ପୁରୀ ଆସୁଛନ୍ତି ରାଷ୍ଟ୍ରପତି: ଶ୍ରୀମନ୍ଦିର ଓ କୋଣାର୍କରେ ସୁରକ୍ଷା କଡ଼ାକଡ଼ି

ମଧ୍ୟାହ୍ନ ୧୨ ପର୍ଯ୍ୟନ୍ତ ବଡ଼ଦାଣ୍ଡରେ ଦୋକାନବଜାର ବନ୍ଦ

ଜଗିବେ ୨୬୩ ଅଧିକାରୀ, ୪୦ ପ୍ଲାଟୁନ ଫୋର୍ସ
ସ୍ଥିତି ଅନୁଧ୍ୟାନ କଲେ କ୍ରାଇମ୍‌ବ୍ରାଞ୍ଚ ଏଡିଜି

ପୁରୀ : ରାଷ୍ଟ୍ରପତି ରାମନାଥ କୋବିନ୍ଦ ସୋମବାର ପୁରୀ ଗସ୍ତରେ ଆସୁଛନ୍ତି। ଏହି ଉପଲକ୍ଷେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଶ୍ରୀମନ୍ଦିର, ବଡ଼ଦାଣ୍ଡ, କୋଣାର୍କ ସୂର୍ଯ୍ୟମନ୍ଦିର, ତୈଳ ନିଗମ ବ୍ୟାଖ୍ୟାନ କେନ୍ଦ୍ର ସହ ହେଲିପ୍ୟାଡ୍‌ ଉପରେ କଡ଼ା ନଜର ରଖାଯାଇଛି। ସୁରକ୍ଷା ଦୃଷ୍ଟିକୋଣରୁ ରବିବାର ସଂଧ୍ୟାରୁ ସୋମବାର ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ବଡ଼ଦାଣ୍ଡର ମେଡିକାଲ୍‌ ଛକରୁ ଶ୍ରୀମନ୍ଦିର ପର୍ଯ୍ୟନ୍ତ ସମସ୍ତ ଦୋକାନ ବଜାର ବନ୍ଦ କରି ଦିଆଯାଇଛି। ମେଡିକାଲ୍‌ ଛକରୁ ଶ୍ରୀମନ୍ଦିର ପର୍ଯ୍ୟନ୍ତ ବଡ଼ଦାଣ୍ଡର ପ୍ରମୁଖ ପ୍ରବେଶ ପଥକୁ ମଧ୍ୟ ସିଲ୍‌ କରି ଦିଆଯାଇଛି।

ଗସ୍ତସୂଚୀ ଅନୁଯାୟୀ, ରାଷ୍ଟ୍ରପତି ସୋମବାର ହେଲିକପ୍ଟରରେ ଭୁବନେଶ୍ବର ବିମାନବନ୍ଦରରୁ ବାହାରି ସକାଳ ୮ଟା ୪୫ରେ ତାଳବଣିଆ ହେଲିପ୍ୟାଡ୍‌ରେ ପହଞ୍ଚିବେ। ସେଠାରୁ ସିଧାସଳଖ ଶ୍ରୀମନ୍ଦିର ଯିବାର କାର୍ଯ୍ୟକ୍ରମ ରହିଛି। ସକାଳ ୯ଟା ୫ରେ ଶ୍ରୀମନ୍ଦିରରେ ପହଞ୍ଚିବା ପରେ ପ୍ରାୟ ୪୦ ମିନିଟ୍‌ ପର୍ଯ୍ୟନ୍ତ ମନ୍ଦିର ଭିତରେ ରହିବେ। ଗର୍ଭଗୃହରୁ ମହାପ୍ରଭୁଙ୍କ ଦର୍ଶନ ପରେ ମା’ ବିମଳା, ମହାଲକ୍ଷ୍ମୀ ମନ୍ଦିରର ଯିବେ। ୯ଟା ୪୫ରେ ଶ୍ରୀମନ୍ଦିରରୁ ବାହାରି ପୁଣି ‌ତାଳବଣିଆ ହେଲିପ୍ୟାଡ୍‌କୁ ଯିବେ। ୯ଟା ୫୫ ସୁଦ୍ଧା ହେଲିପ୍ୟାଡ୍‌ରେ ପହଞ୍ଚିବା ପରେ କୋଣାର୍କ ଅଭିମୁଖ‌େ ଯାତ୍ରା କରିବେ। ପୂର୍ବାହ୍ଣ ୧୦ଟା ୨୫ରେ କୋଣାର୍କ ହେଲିପ୍ୟାଡ୍‌ରେ ଅବତରଣ ପରେ ୧୦ଟା ୪୫ରେ କୋଣାର୍କ ସୂର୍ଯ୍ୟମନ୍ଦିରଠାରେ ପହଞ୍ଚିବେ। ପୂର୍ବାହ୍ଣ ୧୦ଟା ୪୫ରୁ ୧୧ଟା ୧୫ ପର୍ଯ୍ୟନ୍ତ, ପ୍ରାୟ ଅଧଘଣ୍ଟା ସୂର୍ଯ୍ୟମନ୍ଦିର ବୁଲିବା ପରେ ୧୧ଟା ୨୦ରେ ତୈଳ ନିଗମର ବ୍ୟାଖ୍ୟାନ କେନ୍ଦ୍ରରେ ପହଞ୍ଚିବେ। ପୂର୍ବାହ୍ଣ ସାଢ଼େ ୧୧ଟାରୁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ଏହି ବ୍ୟାଖ୍ୟାନ କେନ୍ଦ୍ର ବୁଲି ଦେଖିବା ପରେ କୋଣାର୍କ ଯାତ୍ରୀ ନିବାସରେ ୧୨ଟା ୫ରେ ପହଞ୍ଚି ମଧ୍ୟାହ୍ନଭୋଜନ ସାରି ବିଶ୍ରାମ ନେବେ। ଅପରାହ୍ଣ ୪ଟାରେ ଯାତ୍ରୀ ନିବାସ ଛାଡ଼ିବେ ଓ ୪ଟା ୫ରେ କୋଣାର୍କ ହେଲିପ୍ୟାଡ୍‌ରୁ ଭୁବନେଶ୍ବର ଅଭିମୁଖେ ବାହାରିଯିବେ। ଭୁସେଠାରେ ରାଷ୍ଟ୍ରପତି ଦିଲ୍ଲୀ ଫେରିଯିବାର କାର୍ଯ୍ୟକ୍ରମ ରହିଛି।

