ରାଇରଙ୍ଗପୁର (ତୁଷାରକାନ୍ତ ମହାନ୍ତ): ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତାକାଲି ଠାରୁ ତିନି ଦିନିଆ ମୟୁରଭଞ୍ଜ ଜିଲ୍ଲା ଗସ୍ତରେ ଆସୁଛନ୍ତି। ତିନି ଦିନିଆ ଗସ୍ତରେ ରହିଛି ରାଇରଙ୍ଗପୁର ଓ ଶିମିଳିପାଳ ପରିଦର୍ଶନ। ତେବେ ରାଷ୍ଟ୍ରପତିଙ୍କ ଗସ୍ତକୁ ନେଇ ଆଉ କେତୋଟି ଘଣ୍ଟା ବାକି ରହିଲା। ସେଥିପାଇଁ ତାଙ୍କ ଗସ୍ତ ଅବସରରେ ବ୍ଲୁ-ବୁକ୍ ସିକ୍ୟୁରିଟି ଅନୁଯାୟୀ ସମସ୍ତ ସୁରକ୍ଷା ବ୍ୟବସ୍ଥା କରା ଯାଇଥିବା ସହ ସୁରକ୍ଷା ବ୍ୟବସ୍ଥାକୁ ନେଇ ସମୀକ୍ଷା କରିଛନ୍ତି ଏଡିଜି ଦୟାଲ ଗାଙ୍ଗୱାର ଓ ମୟୂରଭଞ୍ଜ ଏସପି ବରୁଣ ଗୁଣ୍ଟୁପାଲି।  ଆଜି ମଙ୍ଗଳବାର ଦିନ ରାଇରଙ୍ଗପୁର ସ୍ଥିତ କଚେରୀ ପଡ଼ିଆ ଠାରେ ସୁରକ୍ଷା ଦାୟିତ୍ୱରେ ନିୟୋଜିତ ରିଜର୍ଭ ପୋଲିସ ଫୋର୍ସ ଓ ପୋଲିସ କର୍ମଚାରୀ ମାନଙ୍କର ବ୍ରିଫିଂ ଓ ରିହେଲସେଲ କାର୍ଯ୍ୟକ୍ରମ ଚାଲିଛି। 

Advertisment

ଆଜି ରାଇରଙ୍ଗପୁର କଚେରୀ ପଡିଆ ଠାରେ ମୟୂରଭଞ୍ଜ ଆରକ୍ଷୀ ଅଧୀକ୍ଷକ ବରୁଣ ଗୁଣ୍ଠୁପାଲିଙ୍କ ଉପସ୍ଥିତି ରେ ସମୀକ୍ଷା କରିଛନ୍ତି ଏଡିଜି ଦୟାଲ ଗାଙ୍ଗୱାର। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଗସ୍ତ ଲାଗି ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି। ବରିଷ୍ଠ ପୋଲିସ ଓ ପ୍ରଶାସନିକ ଅଧିକାରୀମାନେ ସୁରକ୍ଷା ବ୍ୟବସ୍ଥା ତଦାରଖ ସହ ସମୀକ୍ଷା କରୁଛନ୍ତି। ପ୍ରତି କାର୍ଯ୍ୟକ୍ରମ ସ୍ଥଳରେ ଜଣେ ଲେଖାଏଁ ଅଭିଜ୍ଞ ବରିଷ୍ଠ ପୋଲିସ ଅଧିକାରୀଙ୍କୁ ସୁରକ୍ଷା ବ୍ୟବସ୍ଥା ନେଇ ନିୟୋଜିତ କରାଯାଇଛି। କୋଣସି ପ୍ରକାର ତ୍ରୁଟିମୁକ୍ତ ଭାବେ ପ୍ରୋଟୋକଲ ଅନୁଯାୟୀ ସୁରକ୍ଷା ବ୍ୟବସ୍ଥା କିପରି ହେବ ସେନେଇ ପୋଲିସ ବିଭାଗ ସଚେତନ ରହିଛି । 

ରାଇରଙ୍ଗପୁର କଚେରୀ ପଡିଆ ଷ୍ଟାଡିୟମରେ ଏଡିଜି ଦୟାଲ ଗାଙ୍ଗୱାର ଓ ମୟୁରଭଞ୍ଜ ଏସପି ବରୁଣ ଗୁଣ୍ଠୁପାଲିଙ୍କ ଦ୍ୱାରା ହେଲା ବ୍ରିଫିଂ। ତେବେ ରାଷ୍ଟ୍ରପତିଙ୍କ ହୋଲିଡେ ହୋମ, ଏସଏସଡି ବାଳିକା ସରକାରୀ ମାଧ୍ୟମିକ ବିଦ୍ୟାଳୟ,ପୂର୍ଣ୍ଣେଶ୍ବର ମହାଦେବ ମନ୍ଦିର, ପ୍ରଜାପିତା ବ୍ରହ୍ମକୁମାରୀ ଇଶ୍ବରୀୟ ବିଶ୍ବବିଦ୍ୟାଳୟ, କଚେରୀ ପଡିଆରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦାନ,ପାହାଡପୁର, ରାଇରଙ୍ଗପୁର ଜଗନ୍ନାଥ ମନ୍ଦିର ଦର୍ଶନ ଆଦି ଗସ୍ତକୁ ନେଇ ସୁରକ୍ଷା ବ୍ୟବସ୍ଥା ଶେଷ ପର୍ଯ୍ୟାୟରେ ପହଞ୍ଚିଛି । 

ସୁରକ୍ଷା ଦୃଷ୍ଟିରୁ ସହରରେ ୪୮ ପ୍ଲାଟୁନ ପୋଲିସ ଫୋର୍ସ ଓ ଶତାଧିକ ପୋଲିସ ଅଫିସର ମୁତୟନ ରହିବେ ବୋଲି ସୂଚନା ଦେଇଛନ୍ତି ମୟୂରଭଞ୍ଜ ଏସପି ବରୁଣ ଗୁଣ୍ଠୁପାଲି । ୬ ଜଣ ଏସପି ଓ କମାଣ୍ଡାଣ୍ଟ ରାଙ୍କ ଅଫିସର, ୧୨ ଜଣ ଏଏସପି ଡେପୁଟି କମାଣ୍ଡାଣ୍ଟ ଅଫିସର , ୨୭ ଡିଏସପି ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ ଅଫିସର , ୬୦  ଇନ୍ସପେକ୍ଟର, ୧୬୦ ଏସଆଇ ୩୪୦ ହୋମଗାର୍ଡ, ୩ ଟି ଏସ୍ଓଜି ଟିମ୍, ୨ ଟି ଡିବିଏଫ ଟିମ୍ ଏବଂ ଗୋଟିଏ ଓଡ୍ରାଫ ଟିମ୍ ମୁତୟନ କରାଯାଇଛି। ମହାମହିମ ଙ୍କ ଗସ୍ତକୁ ନେଇ ପୋଲିସ ବିଭାଗ ପ୍ରସ୍ତୁତ ରହିଛି। ଚାରିଆଡେ ପୋଲିସର ଛାଉଣୀ ପଡୁଛି। ଏଡିଜି ଦୟାଲ ଗାଙ୍ଗୱାର ଓ ମୟୁରଭଞ୍ଜ ଏସପି ବରୁଣ ଗୁଣ୍ଠୁପାଲି  ସୁରକ୍ଷା ବ୍ୟବସ୍ଥାର ଯାଞ୍ଚ କଡାକଡି ଭାବରେ କରୁଛନ୍ତି।