ଦୌଡ଼ିଲେ ଏସ୍‌ପି ଓ ଆଇଜି
ମହାରାଜା ଶ୍ରୀରାମ ଚନ୍ଦ୍ର ଭଞ୍ଜଦେଓ ବିଶ୍ବବିଦ୍ୟାଳୟର ଶନିବାର ଥିଲା ସମାବର୍ତ୍ତନ ଉତ୍ସବ। ଏହି ଉତ୍ସବରେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମୁଖ୍ୟଅତିଥି ଭାବେ ଯୋଗଦେଇଥିଲେ। ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁଙ୍କ ଗସ୍ତକୁ ନେଇ ଜିଲ୍ଲା ପ୍ରଶାସନ ଓ ବିଶ୍ବବିଦ୍ୟାଳୟ ପ୍ରଶାସନ ସବୁ ପ୍ରକାର ବ୍ୟବସ୍ଥା କରିଥିଲା। ବ୍ୟବସ୍ଥାରେ ଯେମିତି କିଛି ତୁଟି ରହି ନଯାଉ; ସେନେଇ ସପ୍ତାହେ ଧରି ଜିଲ୍ଲାପାଳ, ଏସ୍‌ପି, ଆଇଜି ପ୍ରମୁଖ ବାରମ୍ବାର ତଦାରଖ କରୁଥିଲେ। ଆଜି ରାଷ୍ଟ୍ରପତିଙ୍କର ଆସିବା ସମୟ ଯେତିକି ପାଖେଇ ଆସୁଥିଲା, ପ୍ରଶାସନିକ ଅଧିକାରୀମାନଙ୍କ ହୃଦ୍‌ସ୍ପନ୍ଦନ ସେତିକି ବଢ଼ି ବଢ଼ି ଚାଲିଥିଲା। ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ ବିଶ୍ବବିଦ୍ୟାଳୟରେ ପହଞ୍ଚିଲା ମାତ୍ରେ ଏସ୍‌ପି ଋଷିକେଶ ଦ୍ୟାନଦେଓ ଖିଲାରୀ ଏବଂ ଆଇଜି ହିମାଂଶୁ ଲାଲ ଏପଟସେପଟ ଦୌଡ଼ିବାକୁ ଲାଗିଥିଲେ। ବ୍ୟବସ୍ଥାରେ ଯେମିତି କିଛି ବି ବ୍ୟତିକ୍ରମ ନହେଉ, ସେନେଇ ସେମାନେ ବେଶ୍‌ ତତ୍ପର ହୋଇଉଠିଥିଲେ।

Advertisment

କରତାଳି ଦେଇ ଧନ୍ୟବାଦ ଜଣାଇଲେ ଛାତ୍ରଛାତ୍ରୀ
ବାରିପଦା ମହାରାଜା ଶ୍ରୀରାମ ଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ମହାମହିମ ରାଷ୍ଟ୍ରପତି ଦ୍ରୋପଦୀ ମୁର୍ମୁ ଯୋଗଦେଇଥିଲେ। ଅଭିଭାଷଣ ବେଳେ ବିଶ୍ୱବିଦ୍ୟାଳୟର ସ୍କୁଲ୍ ଅଫ୍ ଏଜୁକେସନ୍‌ ପକ୍ଷରୁ ଚାଲିଥିବା ଶିକ୍ଷାଭିତ୍ତିକ କାର୍ଯ୍ୟକ୍ରମ ‘ଟିଚ୍ ମୟୂରଭଞ୍ଜ’କୁ ସେ ପ୍ରଶଂସା କରିଥିଲେ। ଏହି ସମୟରେ ଛାତ୍ରଛାତ୍ରୀମାନେ କରତାଳି ମାଧ୍ୟମରେ ରାଷ୍ଟ୍ରପତିଙ୍କୁ ଧନ୍ୟବାଦ ଜଣାଇଥି‌ଲେ। ସେହିପରି ସ୍କୁଲ୍ ଅଫ୍ ଏଜୁକେସନ୍‌ ବିଭାଗର ମୁଖ୍ୟ ପ୍ରଫେସର ସମୀର କୁମାର ଲେଙ୍କା ଏନେଇ ଖୁସି ପ୍ରକଟ କରିଛନ୍ତି।

