ପୁରୀରେ ରାଷ୍ଟ୍ରପତି କୋବିନ୍ଦ: ମହାପ୍ରଭୁଙ୍କୁ ଗର୍ଭଗୃହରୁ ଦର୍ଶନ କଲେ ରାଷ୍ଟ୍ରପତି

ନାଲି ରଙ୍ଗର ବାନା ବନ୍ଧାଇଲେ, ବେଢ଼ାରେ ଠିଆ ହୋଇ ଦେଖିଲେ

ପୁରୀ: ରାଷ୍ଟ୍ରପତି ରାମନାଥ କୋବିନ୍ଦ ଆଜି ପୁରୀରେ ପହଞ୍ଚି ମହାପ୍ରଭୁଙ୍କ ଦର୍ଶନ ଲାଭ କରିଛନ୍ତି। ରାଷ୍ଟ୍ରପତିଙ୍କ ସହ ତାଙ୍କ ପତ୍ନୀ ସବିତା କୋବିନ୍ଦ, ଝିଅ ସ୍ବାତୀ କୋବିନ୍ଦ, ପୁଅ ପ୍ରଶାନ୍ତ କୋବିନ୍ଦ ଓ ଅନ୍ୟ ପରିବାର ସଦସ୍ୟମାନେ ବି ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି। ମନ୍ତ୍ର ଉଚ୍ଚାରଣ ପୂର୍ବକ ଗର୍ଭଗୃହରୁ ସପରିବାର ଶ୍ରୀଜିଉଙ୍କ ଦର୍ଶନ ପରେ ମା’ ବିମଳା ଓ ମା’ ମହାଲକ୍ଷ୍ମୀଙ୍କୁ ଦର୍ଶନ କରିଛନ୍ତି। ଶ୍ରୀମନ୍ଦିର ବେଢ଼ା ପରିକ୍ରମା କରିବା ସହ କୌଳିକ ପଣ୍ଡାଙ୍କ ଜରିଆରେ ନାଲି ରଙ୍ଗର ପତିତପାବନ ବାନା ବାନ୍ଧିଛନ୍ତି। ୧୦ ମିନିଟ୍‌ ଧରି ଶ୍ରୀମନ୍ଦିର ବେଢ଼ାରୁ ବାନା ବାନ୍ଧିବାର ଦୃଶ୍ୟ ଦେଖିଛନ୍ତି। ୪୫ ମିନିଟ୍‌ର ଦର୍ଶନ ସମୟ ଥିଲେ ବି ୧ ଘଣ୍ଟାରୁ ଅଧିକ ସମୟ ଶ୍ରୀମନ୍ଦିର ଭିତରେ କାଟି ପୁନର୍ବାର ରାଜଭବନ ଫେରିଛନ୍ତି।

