ରାଇରଙ୍ଗପୁର/ଶୁକୃଳି/ଖିଚିଂ/ରରୁଆଁ: ୪ ଦିନିଆ ଓଡ଼ିଶା ଗସ୍ତରେ ଆସି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ପ୍ରଥମ ଦିନରେ ମୟୂରଭଞ୍ଜରେ ପହଞ୍ଚିଛନ୍ତି। ବୁଧବାର ପୂର୍ବାହ୍ନରେ ଦିଲ୍ଲୀରୁ ବାୟୁସେନାର ସ୍ୱତନ୍ତ୍ର ବିମାନ ଯୋଗେ ଝାଡ଼ଖଣ୍ଡର ରାଞ୍ଚିଠାରେ ପହଞ୍ଚି ଏକ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ରାଷ୍ଟ୍ରପତି। ସେଠାରୁ ହେଲିକପ୍ଟର ଯୋଗେ ଆସି ଅପରାହ୍‌ଣ ୩.୦୫ରେ ମୟୂରଭଞ୍ଜ ଜିଲ୍ଲା ଶୁକୃଳି ନିକଟ ପାଣ୍ଡରଶିଳରେ ନିର୍ମିତ ଅସ୍ଥାୟୀ ହେଲିପ୍ୟାଡ୍‌ରେ ଓହ୍ଲାଇଥିଲେ। ଅପେକ୍ଷାରତ ଲୋକମାନଙ୍କୁ ଅଭିବାଦନ ଜଣାଇବା ପରେ କାର୍ ଯୋଗେ ଆସି ଖିଚିଂରେ ପହଞ୍ଚିଥିଲେ। ସେଠାରେ ମୟୂରଭଞ୍ଜର ଅଧିଷ୍ଠାତ୍ରୀ ଦେବୀ ମା’ କିଚକେଶ୍ବରୀଙ୍କୁ ପୂଜାର୍ଚ୍ଚନା କରିବା ସହିତ ଆଳତିରେ ସାମିଲ ହୋଇଥିଲେ। ଏହା ପରେ ରାଜ୍ୟପାଳ ରଘୁବର ଦାସଙ୍କ ସହ ବସି ମନ୍ଦିରରେ ପ୍ରସାଦସେବନ କରିଥିଲେ। ପ୍ରସାଦରେ ଖେଚୁଡ଼ି, କାନିକା, ଅରୁଆ ଭାତ, ବେସର, ଶାଗ, ଖଟା, ଖିରି, କ୍ଷୀରା, ବଡ଼ିଚୁରା ଆଦି ରହିଥିଲା। ରାଷ୍ଟ୍ରପତି ମନ୍ଦିରରୁ ଫେରିବା ସମୟରେ ମୁଗୁନି ପ୍ରସ୍ତରଶିଳ୍ପ ପାଇଁ ଖ୍ୟାତ ଖିଚିଂ କେଶନା ଗ୍ରାମର ମୂର୍ତ୍ତି କାରିଗରମାନେ ତାଙ୍କୁ ଭେଟି ରାମଲାଲାଙ୍କର ଏକ ମୂର୍ତ୍ତି ଉପହାର ଦେଇଥିଲେ।

Advertisment

ମା’ କିଚକେଶ୍ବରୀଙ୍କ ନିକଟରେ ପୂଜାର୍ଚ୍ଚନା
ରାଜ୍ୟପାଳଙ୍କ ସହ ପ୍ରସାଦ ସେବନ
ବିଭିନ୍ନ କେନ୍ଦ୍ରୀୟ ପ୍ରକଳ୍ପର ଶିଳାନ୍ୟାସ

