକୁ ଥିବା ଉତ୍ସବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ରଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଉଚ୍ଚଶିକ୍ଷା ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ସମ୍ମାନିତ ଅତିଥି ଭାବେ ଉପସ୍ଥିତ ରହିବେ ବୋଲି ଜଣାପଡ଼ିଛି। ଏହି ଅବସରରେ ଦେଶରେ ପ୍ରତିଷ୍ଠା ଲାଭ କରିଥିବା ୩ଜଣ ଓଡ଼ିଆଙ୍କୁ ସମ୍ମାନସୂଚକ ଡକ୍ଟରେଟ୍ ପ୍ରଦାନ କରାଯିବ। ନାମ ଚୂଡ଼ାନ୍ତ ହୋଇଥିଲେ ମଧ୍ୟ କୁଳାଧିପତି ଏପର୍ଯ୍ୟନ୍ତ ମୋହର ଲାଗି ନ ଥିବା ସୂଚନା ମିଳିଛି।
ଉତ୍ସବରେ ୨୦୨୨-୨୩ ଶିକ୍ଷାବର୍ଷ ଲାଗି ପାଖାପାଖି ୧୫୦ଜଣଙ୍କୁ ପିଏଚ୍ଡି ଡିଗ୍ରି ଓ ୯୦ରୁ ଅଧିକ ଛାତ୍ରଛାତ୍ରୀଙ୍କୁ ସ୍ୱର୍ଣ୍ଣ ପଦକ ପ୍ରଦାନ କରାଯିବ। ସନ୍ଧ୍ୟା ୬ଟା ୩୦ ପର୍ଯ୍ୟନ୍ତ ସମାବର୍ତ୍ତନ ଉତ୍ସବ ଅନୁଷ୍ଠିତ ହେବ। ଉତ୍ସବ ସ୍ଥଳକୁ ପ୍ରବେଶ ଉପରେ କଟକଣା ଲାଗିବ। ତେବେ ରାଷ୍ଟ୍ରପତି ଛାତ୍ରଛାତ୍ରୀଙ୍କୁ ଭେଟିପାରନ୍ତି। ୪ଟି ବିଭାଗକୁ ନେଇ ଆରମ୍ଭ ହୋଇଥିବା ଏହି ବିଶ୍ୱବିଦ୍ୟାଳୟରେ ଏବେ ୩୦ରୁ ଊର୍ଦ୍ଧ୍ୱ ବିଭାଗରେ ୪୫୦୦ରୁ ଅଧିକ ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି। ୯ଟି ଉତ୍କର୍ଷ କେନ୍ଦ୍ର, ସହବନ୍ଧିତ ଆଇନ ମହାବିଦ୍ୟାଳୟ ଓ ଗୋଟିଏ ଦୂର ନିରନ୍ତର ନିର୍ଦ୍ଦେଶାଳୟ ରହିଛି। ବର୍ତ୍ତମାନ ୧୭ଟି ସ୍ୱୟଂଶାସିତ କଲେଜ ସମେତ ୩୮୦ରୁ ଅଧିକ ଅନୁବନ୍ଧିତ ମହାବିଦ୍ୟାଳୟରେ ୨.୭ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି। ବିଶ୍ବବିଦ୍ୟାଳୟ କ୍ରମାଗତ ଭାବେ ଜାତୀୟ ରାଙ୍କିଙ୍ଗ୍ରେ ଶ୍ରେଷ୍ଠ ଶହେ ବିଶ୍ୱବିଦ୍ୟାଳୟ ମଧ୍ୟରେ ସ୍ଥାନ ପାଉଛି। ଆଞ୍ଚଳିକସ୍ତରରେ ବୃହତ୍ତର ଗବେଷଣା ପାଇଁ ‘ସେଣ୍ଟର୍ ଫର୍ ଇନୋଭେସନ୍ ଆଣ୍ଡ୍ ଇନ୍କ୍ୟୁବେସନ୍(ସିଆଇଆଇ)’ କାର୍ଯ୍ୟକ୍ଷମ ହୋଇଛି। ରାଷ୍ଟ୍ରୀୟ ଉଚ୍ଚତର ଶିକ୍ଷା ଅଭିଯାନ(ରୁସା)ର ଆର୍ଥିକ ସହାୟତାରେ ୧୦ଟି ଓ ବିଶ୍ୱବ୍ୟାଙ୍କ ଆର୍ଥିକ ଅନୁଦାନରେ ୩ଟି ଉତ୍କର୍ଷ ଗବେଷଣା କେନ୍ଦ୍ର ସ୍ଥାପନ, ବିଦ୍ୟାର୍ଥୀଙ୍କ ପାଇଁ ଛାତ୍ରାବାସଗୁଡ଼ିକର ନବୀକରଣ ହୋଇଛି। ୩ଟି ଛାତ୍ରୀନିବାସ ନବୀକରଣ କାର୍ଯ୍ୟ ଚାଲିଛି।