ଓଡ଼ିଶାର ଦୁଇ ସହିଦ ଯବାନଙ୍କୁ ମରଣୋତ୍ତର ଶୌର୍ଯ୍ୟଚକ୍ର ସମ୍ମାନ ପ୍ରଦାନ କଲେ ରାଷ୍ଟ୍ରପତି

ନୂଆଦିଲ୍ଲୀ: ରାଷ୍ଟ୍ରପତି ରାମନାଥ କୋବିନ୍ଦ ଆଜି ଓଡ଼ିଶାର ୨ ସହିଦ ଯବାନଙ୍କୁ ମରଣୋତ୍ତର ଶୌର୍ଯ୍ୟଚକ୍ର ପ୍ରଦାନ କରିଛନ୍ତି। ସହିଦ କମାଣ୍ଡୋ ଦେବାଶିଷ ସେଠୀ ଓ ସୁଧୀର ଟୁଡୁଙ୍କ ସଂପର୍କୀୟଙ୍କୁ ରାଷ୍ଟ୍ରପତି ଭବନରେ ଆୟୋଜିତ ସ୍ୱତନ୍ତ୍ର ଉତ୍ସବରେ ରାଷ୍ଟ୍ରପତି ଏହି ସମ୍ମାନ ପ୍ରଦାନ କରିଛନ୍ତି। ଦେବାଶିଷଙ୍କ ବାପା-ମା’ ଓ ସୁଧୀରଙ୍କ ମା’ଙ୍କୁ ରାଷ୍ଟ୍ରପତି ଏହି ସମ୍ମାନ ପ୍ରଦାନ କରିଛନ୍ତି।

ସୂଚନାଯୋଗ୍ୟ, ମୟୂରଭଞ୍ଜ ଜିଲ୍ଲା ଶୁଳିଆପଦା ବ୍ଲକ ବାଘଡା ପଞ୍ଚାୟତ ସାନଭଦୁଆ ଗ୍ରାମର ଏସଓଜି କମାଣ୍ଡୋ ସୁଧୀର ଟୁଡୁଙ୍କୁ ‘ଶୌର୍ଯ୍ୟଚକ୍ର ସମ୍ମାନ’ ନେଇ ପ୍ରତିରକ୍ଷା ମନ୍ତ୍ରାଳୟ ପକ୍ଷରୁ ସେମାନଙ୍କ ନାମ ଗତବର୍ଷ ଅଗଷ୍ଟ ମାସରେ ଘୋଷଣା କରାଯାଇଥିଲା । ସ୍ବର୍ଗତ ଯବାନ ସୁଧୀର କନ୍ଧମାଳ ସୀମାନ୍ତ ସିର୍କି ଜଙ୍ଗଲରେ ମାଓବାଦୀଙ୍କ ସହିତ ଗୁଳି ବିନିମୟରେ ୨୦୨୦ ସେପ୍ଟେମ୍ବର ମାସ ୯ ତାରିଖରେ ଦେଶମାତୃକା ସେବାପାଇଁ ସହିଦ ହୋଇଥିଲେ। ତାଙ୍କର ଅପୁର୍ବ ବୀରତ୍ବ ପ୍ରଦର୍ଶନ ପାଇଁ ଭାରତ ସରକାରଙ୍କ ପକ୍ଷରୁ ୨୦୨୧  ଅଗଷ୍ଟ ୧୫ରେ ସ୍ବାଧୀନତା ଦିବସ ଅବସରରେ ମରଣୋତ୍ତର ‘ଶୌର୍ଯ୍ୟଚକ୍ର ‘ ଘୋଷଣା କରାଯାଇଥିଲା। ସହିଦ ସୁଧିରଙ୍କ ମା’ ଜଉନା ଟୁଡୁଙ୍କୁ ଏହି ସୌର୍ଯଚକ୍ର ପ୍ରଦାନ କରାଯାଇଛି।

ସେହିପରି ସହିଦ ଦେବାଶିଷ ସେଠୀ ଏସଓଜି କମାଣ୍ଡର ଥିଲା ବେଳେ ସହିଦ ହୋଇଥିଲେ। ତାଙ୍କ ବାପା ସନାତନ ସେଠି ଆଜି ରାଷ୍ଟ୍ରପତିଙ୍କ ଠାରୁ ଏହି ସମ୍ମାନ ଗ୍ରହଣ କରିଛନ୍ତି।

ସମ୍ବନ୍ଧିତ ଖବର