ପୁରୀ: ରବିବାର ସକାଳେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏବଂ ତାଙ୍କ ପତ୍ନୀ ସବିତା କୋବିନ୍ଦ ଶ୍ରୀମନ୍ଦିର ଯାଇ ଚତୁର୍ଦ୍ଧା ମୂର୍ତ୍ତିଙ୍କୁ ଦର୍ଶନ କରିବା ସହ ପୂଜାର୍ଚ୍ଚନା କରିଛନ୍ତି।
ସକାଳ ୭. ୩୦ ମିନିଟ୍ରେ ରାଷ୍ଟ୍ରପତି ଶ୍ରୀମନ୍ଦିରରେ ପ୍ରବେଶ କରି ସକାଳ ୮. ୨୦ ମିନିଟ୍ରେ ପଦାକୁ ବାହାରିଥିଲେ। ତାଙ୍କ ସହ ଥିଲେ ଗଜପତି ଦିବ୍ୟସିଂହ ଦେବ, ଶ୍ରୀମନ୍ଦିରର ମୁଖ୍ୟ ପ୍ରଶାସକ ପି. କେ. ଜେନା, ରାଷ୍ଟ୍ରପତିଙ୍କର କୌଳିକ ପଣ୍ଡା କୃଷ୍ଣଚନ୍ଦ୍ର ଗୋଚ୍ଛିକାର ଏବଂ ଅନ୍ୟାନ୍ୟ ସେବାୟତମାନେ। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ତାଙ୍କ ସହ ଥିଲେ। ପୁରୀ ବିଧାୟକ ମହେଶ୍ୱର ମହାନ୍ତି ସେଠାରେ ଉପସ୍ଥିତ ଥିଲେ ମଧ୍ୟ ମନ୍ଦିର ଭିତରକୁ ଯାଇ ନ ଥିବା ପ୍ରକାଶ। ପୂର୍ବରୁ ରାଷ୍ଟ୍ରପତି କୋବିନ୍ଦଙ୍କର ପିତା ମଧ୍ୟ ଶ୍ରୀନ୍ଦିର ଆସିଥିଲେ ବୋଲି ଶ୍ରୀମନ୍ଦିର ରେକର୍ଡରୁ ଜଣାପଡ଼ିଛି।
ପ୍ରଶାସନ ତରଫରୁ ରାଷ୍ଟ୍ରପତିଙ୍କୁ ଭୋଗପୂର୍ଣ୍ଣ ଡାଲା ଏବଂ ଚତୁର୍ଦ୍ଧାମୂର୍ତ୍ତିଙ୍କର ଏକ ପଟ୍ଟଚିତ୍ର ଉପହାର ଦିଆଯାଇଥିଲା।
ରାଷ୍ଟପତିଙ୍କ ଦର୍ଶନ ପାଇଁ ମେଡିକାଲ୍ ଛକରୁ ଶ୍ରୀମନ୍ଦିର ଯାଏଁ ବଡ଼ଦାଣ୍ଡ୍କୁ ଜିଲ୍ଲା ପ୍ରଶାସନ ତରଫରୁ ସିଲ୍ କରି ଦିଆ ଯାଇଥିଲା।