ପୁରୀ ରାଜଭବନରେ ରାଷ୍ଟ୍ରପତି କୋବିନ୍ଦ, ସନ୍ଧ୍ୟାରେ କରିବେ ଶ୍ରୀଜିଉଙ୍କ ଦର୍ଶନ

ପୁରୀ: ରାଷ୍ଟ୍ରପତି ରାମନାଥ କୋବିନ୍ଦ ୨ ଦିନିଆ ଓଡ଼ିଶା ଗ୍ରସ୍ତରେ ଆସି ଶ୍ରୀକ୍ଷେତ୍ର ପୁରୀ‌ରେ ପହଞ୍ଚି ସାରିଛନ୍ତି। ସେ ବାୟୁସେନାର ଏକ ସ୍ୱତନ୍ତ୍ର ହେଲିକପ୍ଟରରେ ସ୍ଥାନୀୟ ତାଳବଣିଆ ହେଲିପ୍ୟାଡ୍‌ରେ ପହଞ୍ଚିବା ପରେ କଡ଼ା ସୁରକ୍ଷା ଭିତରେ ଏକ ସ୍ବତନ୍ତ୍ର କାରକେଡ୍‌ରେ ରାଜଭବନରେ ପହଞ୍ଚିଛନ୍ତି। ଆଜି ସନ୍ଧ୍ୟାରେ ସେ ଶ୍ରୀମନ୍ଦିର ଯାଇ ଶ୍ରୀଜିଉମାନଙ୍କୁ ଦର୍ଶନ କରିବେ। ରାଷ୍ଟ୍ରପତିଙ୍କ ସହିତ ତାଙ୍କର ଧର୍ମପତ୍ନୀ ମଧ୍ୟ ଅଛନ୍ତି। ରାଷ୍ଟ୍ରପତିଙ୍କୁ ପୁରୀ ଗସ୍ତ ଅବସରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌ ମଧ୍ୟ ଅଛନ୍ତି।

ରାଷ୍ଟ୍ରପତି ଭୁବନେଶ୍ବରସ୍ଥିତ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିବା ପରେ ତାଙ୍କୁ ରାଜ୍ୟପାଳ ପ୍ରଫେସର୍ ଗଣେଶୀ ଲାଲ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ବାଗତ କରିଥିଲେ। ଏହି ଅବସରରେ ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ, ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର, ପୁଲିସ ଡିଜି ସୁନୀଲ ବଂଶଲ ଓ ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ।


ରାଷ୍ଟ୍ରପତି ରାମାନଥ କୋବିନ୍ଦ ଆଜି ସଂଧ୍ୟାରେ ଶ୍ରୀମନ୍ଦିରରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରିବେ। ଏଥି ପାଇଁ ଶ୍ରୀମନ୍ଦିରରେ ଅପରାହ୍ନ ୪ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ସାଧାରଣ ଦର୍ଶନ ବନ୍ଦ ରହିଛି। ରାଷ୍ଟ୍ରପତିଙ୍କ ଗସ୍ତ ପାଇଁ ପୁରୀରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରିଦିଆଯାଇଛି।

ଫେବ୍ରୁଆରି ୨୦ରେ ଶ୍ରୀଗୁଣ୍ଡିଚା ମନ୍ଦିର ସମ୍ମୁଖ ଶରଧାବାଲିଠାରେ ଆୟୋଜିତ ଗୌଡୀୟ ମିସନରେ ପ୍ରତିଷ୍ଠାତା ଶ୍ରୀମଦ୍ ଭକ୍ତି ସିଦ୍ଧାନ୍ତ ସରସ୍ବତୀ ଗୋସ୍ବାମୀ ପ୍ରଭୁପାଦଙ୍କ ୧୫୦ତମ ଜନ୍ମଜୟନ୍ତୀର ତୃତୀୟ ବାର୍ଷିକୀ ପାଳନ ଶୁଭାରମ୍ଭ ଉତ୍ସବରେ ଯୋଗଦେବେ।

