ଭୁବନେଶ୍ବର : ଚଳିତ ମାସ ୭ ତାରିଖରେ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିବେ ରାଷ୍ଟ୍ରପତି ରାମନାଥ କୋବିନ୍ଦ। ଖୋର୍ଧାର ବରୁଣେଇ ପୀଠ ଓ ଉତ୍କଳ ବିଶ୍ବବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହେବାକୁ ଥିବା ବିଶେଷ କାର୍ଯ୍ୟକ୍ରମରେ ସେ ଯୋଗ ଦେବେ। ତେବେ ରାଷ୍ଟ୍ରପତିଙ୍କ ଗସ୍ତବେଳେ ସୁରକ୍ଷା ବ୍ୟବସ୍ଥାକୁ ନେଇ ଆଜି ଏକ ଜରୁରିକାଳୀନ ବୈଠକ ପୁଲିସ ଡିଜିଙ୍କ କ୍ୟାମ୍ପ ଅଫିସରେ ଅନୁଷ୍ଠିତ ହୋଇଥିଲା। ଯେଉଁଥିରେ ପୁଲିସ ଡିଜି(ଭାରପ୍ରାପ୍ତ) ସତ୍ୟଜିତ ମହାନ୍ତି ସଭାପତିତ୍ବ କରିଥିଲେ।
ରାଷ୍ଟ୍ରପତିଙ୍କ ଗସ୍ତ ଓ ସୁରକ୍ଷା ବନ୍ଦୋବସ୍ତ ସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦେଇ ପୁଲିସ ଡିଜି ଶ୍ରୀ ମହାନ୍ତି କହିଛନ୍ତି , ୭ ତାରିଖ ସଂଧ୍ୟାରେ ରାଷ୍ଟ୍ରପତି କୋବିନ୍ଦ ଏକ ସ୍ବତନ୍ତ୍ର ବିମାନରେ ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚିବେ। ସେଠାରୁ ସେ ସିଧା ରାଜଭବନ ଯିବେ। ସେଠାରେ ରାତ୍ରିଯାପନ କରିବେ। ପରଦିନ ସକାଳୁ ଅର୍ଥାତ ୮ ତାରିଖ ୧୦ଟା ପାଖାପାଖି ସେ ଖୋର୍ଧାର ବରୁଣେଇ ପୀଠକୁ ଯିବେ। ସେଠାରେ ହେବାକୁ ଥିବା ପାଇକ ମେମୋରିଆଲ ଫାଉଣ୍ଡେସନର ସଭାରେ ପାଖାପାଖି ଦେଢ଼ ଘଣ୍ଟା ରହିବା ପରେ ସିଧାସଳଖ ଉତ୍କଳ ବିଶ୍ବବିଦ୍ୟାଳୟ ଆସି ପ୍ଲାଟିନମ ଜୁବୁଲିର ଉଦ୍ଯାପନୀ କାର୍ଯ୍ୟକ୍ରମରେ ଯୋଗ ଦେବେ। ସେଠାରୁ ଦିନ ପ୍ରାୟ ୧.୪୫ରେ ରାଜଭବନ ଫେରି ଆସିବେ। ରାଜଭବନରେ କିଛି ସମୟ ବିଶ୍ରାମ ନେବା ପରେ ସଂଧ୍ୟା ପ୍ରାୟ ୫ଟା ୨୦ରେ ଦିଲ୍ଲୀ ଅଭିମୁଖେ ଫେରିଯିବେ ବୋଲି ପୁଲିସ ଡିଜି ଶ୍ରୀ ମହାନ୍ତି ସୂଚନା ଦେଇଛନ୍ତି।