ରାଷ୍ଟ୍ରପତି ପରିବାର ସଦସ୍ୟଙ୍କ ସହ ପୁରୀ ରାଜଭବନରେ ଆଜି ରାତ୍ରୀଯାପନ ପରେ ଆସନ୍ତାକାଲି ପୂର୍ବାହ୍ଣ ପ୍ରାୟ ୧୧ଟାରେ ଶ୍ରୀଗୁଣ୍ଡିଚା ମନ୍ଦିର ସମ୍ମୁଖ ଶରଧାବାଲିଠାରେ ଆୟୋଜିତ ଶ୍ରୀମଦ୍‌ ଭକ୍ତି ସିଦ୍ଧାନ୍ତ ସରସ୍ବତୀ ଗୋସ୍ବାମୀ ପ୍ରଭୁପାଦଙ୍କ ୧୫୦ତମ ଜନ୍ମୋତ୍ସବ ପାଳନ ଉତ୍ସବରେ ଯୋଗଦେବେ। ଏହି ଉତ୍ସବ ୩ ବର୍ଷ ଧରି ପାଳନ ହେବ। ରାଷ୍ଟ୍ରପତି ଏହାର ଶୁଭାରମ୍ଭ କରିବେ। ଏହା ପୂର୍ବରୁ ବଡ଼ଦାଣ୍ଡ ମରିଚିକୋଟ ଛକରେ ଥିବା ଗୌଡୀୟ ମଠ ପରିଦର୍ଶନ କରିବେ। ଏହି ଉପଲକ୍ଷେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ୪୦ ପ୍ଲାଟୁନ୍‌ ଫୋର୍ସ ସହ ୨ଶହରୁ ଅଧିକ ପୁଲିସ ଅଧିକାରୀଙ୍କୁ ନିୟୋଜିତ କରାଯାଇଛି। ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟକ୍ରମ ଅନୁଯାୟୀ, ଆଜି ବାୟୁସେନାର ବିବିଜେ ବିମାନରେ ଦିଲ୍ଲୀରୁ ବାହାରି ଅପରାହ୍ଣ ସାଢ଼େ ୨ଟାରେ ଭୁବନେଶ୍ବର ବିମାନବନ୍ଦରରେ ଅବତରଣ ପରେ ବାୟୁସେନାର ଏମ୍‌ଆଇ-୧୭ ହେଲିକପ୍ଟରରେ ତାଳବଣିଆ ହେଲିପ୍ୟାଡ୍‌ରେ ଅପରାହ୍ଣ ପ୍ରାୟ ୩ଟା ୧୨ମିନିଟ୍‌ରେ ପହଞ୍ଚିଥିଲେ। ରାଷ୍ଟ୍ରପତିଙ୍କ ସହ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌ ବି ହେଲିକପ୍ଟରରେ ତାଳବଣିଆ ହେଲିପ୍ୟାଡ୍‌ରେ ଅବତରଣ ପରେ ସ୍ବତନ୍ତ୍ର କାରକେଡ୍‌ ସୁରକ୍ଷା ବଳୟ ଭିତରେ ରାଜଭବନ ପହଞ୍ଚିଥିଲେ। ରାଷ୍ଟ୍ରପତିଙ୍କ ହେଲିକପ୍ଟରକୁ ଅନ୍ୟ ଦୁଇ ହେଲିକପ୍ଟର ବି କଡ଼ା ସୁରକ୍ଷା ବଳୟ ଭିତରେ ପୁରୀ ଆଣିଥିଲେ। ତିନି ହେଲିକପ୍ଟର ତାଳବଣିଆ ହେଲିପ୍ୟାଡ୍‌ରେ ଅବତରଣ ପରେ ରାଷ୍ଟ୍ରପତି ଓ ରାଜ୍ୟପାଳ ଭିଆଇପି ରୋଡ୍‌ସ୍ଥିତ ରାଜଭବନ ଯାଇଥିଲେ। ଅପରାହ୍ଣ ୪ଟା ୪୫ରେ କାରକେଡ୍‌ରେ ରାଜଭବନରୁ ବାହାରି ଭିଆଇପି ରୋଡ୍‌, ବଡ଼ଦାଣ୍ଡ ଦେଇ ସଂଧ୍ୟା ୫ଟାରେ ଶ୍ରୀମନ୍ଦିରଠାରେ ପହଞ୍ଚିଥିଲେ। ସିଂହଦ୍ବାର ଦେଇ ଶ୍ରୀମନ୍ଦିରରେ ପ୍ରବେଶ ପୂର୍ବରୁ ରାଷ୍ଟ୍ରପତି ଅରୁଣସ୍ତମ୍ଭଙ୍କୁ ପ୍ରଣାମ ଜଣାଇଥିଲେ। ରାଷ୍ଟ୍ରପତିଙ୍କ ସହ ପତ୍ନୀ ସବିତା କୋବିନ୍ଦ ଓ ଅନ୍ୟ ପରିବାର ସଦସ୍ୟମାନେ ଅରୁଣସ୍ତମ୍ଭକୁ ପ୍ରଣାମ ଜଣାଇବା ପରେ ସାତପାହାଚ ଦେଇ ଶ୍ରୀମନ୍ଦିର ନାଟମଣ୍ଡପରେ ପ୍ରବେଶ କରିଥିଲେ। ଗରୁଡ଼ସ୍ତମ୍ଭ ପରିକ୍ରମା ପରେ ଏହା ନିକଟରୁ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଦର୍ଶନ କରି ଖୁସିବ୍ୟକ୍ତ କରିଥିଲେ। ପରେ ମନ୍ତ୍ର ଉଚ୍ଚାରଣ ପୂର୍ବକ ଗର୍ଭଗୃହରେ ସପରିବାର ପ୍ରବେଶ କରିଥିଲେ। କୌଳିକ ପଣ୍ଡା ନାରାୟଣ ଗୋଚ୍ଛିକାର ଓ ଭଗବାନ ଗୋଚ୍ଛିକାର ରାଷ୍ଟ୍ରପତି ଓ ତାଙ୍କ ପରିବାରକୁ ଶ୍ରୀଜିଉଙ୍କୁ ଦର୍ଶନ କରାଇଥିଲେ। ଏ ସମ୍ପର୍କରେ କୌଳିକ ପଣ୍ଡା ନାରାୟଣ ଗୋଚ୍ଛିକାର କହିଛନ୍ତି, ରାଷ୍ଟ୍ରପତି ଓ ତାଙ୍କ ପରିବାର ପ୍ରାୟ ୧୦ ମିନିଟ୍‌ ଗର୍ଭଗୃହରୁ ଶ୍ରୀଜିଉଙ୍କ ଦର୍ଶନ ସହ ପ୍ରଣାମ କରିଥିଲେ। ପରେ ମା’ ବିମଳାଙ୍କ ମନ୍ଦିରକୁ ଯାଇ ଦର୍ଶନ କରିଥିଲେ। ସେଠାରେ ଅଧିକ ସମୟ ବିତାଇବା ସହ ମା’ଙ୍କ ଆଶୀର୍ବାଦ ନେଇଥିଲେ। ପରେ ମହାଲକ୍ଷ୍ମୀଙ୍କ ମନ୍ଦିରକୁ ଯାଇ ଦର୍ଶନ କରିଥିଲେ। ଏହାପରେ ବେଢ଼ା ପରିକ୍ରମା କରିଥିଲେ। ଶ୍ରୀମନ୍ଦିର କାର୍ଯ୍ୟାଳୟରେ ପୂର୍ବରୁ ରାଷ୍ଟ୍ରପତିଙ୍କ ନାମରେ ବାନା ବାନ୍ଧିବା ପାଇଁ ରସିଦ୍‌ କଟାଯାଇଥିଲା। ଏହି ବାନା ଆଜି ନୀଳଚକ୍ରରେ ବନ୍ଧା ଯାଇଥିଲା। ବାନା ବାନ୍ଧିବାର ଦୃଶ୍ୟ ସପରିବାର ଦେଖିବା ପରେ ସଂଧ୍ୟା ପ୍ରାୟ ୬ଟାରେ ସିଂହଦ୍ବାର ଦେଇ ଶ୍ରୀମନ୍ଦିରରୁ ବାହାରି ରାଜଭବନ ଫେରିଥିଲେ।