ଗସ୍ତର କାର୍ଯ୍ୟସୂଚୀ ଅନୁଯାୟୀ, ଅପରାହ୍ଣ ୩ଟା ୨୫ରେ ପୁରୀ ତାଳବଣିଆ ହେଲିପ୍ୟାଡ୍‌ରେ ଅବତରଣ ପରେ ଭିଆଇପି ରୋଡ୍‌ସ୍ଥିତ ରାଜଭବନ ଅଭିମୁଖେ ଯାତ୍ରା କରିଥିଲେ। ପ୍ରାୟ ଏକ ଘଣ୍ଟାର ବିଶ୍ରାମ ପରେ ମହାପ୍ରଭୁଙ୍କ ଦର୍ଶନ ପାଇଁ କଡ଼ା ସୁରକ୍ଷାବଳୟ ଭିତରେ କାର୍‌ରେ ସପରିବାର ଶ୍ରୀମନ୍ଦିର ଅଭିମୁଖେ ଯାତ୍ରା କରିବେ। ସଂଧ୍ୟା ୫ଟାରେ ଶ୍ରୀମନ୍ଦିରଠାରେ ପହଞ୍ଚିବା ପରେ ସିଂହଦ୍ବାର ଦେଇ ଶ୍ରୀମନ୍ଦିରରେ ପ୍ରବେଶ କରିବେ। ଗର୍ଭଗୃହରୁ ମହାପ୍ରଭୁଙ୍କ ଦର୍ଶନ ପରେ ମା’ ବିମଳା, ମହାଲକ୍ଷ୍ମୀଙ୍କ ମନ୍ଦିର ଯାଇ ଦର୍ଶନ କରିବେ। ପ୍ରାୟ ୪୫ ମିନିଟ୍‌ ଶ୍ରୀମନ୍ଦିର ଭିତରେ ରହିବା ପରେ ସଂଧ୍ୟା ୫ଟା ୪୫ରେ ସିଂହଦ୍ବାର ଦେଇ ବାହାରି ରାଜଭବନ ଯିବେ।

ଆଜି ରାତ୍ରିକାଳୀନ ବିଶ୍ରାମ ପରେ ଫେବ୍ରୁଆରି ୨୦ ତାରିଖ ପୂର୍ବାହ୍ନ ସାଢ଼େ ୧୦ଟାରେ ରାଜଭବନରୁ ବାହାରି ପୁରୀ ଶ୍ରୀଚୈତନ୍ୟ ଗୌଡ଼ୀୟ ମଠକୁ ଯିବେ। ୧୦ ମିନିଟ୍‌ର ମଠ ପରିଦର୍ଶନ ପରେ ପୂର୍ବାହ୍ନ ୧୦ଟା ୪୫ରେ ଚୈତନ୍ୟ ‌ଗୌଡ଼ୀୟ ମଠ ପକ୍ଷରୁ ଆୟୋଜିତ ଶରଧାବାଲିସ୍ଥିତ ସଭାସ୍ଥଳରେ ପହଞ୍ଚିବେ। ପୂର୍ବାହ୍ନ ୧୧ଟାରେ ଗୌଡୀୟ ମିସନ୍‌ର ପ୍ରତିଷ୍ଠାତା ଶ୍ରୀମଦ୍‌ ଭକ୍ତି ସିଦ୍ଧାନ୍ତ ସରସ୍ବତୀ ଗୋସ୍ବାମୀ ପ୍ରଭୁପାଦଙ୍କ ୧୫୦ତମ ଜୟନ୍ତୀର ତୃତୀୟ ବାର୍ଷିକୀ ପାଳନ ଉତ୍ସବର ଶୁଭାରମ୍ଭ କରିବେ। ପ୍ରାୟ ଏକ ଘଣ୍ଟା ସଭାରେ ରହିବା ସହ ଅଭିଭାଷଣ ଦେବା ପରେ ମଧ୍ୟାହ୍ନ ୧୨ଟାରେ ପୁନର୍ବାର ପୁରୀ ତାଳବଣିଆସ୍ଥିତ ହେଲିପ୍ୟାଡ୍‌ ଅଭିମୁଖେ ଯାତ୍ରା କରିବେ। ମଧ୍ୟାହ୍ନ ୧୨ଟା ୧୫ରେ ହେଲିକପ୍ଟରରେ ବସି ଭୁବନେଶ୍ବର ବିମାନବନ୍ଦର ଅଭିମୁଖେ ଯାତ୍ରା କରିବେ। ମଧ୍ୟାହ୍ନ ୧୨ଟା ୫୫ରେ ଭୁବନେଶ୍ବର ବିମାନବନ୍ଦରରୁ ଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରିବେ।

ସମ୍ବନ୍ଧିତ ଖବର