ଭୁବନେଶ୍ବରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ମହାପୁରୁଷଙ୍କୁ ଦେଲେ ଶ୍ରଦ୍ଧାଞ୍ଜଳି

ଭୁବନେଶ୍ବର: ଶ୍ରୀକ୍ଷେତ୍ରରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ ଓ ଗଜପତି ଦିବ୍ୟସିଂହ ଦେବଙ୍କ ପରିବାର ଲୋକଙ୍କ ସହିତ ମହାପ୍ରସାଦ ସେବନ ପରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ଅପରାହ୍ନରେ ରାଜଧାନୀ ଭୁବନେଶ୍ବରରେ ପହଞ୍ଚିଛନ୍ତି। ରାଷ୍ଟ୍ରପତି ଆଜି ଅପରାହ୍ନରେ ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚିଲା ପରେ ତାଙ୍କୁ ପାରଂପରି ଆଦିବାସୀ ନୃତ୍ୟ, ଗୀତ ଓ ବାଦ୍ୟ ସହିତ ସ୍ବାଗତ କରାଯାଇଥିଲା। ରାଷ୍ଟ୍ରପତିଙ୍କୁ ଦେଖିବା ପାଇଁ ବିମାନବନ୍ଦରରେ ହଜାର ହଜାର ‌ଲୋକଙ୍କର ଭିଡ଼ ଦେଖାଯାଇଥିଲା। ଲୋକେ ଜାତୀୟ ପତାକା ଧରି ରାସ୍ତାକଡ଼ରେ ଛିଡ଼ା ହୋଇଥିଲେ। ନିଜମାଟିର ଝିଅ ତଥା ରାଷ୍ଟ୍ରପତିଙ୍କ ଝଲକ ପାଇବା ପାଇଁ ଦୀର୍ଘ ସମୟ ଧରି ଅପେକ୍ଷା କରିଥିଲେ।

Photo: Bibhuti

ଭୁବନେଶ୍ବରରେ ରାଷ୍ଟପ୍ରତି ଦ୍ରୌପଦୀ ମୁର୍ମୁ ସ୍ବାଧୀନତା ସଂଗ୍ରାମୀ ଓ ମହାପୁରୁଷଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି। ନିର୍ଦ୍ଧାରିତ କାର୍ଯ୍ୟକ୍ରମ ଅନୁସାରେ ସେ ରାଜଧାନୀର ବିଭିନ୍ନ ଛକରେ ଥିବା ବକ୍ସି ଜଗବନ୍ଧୁ ବିଦ୍ୟାଧର, ଉତ୍କଳ ଗୌରବ ମଧୁସୂଦନ ଦାସ, ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ, ମହାରାଜ ଶ୍ରୀରାମଚନ୍ଦ୍ର ଭଂଜଦେଓ, ସ୍ବଭାବ କବି ଗଂଗାଧର ମେହେର, ସହିଦ ଲକ୍ଷ୍ମଣ ନାୟକ, ଭଗବାନ ବିର୍ସା ମୁଣ୍ଡା ଓ ଗୁରୁ ଗୋମକେ ପଣ୍ଡିତ ରଘୁନାଥ ମୁର୍ମୁଙ୍କ ପ୍ରତିମୂର୍ତ୍ତିରେ ଶ୍ରଦ୍ଧାଞ୍ଜଳି ଦେଉଛନ୍ତି। ମହାପୁରୁଷଙ୍କ ପ୍ରତିମୂର୍ତ୍ତିରେ ଶ୍ରଦ୍ଧାଞ୍ଜଳି ଦେବା ପରେ ରାଷ୍ଟ୍ରପତି ରାଜଭବନରେ ଆ‌େୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗ‌େଦେବେ। ଏହା ପରେ ସେ ରାଜଭବନରେ ରାତ୍ରୀଯାପନ କରିବେ।

ସୂଚନାଯୋଗ୍ୟ, ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ପୂର୍ବାହ୍ନରେ ଭୁବନେଶ୍ୱର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଥିଲେ। ଏକ ସ୍ବତନ୍ତ୍ର ବିମାନ ଯୋଗେ ସେ ବିମାନବନ୍ଦରରେ ପହଞ୍ଚିବା ପରେ ତାଙ୍କୁ ରାଜ୍ୟପାଳ ପ୍ରଫେସର୍ ଗଣେଶୀ ଲାଲ୍ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସ୍ବାଗତ କରିଥିଲେ।

ସମ୍ବନ୍ଧିତ ଖବର