ଏହାପୂର୍ବରୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଆଜି ଅପରାହ୍‌ଣରେ ଭୁବନେଶ୍ବରରେ ପହଞ୍ଚିଥିଲେ। ରାଷ୍ଟ୍ରପତିଙ୍କୁ ନେଇ ଆସିଥିବା ବାୟୁସେନାର ସ୍ବତନ୍ତ୍ର ବିମାନ ଅପରାହ୍‌ଣ ୨ଟା ୨୮ ମିନିଟ୍‌ରେ ବିଜୁ ପଟ୍ଟନାୟକ ବିମାନବନ୍ଦରରେ ଅବତରଣ କରିଥିଲା। ସେଠାରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଷ୍ଟ୍ରପତିଙ୍କୁ ସ୍ବାଗତ କରିଥିଲେ। ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର, ପୁଲିସ ଡିଜି ସୁନୀଲ ବନସଲ୍ ମଧ୍ୟ ଉପସ୍ଥିତ ଥିଲେ। ପ୍ରାୟ ୨ଟା ୪୫ରେ ବାୟୁସେନାର ସ୍ବତନ୍ତ୍ର ହେଲିକପ୍ଟର୍‌ ଯୋଗେ ରାଷ୍ଟ୍ରପତି ପୁରୀ ଅଭିମୁଖେ ଯାତ୍ରା କରିଥିଲେ।

ସମ୍ବନ୍ଧିତ ଖବର