ଏହି ଉପଲକ୍ଷେ ଉଭୟ ପୁରୀ ଓ କୋଣାର୍କ ପାଇଁ ୪୦ ପ୍ଲାଟୁନ୍‌ ଫୋର୍ସ ମୁତୟନ କରାଯାଇଛି। ଏତଦ୍‌ବ୍ୟତୀତ ଏସ୍‌ପି ତଥା କମାଣ୍ଡର ରୢାଙ୍କ୍‌ର ୫ଜଣ ଅଧିକାରୀ, ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ରୢାଙ୍କର ୮ଜଣ ଅଧିକାରୀ, ଇନ୍‌ସପେକ୍ଟର୍‌, ସବଇନ୍‌ସପେକ୍ଟର ଓ ଏଏସ୍‌ଆଇ ରୢାଙ୍କ୍‌ର ୨୫୦ ଅଧିକାରୀଙ୍କୁ ମୁତୟନ କରାଯାଇଛି। ଆଜି ରାତିରୁ ବିଭିନ୍ନ ପ୍ରବେଶ ପଥରେ ଚେକିଂକୁ ଜୋରଦାର କରାଯିବ। ଡଗ୍‌ ସ୍କ୍ବାଡ୍‌ ସହ ମେଟାଲ୍‌ ଡିଟେକ୍ଟର ଜରିଆରେ ଶ୍ରୀମନ୍ଦିର, ହେଲିପ୍ୟାଡ୍‌ ଯାଞ୍ଚ କରାଯାଇଛି। କେନ୍ଦ୍ରାଞ୍ଚଳ ଡିଆଇଜି ଜେ ଏନ୍‌ ପଙ୍କଜ ବି ଦୁଇଦିନ ଧରି ପୁରୀ ଓ କୋଣାର୍କର ଆଇନଶୃଙ୍ଖଳା ଓ ସୁରକ୍ଷା ସ୍ଥିତି ଅନୁଧ୍ୟାନ କରିଛନ୍ତି। ଆଜି ପୂର୍ବାହ୍‌ଣରେ କ୍ରାଇମ୍‌ବ୍ରାଞ୍ଚ୍‌ ଏଡିଜି ଯଶୋବନ୍ତ ଜେଠ୍‌ୱା ପୁରୀ ଆସି ସୁରକ୍ଷା ସ୍ଥିତି ଅନୁଧ୍ୟାନ କରିଛନ୍ତି। ଡିଆଇଜି ଶ୍ରୀ ପଙ୍କଜ ଓ ଆରକ୍ଷୀ ଅଧୀକ୍ଷକ ଡା. କେ. ବିଶାଲ ସିଂହଙ୍କ ସହ ସୁରକ୍ଷା ବ୍ୟବସ୍ଥା ସମ୍ପର୍କରେ ଆଲୋଚନା କରିଛନ୍ତି। ଅନ୍ୟପଟେ ରାଷ୍ଟ୍ରପତିଙ୍କ ସ୍ବାଗତ ପାଇଁ ବ୍ୟାପକ ସାଜସଜ୍ଜା କରାଯାଇଛି। ଶ୍ରୀମନ୍ଦିର ଗୁମୁଟ ସହ ଅନ୍ୟାନ୍ୟ ସ୍ଥାନ ରଙ୍ଗ କରାଯାଇଛି। ସିଂହଦ୍ବାରରେ ଅସ୍ଥାୟୀ ଗୃହ ନିର୍ମାଣ କରାଯାଇଛି। ମେଡିକାଲ୍‌କୁ ସଂଯୋଗ କରୁଥିବା ବଡ଼ଦାଣ୍ଡର ବିଭିନ୍ନ ପ୍ରମୁଖ ପ୍ରବେଶ ପଥରେ ବ୍ୟାରିକେଟ୍‌ ତିଆରି କରାଯାଇଛି। ଆଜି ବି ପୁଲିସ ପକ୍ଷରୁ ସୁରକ୍ଷା ଉପରେ ମକ୍‌ଡ୍ରିଲ୍‌ କରାଯାଇଛି।

ସମ୍ବନ୍ଧିତ ଖବର