୧୦ରେ ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି

ଭୁବନେଶ୍ବର : ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଆସନ୍ତା ୧୦ ତାରିଖରେ ରମାଦେବୀ ମହିଳା ବିଶ୍ବବିଦ୍ୟାଳୟ ଦ୍ବିତୀୟ ସମାବର୍ତ୍ତନ ଉତ୍ସବରେ ମୁଖ୍ୟଅତିଥି ଭାବେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଅପରାହ୍ନ ୪ଟାରୁ ୫ଟା ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବା ଏହି ସମାବର୍ତ୍ତନ ଉତ୍ସବ ଅବସରରେ ରାଷ୍ଟ୍ରପତି ଦୁଇ ଜଣ ଛାତ୍ରୀଙ୍କୁ ପିଏଚ୍‌ଡି ଡିଗ୍ରି ପ୍ରଦାନ କରିବେ। ଏଥିସହ ପାଖାପାଖି ୩୦ ଜଣ ଛାତ୍ରୀଙ୍କୁ ସ୍ବର୍ଣ୍ଣ ପଦକ ପ୍ରଦାନ କରିବାର କାର୍ଯ୍ୟକ୍ରମ ରହିଛି। କେତେ ଜଣଙ୍କୁ ସମ୍ମାନସୂଚକ ଡକ୍ଟରେଟ୍‌ ଡିଗ୍ରି ପ୍ରଦାନ କରାଯିବ ତାହା ଚୂଡ଼ାନ୍ତ ହୋଇ ନ ଥିବା ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ କହିଛନ୍ତି। ଗସ୍ତ ଅବସରରେ ରାଷ୍ଟ୍ରପତି ନିଜର ଏହି ପୁରାତନ ଶିକ୍ଷାନୁଷ୍ଠାନରେ କିଛି ସମୟ ବିତାଇବେ। ରାଷ୍ଟ୍ରପତିଙ୍କ ସହ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ସେହିଦିନ ଉତ୍କଳ ମଣ୍ଡପରେ ଆୟୋଜିତ ହେବାକୁ ଥିବା ଏକ କାର୍ଯ୍ୟକ୍ରମରେ ମଧ୍ୟ ରାଷ୍ଟ୍ରପତି ଯୋଗଦେବେ। ସେହିପରି ୧୧ ତାରିଖରେ ରାଷ୍ଟ୍ରପତି ଶ୍ରୀଲିଙ୍ଗରାଜ ମନ୍ଦିର ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି। ସେଠାରେ ମହାପ୍ରଭୁଙ୍କ ଦର୍ଶନ ସହ ପୂଜାର୍ଚ୍ଚନା କରିବେ। ପରବର୍ତ୍ତୀ ସମୟରେ କଟକସ୍ଥିତ ଜାତୀୟ ଧାନ ଗବେଷଣା ପ୍ରତିଷ୍ଠାନରେ ହେବାକୁ ଥିବା ଇଣ୍ଡିଆନ୍‌ ରାଇସ୍‌ କଂଗ୍ରେସକୁ ରାଷ୍ଟ୍ରପତି ଉଦ୍‌ଘାଟନ କରିବେ।

ରାଷ୍ଟ୍ରପତିଙ୍କ ଦୁଇଦିନିଆ ଗସ୍ତକୁ ଦୃଷ୍ଟିରେ ରଖି କଟକ-ଭୁବନେଶ୍ବର ପୁଲିସ କମିସନର ସୌମେନ୍ଦ୍ର ପ୍ରିୟଦର୍ଶୀ ଆଜି କାର୍ଯ୍ୟକ୍ରମ ହେବାକୁ ଥିବା ସ୍ଥାନଗୁଡ଼ିକର ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କରିଛନ୍ତି। ୪ଟି ଯାକ କାର୍ଯ୍ୟକ୍ରମ କଟକ ଓ ଭୁବନେଶ୍ବରରେ ଅନୁଷ୍ଠିତ ହେବାକୁ ଥିବାରୁ ବରିଷ୍ଠ ଅଧିକାରୀଙ୍କ ସହ ମିଶି ପୁଲିସ କମିସନର ତଦାରଖ କରିଛନ୍ତି। ପୁଲିସ କମିସନର କହିଛନ୍ତି ଯେ ୧୦ ତାରିଖରେ ରାଷ୍ଟ୍ରପତି ଆସିବାର କାର୍ଯ୍ୟକ୍ରମ ରହିଛି। ତାହାକୁ ନଜରରେ ରଖି ଆଜି ଭିତ୍ତିଭୂମି ଯ‌ାଞ୍ଚ କରାଯାଇଛି। ରାଷ୍ଟ୍ରପତିଙ୍କ ଚୂଡ଼ାନ୍ତ କାର୍ଯ୍ୟସୂଚୀ ଆସିବା ପରେ ରୂପରେଖ ପ୍ରସ୍ତୁତ ହେବ। ୬ ତାରିଖ ପରେ ଏଦିଗରେ ପଦକ୍ଷେପ ନିଆଯିବ।

ସମ୍ବନ୍ଧିତ ଖବର