publive-image

ରାଗିଗଲେ ପୂର୍ବତନ ମନ୍ତ୍ରୀ ‘ସରସ୍ବତୀ’, ନିମନ୍ତ୍ରଣପତ୍ର ଚିରିଦେଲେ
ଶନିବାର ଦିନ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ବାରିପଦା ତକତପୁରସ୍ଥିତ ମହାରାଜା ଶ୍ରୀରାମ ଚନ୍ଦ୍ର ଭଞ୍ଜଦେଓ ବିଶ୍ବବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ଯୋଗଦେଇଥିଲେ। ଏହି କାର୍ଯ୍ୟକ୍ରମ ପାଇଁ ବିଭିନ୍ନ ବର୍ଗର ବିଶିଷ୍ଟ ଲୋକଙ୍କୁ ନିମନ୍ତ୍ରଣ କରାଯାଇଥିଲା। ପୂର୍ବତନ ମନ୍ତ୍ରୀ ସରସ୍ବତୀ ହେମ୍ବ୍ରମ ନିମନ୍ତ୍ରଣ କାର୍ଡ ଧରି ଆସିଥିଲେ। ହେଲେ ସୁରକ୍ଷା କର୍ମଚାରୀମାନେ ଶ୍ରୀମତୀ ହେମ୍ବ୍ରମଙ୍କୁ ସଭାସ୍ଥଳକୁ ଛାଡ଼ି ନଥିଲେ। କହିଥିଲେ, ଏହି ନିମନ୍ତ୍ରଣ କାର୍ଡରେ ଆପଣ ସଭାସ୍ଥଳକୁ ଯାଇପାରିବେ ନାହିଁ। ସୁରକ୍ଷା କର୍ମଚାରୀଙ୍କଠାରୁ ଏମିତି କଥା ଶୁଣିବା ପରେ ଶ୍ରୀମତୀ ହେମ୍ବ୍ରମ ରାଗିଯାଇଥିଲେ। ହାତରେ ଧରିଥିବା ନିମନ୍ତ୍ରଣ କାର୍ଡକୁ ଚିରିଦେଇ କହିଥିଲେ, ଆମକୁ ନ ଡାକିଲେ ନାହିଁ, ଏମିତି ନାଁ’କୁ ନିମନ୍ତ୍ରଣ କାର୍ଡ ଦେଇ ବିଶ୍ବବିଦ୍ୟାଳୟ ଅପମାନ କରୁଛି କାହିଁକି?

publive-image

ଛାତ୍ରଛାତ୍ରୀଙ୍କ ପାଇଁ ପ୍ରୋଟୋକଲ୍‌ ଭୁଲିଗଲେ ମହାମହିମ
ତିନିଦିନିଆ ମୟୂରଭଞ୍ଜ ଗସ୍ତର ଶେଷଦିନରେ ଆଜି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ବବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ଯୋଗଦେଇଥିଲେ। ସେ ୯ଟା ୧୦ ମିନିଟ୍‌ ସମୟରେ ବାରିପଦା ସର୍କିଟ୍‌ ହାଉସ୍‌ରୁ ବାହାରି ବିଶ୍ବବିଦ୍ୟାଳୟରେ ପହଞ୍ଚିଥିଲେ। ସେହିପରି କାର୍ଯ୍ୟକ୍ରମ ସାରି ୧୨ଟା ୪୦ ମିନିଟ୍‌ରେ ସ୍ବତନ୍ତ୍ର ହେଲିକପ୍ଟର ଯୋଗେ କଲେଇକୁଣ୍ଡା ବିମାନବନ୍ଦର ଅଭିମୁଖେ ବାହାରିଥିଲେ। ତେବେ କାର୍ଯ୍ୟକ୍ରମକୁ ଆସିବା ବେଳେ ଆଇନ ମହାବିଦ୍ୟାଳୟ ନିକଟରେ ପ୍ରୋଟୋକଲ୍‌ ଭାଙ୍ଗି ଗାଡ଼ିରୁ ଓହ୍ଲାଇଥିଲେ ଏବଂ ତାଙ୍କୁ ସ୍ବାଗତ ଅପେକ୍ଷାରେ ଛିଡ଼ା ହୋଇଥିବା‌ ଛାତ୍ରଛାତ୍ରୀଙ୍କ ପାଖକୁ ଯାଇ ହାତ ମିଳାଇଥିଲେ। ସେହିପରି କାର୍ଯ୍ୟକ୍ରମ ସାରି ଫେରିବ‌ା ବେଳେ ପ୍ରୋଟୋକଲ୍‌ ଭାଙ୍ଗି ବିଦାୟ ଜଣାଉଥିବା ବିଶ୍ବବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ପାଖକୁ ଯାଇଥିଲେ ଏବଂ ହାତ ମିଳାଇଥିଲେ। ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁଙ୍କ ଏପରି ଉଦାର ବ୍ୟବହାରକୁ ଛାତ୍ରଛାତ୍ରୀମାନେ ପ୍ରଶଂସା କରିବା ସହ ତାଙ୍କୁ ଲୋକଙ୍କ ରାଷ୍ଟ୍ରପତି ବୋଲି ଅଭିହିତ କରିଥିଲେ।

