ଦୁଇ ଦିନିଆ ଗସ୍ତ ଶେଷ କରି ଓଡ଼ିଶା ଛାଡ଼ିଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ

ଭୁବନେଶ୍ୱର: ଦୁଇ ଦିନିଆ ଗସ୍ତ ଶେଷ କରି ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓଡ଼ିଶା ଛାଡ଼ିଛନ୍ତି। ରାଷ୍ଟ୍ରପତି ରାମନାଥ ବାୟୁସେନାର ସ୍ୱତନ୍ତ୍ର ବିମାନ ‘ରାଜକମଲ’ରେ ରବିବାର ଭୁବନେଶ୍ୱର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରୁ ସନ୍ଧ୍ୟା ୫ଟା ୩୦ରେ ଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରିଛନ୍ତି। ବିମାନବନ୍ଦର ଛାଡ଼ିବା ପୂର୍ବରୁ ରାଷ୍ଟ୍ରପତି ଉପସ୍ଥିତ ଜନତାଙ୍କୁ ହାତ ହଲାଇ ବିଦାୟ ମାଗିଥିଲେ।

ଗସ୍ତର ୨ୟ ଦିନରେ ମହାମହିମ ରାଷ୍ଟ୍ରପତି ରବିବାର ଜଟଣୀ ନିକଟ ଅରୁଗୁଳସ୍ଥିତ ଭାରତୀୟ ପ୍ରଯୁକ୍ତିବିଦ୍ୟା ପ୍ରତିଷ୍ଠାନ (ଆଇଆଇଟି)ର ୬ଷ୍ଠ ସମାବର୍ତ୍ତନ ଉତ୍ସବରେ ରବିବାର ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ସମାଜର ବିକାଶ ମୂଳକ କାମ କରିବାକୁ ଆହ୍ଵାନ କରିଥିଲେ। ଆଇସିଟି-ଆଇଓସି କ୍ୟାମ୍ପସ ଓ ସ୍କିଲ ଡେଭଲପମେଣ୍ଟ ଇନଷ୍ଟିଚ୍ୟୁଟର ଶିଳାନ୍ୟାସ କରିଥିଲେ। ସେହିପରି ରାମନାଥ ଆଜି ସକାଳୁ ଶ୍ରୀମନ୍ଦିରରେ ଶ୍ରୀଜିଉମାନଙ୍କୁ ପୂଜାର୍ଚ୍ଚନା କରିଥିଲେ। ଏଥିପାଇଁ ସାଧାରଣ ଦର୍ଶନ ପ୍ରାୟ ୨ ଘଣ୍ଟା ଧରି ବନ୍ଦ ଥିଲା। ମହାମହିମଙ୍କ ଶ୍ରୀମନ୍ଦିର ଦର୍ଶନ ନେଇ ପୁଲିସ ଓ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତ କରାଯାଇଥିଲା।

ଗସ୍ତର ପ୍ରଥମ ଦିନରେ ଶନିବାର କଟକ ତୁଳସୀପୁରସ୍ଥିତ ଆନନ୍ଦ ଭବନ ତଥା ‘ଆନନ୍ଦ ଭବନ ସଂଗ୍ରହାଳୟ ଓ ଜ୍ଞାନ କେନ୍ଦ୍ର’କୁ ଜାତି ଉଦ୍ଦେଶ୍ୟରେ ଲୋକାର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମ ଶେଷ କରି ସେ ସନ୍ଧ୍ୟାରେ ପୁରୀ ଯାଇଥିଲେ। କୋବିନ୍ଦ ଏକ ସ୍ୱତନ୍ତ୍ର ହେଲିକପ୍ଟରରେ ପୁରୀର ତାଳବଣିଆ ହେଲିପେଡରେ ପହଞ୍ଚିବା ପରେ ତାଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ୱାଗତ ଜଣାଇ ସର୍କିଟ ହାଉସକୁ ନିଆଯାଇଥିଲା। ସେ ପୁରୀ ସର୍କିଟ ହାଉସରେ ବିଶ୍ରାମ ନେଇଥିଲେ।

 

ସମ୍ବନ୍ଧିତ ଖବର