ଏହା ପରେ ରାଷ୍ଟ୍ରପତି ମନ୍ଦିରରୁ ବାହାରି ହେଲିକପ୍ଟରରେ ରାଇରଙ୍ଗପୁର ଯାଇଥିଲେ। ରାଇରଙ୍ଗପୁର ନିକଟ ମହୁଲଡ଼ିହା କେନ୍ଦ୍ରୀୟ ବିଦ୍ୟାଳୟ ପାର୍ଶ୍ବରେ ସ୍ବତନ୍ତ୍ର ହଲିଡେ ହୋମ୍‌ (ଅବକାଶ ଗୃହ)ର ଶିଳାନ୍ୟାସ କରିଥିଲେ। ସେହି ସ୍ଥାନରୁ ଆଭାସି ମାଧ୍ୟମରେ ରାଞ୍ଚି-ବିଜୟୱାଡ଼ା ୨୨୦ ନମ୍ବର ଜାତୀୟ ରାଜପଥ ଓ ରାଇରଙ୍ଗପୁର-ଯଶିପୁର ରାଜପଥର ସଂପ୍ରସାରଣ, ବାଇଦାପୋଷି ନିକଟରେ ଅତ୍ୟାଧୁନିକ ସ୍ପୋର୍ଟସ୍‌ କମ୍ପ୍ଲେକ୍ସର ଶିଳାନ୍ୟାସ ସହିତ ବଡ଼ସାହି ଏକଲବ୍ୟ ଆବାସିକ ବିଦ୍ୟାଳୟର ଉଦ୍‌ଘାଟନ କରିଥିଲେ। ଏହି ଅବସରରେ ଅଭିଭାଷଣ ରଖି ରାଷ୍ଟ୍ରପତି କହିଥିଲେ, ଜନ୍ମମାଟିର ମୋହ ମୋତେ ବାରମ୍ବାର ଏଠାକୁ ଟାଣି ଆଣୁଛି। ଏ ମାଟିର ଶ୍ରଦ୍ଧା ପାଇଁ ଆଜି ମହାମହିମ ହୋଇପାରିଛି। ମୁଁ ଯେଉଁଠି ଥିଲେ ମଧ୍ୟ ଏହି ମାଟିକୁ ମନେ ପକାଉଥିବି। ମା’ କିଚକେଶ୍ବରୀଙ୍କ ନିକଟରେ ଆଜି ବିଶ୍ବବାସୀଙ୍କ କଲ୍ୟାଣ ନିମନ୍ତେ ପ୍ରାର୍ଥନା କରିଛି। ଆଦିବାସୀଙ୍କ ବିକାଶ ପାଇଁ ସରକାର ଗୁରୁତ୍ବ ଦେଉଛନ୍ତି। ଏକଲବ୍ୟ ଆବାସିକ ବିଦ୍ୟାଳୟ ମାଧ୍ୟମରେ ଆଦିବାସୀ ପିଲାମାନଙ୍କୁ ମାଗଣା ଶିକ୍ଷା ଦିଆଯାଉଛି। ଓଡ଼ିଶାରେ ମୋଟ ୮୭ଟି ନୂଆ ଏକଲବ୍ୟ ବିଦ୍ୟାଳୟ ଖୋଲାଯିବ। ଏଥିରୁ ମୟୂରଭଞ୍ଜରେ ୧୯ଟି ବିଦ୍ୟାଳୟ ପ୍ରତିଷ୍ଠା କରିବେ ସରକ‌ାର। ଏବେ ନିଜ ପିଲାମାନଙ୍କୁ ବିଦ୍ୟାଳୟ ପଠାଇବାର ଦାୟିତ୍ବ ଅଭିଭାବକଙ୍କର। ଏନ୍‌ଆର୍‌ଏଚ୍‌ଏମ୍‌ ଯୋଜନାରେ ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟକୁ ସ୍ବତନ୍ତ୍ର ଭାବେ ଅନୁଦାନ ଦିଆଯାଇଛି। ଏହି ହସ୍ପିଟାଲର ଆଧୁନିକୀକରଣ କରାଯିବ। ଉଭୟ କେନ୍ଦ୍ର ଓ ରାଜ୍ୟର ମିଳିତ ସହଯୋଗରେ ଆଦିବାସୀଙ୍କ ବିକାଶ ହୋଇପାରିବ ବୋଲି କହି ନିଜ ଭାଷଣ ଶେଷ କରିଥିଲେ ରାଷ୍ଟ୍ରପତି। ପରେ ରାଇରଙ୍ଗପୁର ପୂର୍ତ୍ତ ବିଭାଗ ଡାକବଙ୍ଗଳାରେ ସନ୍ଧ୍ୟା ୬ଟା ୩୦ରୁ ୭.୩୦ ପର୍ଯ୍ୟନ୍ତ ବିଶିଷ୍ଟ ବ୍ୟକ୍ତିବିଶେଷଙ୍କ ସହିତ ସାକ୍ଷାତ ପରେ ମହୁଲଡିହାସ୍ଥିତ ନିଜ ବାସଭବନକୁ ଚାଲିଯାଇଥିଲେ। ପରିବାରବର୍ଗଙ୍କ ସହିତ ଆଜି ସେଠାରେ ରାତ୍ରିଯାପନ କରି ଆସନ୍ତାକାଲି ସକାଳେ କେନ୍ଦୁଝର ଗସ୍ତରେ ଯିବେ ବୋଲି ଜଣାପଡ଼ିଛି।
ଆଜିର ଦିବସବ୍ୟାପୀ କାର୍ଯ୍ୟକ୍ରମରେ ରାଷ୍ଟ୍ରପତିଙ୍କ ସହ ରାଜ୍ୟପାଳ ରଘୁବର ଦାସ, କେନ୍ଦ୍ରମନ୍ତ୍ରୀ ବିଶ୍ବେଶ୍ବର ଟୁଡୁ, ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ବାସନ୍ତୀ ହେମ୍ବ୍ରମ୍‌, କ୍ରୀଡ଼ାମନ୍ତ୍ରୀ ତୁଷାରକାନ୍ତି ବେହେରା, ରାଇରଙ୍ଗପୁର ବିଧାୟକ ନବଚରଣ ମାଝୀ, ଯଶିପୁର ବିଧାୟକ ଗଣେଶ ରାମସିଂ ଖୁଣ୍ଟିଆ, ରାଷ୍ଟ୍ରପତିଙ୍କ ଝିଅ ଇତିଶ୍ରୀ ମୁର୍ମୁଙ୍କ ସମେତ ପୁଲିସ ଅତିରିକ୍ତ ମହାନିର୍ଦ୍ଦେଶକ ସଞ୍ଜୟ କୁମାର, ଜିଲ୍ଲାପାଳ ଆଶିଷ ଠାକ୍‌ରେ, ଏସ୍‌ପି ଏସ୍‌ ସୁଶ୍ରୀ, କରଞ୍ଜିଆ ଉପଜିଲ୍ଲାପାଳ ପ୍ରେମାଂଶୁ ଚାନ୍ଦ, ଏସ୍‌ଡିପିଓ ସୁବ୍ରତ କୁମାର, ରରୁଆଁ ଥାନା ଆଇଆଇସି ସୁମନ୍ତ ସେଠୀ ଓ ବହୁ ବରିଷ୍ଠ ପଦାଧିକାରୀ ଉପସ୍ଥିତ ଥିଲେ।