publive-image

ସ୍ନେହାଙ୍କ ପାଖରୁ ଫଟୋଚିତ୍ର ନେଲେ ରାଷ୍ଟ୍ରପତି
ସ୍ନେହା ଦାସ। ଭଦ୍ରକ ଜିଲ୍ଲାର ଜଣେ କଲେଜ ଛାତ୍ରୀ। ସେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଏକ ଫଟୋଚିତ୍ର ଆଙ୍କିଥିଲେ। ତାକୁ ରାଷ୍ଟ୍ରପତିଙ୍କୁ ଉପହାର ଦେବା ପାଇଁ ସେ ଶନିବାର ଦିନ ବାପା ଓ ସମ୍ପର୍କୀୟଙ୍କ ସହ ଦୌଡ଼ି ଆସିଥିଲେ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ବବିଦ୍ୟାଳୟ। ତେବେ ରାଷ୍ଟ୍ରପତିଙ୍କୁ ଦେଖା କରିବା ସମ୍ଭବ ନୁହେଁ କହି ସ୍ନେହାଙ୍କୁ କହିଥିଲା ପୁଲିସ। ଫଳରେ ସେ ଫଟୋଚିତ୍ରକୁ ଧରି ଖରାରେ ଠିଆ ହୋଇଥିଲେ। ରାଷ୍ଟ୍ରପତି ବିଶ୍ବବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ସହ ଭାବ ଆଦାନପ୍ରଦାନ କରୁଥିବ‌ା ବେଳେ ସ୍ନେହାଙ୍କ ଉପରେ ନଜର ପଡ଼ିଥିଲା। ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ ତାଙ୍କ ପାଖକୁ ଯାଇ ଫଟୋଚିତ୍ରଟି ନେଇଥିଲେ। ମୁଣ୍ଡରେ ହାତ ଲଗାଇ ସ୍ନେହାଙ୍କୁ ଆଶୀର୍ବାଦ କରିଥିଲେ।

publive-image

କାଠଗଡ଼ାରେ ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନ
ଦେଶର ପ୍ରଥମ ନାଗରିକ ମହାମହିମ ରାଷ୍ଟ୍ରପତି ଶନିବାର ଦିନ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ବବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ଯୋଗଦେଇଥିିଲେ। ଦୀକ୍ଷାନ୍ତ ଭାଷଣ ଦେଉଥିବା ବେଳେ ବିଦ୍ୟୁତ୍‌ ସରବରାହ ବନ୍ଦ ହୋଇଲା। ପ୍ରେକ୍ଷାଳୟ ସାରା ଅନ୍ଧାର ଘୋଟିଗଲା। ହେଲେ ସେ ଭାଷଣ ବନ୍ଦ ନକରି ପୋଡିୟମ୍‌ର ମିଞ୍ଜିମିଞ୍ଜି ଆଲୁଅରେ ବକ୍ତବ୍ୟ ଦେଇଚାଲିିଥିଲେ। ତାଙ୍କ ମୁହଁରେ କାଣିଚାଏ ବି ପରିବର୍ତ୍ତନ ‌ଦେଖିବାକୁ ମିଳି ନଥିଲା। ଏହାକୁ ମହାମହିମ ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁଙ୍କ ମହାନତା ବୋଲି କୁହାଯାଇପାରେ। ହେଲେ ପ୍ରସ୍ତୁତି ଯେ ସଂପୂର୍ଣ୍ଣ ଅବ୍ୟବସ୍ଥିତ ଥିଲା, ଏହି ଘଟଣାଟି ତା’ର ଦୃଷ୍ଟାନ୍ତ। ନୈତିକତା ଦୃଷ୍ଟିରୁ କୁଳପତି ସନ୍ତୋଷ ତ୍ରିପାଠୀ ସବୁ ଦୋଷ ସିନା ନିଜ ଉପରକୁ ନେଇଗଲେ ଏବଂ ଦୁଃଖ ପ୍ରକାଶ କରିବା ସହ କ୍ଷମା ମାଗିଲେ; ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନ କିନ୍ତୁ କାଠଗଡ଼ାକୁ ଟାଣି ହୋଇଯାଇଛନ୍ତି।