ତେବେ ରାଷ୍ଟ୍ରପତିଙ୍କ ଗସ୍ତ ବେଳେ ସୁରକ୍ଷା ବ୍ୟବସ୍ଥା କ’ଣ ରହିବ ସେ ସମ୍ପର୍କରେ ଆଜି ମଧ୍ୟ ବୈଠକରେ ଆଲୋଚନା ହୋଇଥିଲା। ବ୍ଲୁ-ବୁକ୍ ନିୟମ ଅନୁଯାୟୀ ରାଷ୍ଟ୍ରପତିଙ୍କ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯିବ। ବିମାନବନ୍ଦର, ରାଜଭବନ, ଖୋର୍ଧା ବରୁଣେଇ ପୀଠ, ଉତ୍କଳ ବିଶ୍ବବିଦ୍ୟାଳୟ ପରିସର ଓ ରୁଟ୍ ଲାଇନରେ ବ୍ୟାପକ ପୁଲିସ ଫୋର୍ସ ମୁତୟନ ହେବେ। ରାଷ୍ଟ୍ରପତିଙ୍କ ଯିବା ଆସିବା ସମୟରେ ଉଭୟ ପଟର ରାସ୍ତାକୁ କିଛି ସମୟ ପୂର୍ବରୁ ବନ୍ଦ କରି ଦିଆଯିବ। ଏଥିପାଇଁ ପାଖାପାଖି ୫୦ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ ହେବ। ରାଷ୍ଟ୍ରପତିଙ୍କ ସୁରକ୍ଷା ବନ୍ଦୋବସ୍ତ ଏସ୍ପିଜି ହାତରେ ଥିବାବେଳେ ରାଜ୍ୟ ପୁଲିସ କେବଳ ବାହ୍ୟ ସୁରକ୍ଷା ଯୋଗାଇ ଦେବ। ଆସନ୍ତାକାଲି ଏସ୍ପିଜିର ଏକ ଟିମ୍ ଭୁବନେଶ୍ବର ଆସି ଉତ୍କଳ ବିଶ୍ବବିଦ୍ୟାଳୟ ପରିସର ଓ ବରୁଣେଇପୀଠକୁ ଯାଇ ସୁରକ୍ଷା ବ୍ୟବସ୍ଥାର ଯାଞ୍ଚ କରିବାର କାର୍ଯ୍ୟକ୍ରମ ରହିଛି।
ଆଜି ପୁଲିସ ଡିଜି ଶ୍ରୀ ମହାନ୍ତି, ପୁଲିସ କମିସନର ସୁଧାଂଶୁ ଷଡ଼ଙ୍ଗୀ, ଡିସିପି ଅନୁପ ସାହୁ, ଗୁଇନ୍ଦା ବିଭାଗର ବରିଷ୍ଠ ଅଧିକାରୀ ପ୍ରମୁଖ ଉତ୍କଳ ବିଶ୍ବବିଦ୍ୟାଳୟ ପରିସରକୁ ଯାଇ ସଭାସ୍ଥଳ ଯାଞ୍ଚ କରିଥିଲେ। ସେହିପରି ଖୋର୍ଧାରେ ମଧ୍ୟ ବରିଷ୍ଠ ପୁଲିସ ଅଧିକାରୀମାନେ ସଭାସ୍ଥଳକୁ ଯାଞ୍ଚ କରାଯାଇଛି।
ଆଜିର ବୈଠକରେ ତଟରକ୍ଷୀ ଏଡିଜି ପ୍ରାଣବିନ୍ଦୁ ଆଚାର୍ଯ୍ୟ,ପୁଲିସ କମିସନର ଶ୍ରୀ ଷଡ଼ଙ୍ଗୀ, ଗୁଇନ୍ଦା ବିଭାଗର ଅତିରିକ୍ତ ନିର୍ଦେଶକ ଆର.କେ ଶର୍ମା, ଆଇଜି ଅମିତାଭ ଠାକୁର, ଡିଆଇଜି ଆଶିଷ ସିଂହ, ଭୁବନେଶ୍ବର ଡିସିପି ଶ୍ରୀ ସାହୁ ଓ ଖୋର୍ଦ୍ଧା ଏସ୍ପି ପ୍ରମୁଖ ଉପସ୍ଥିତ ଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/12/President-Ram-Nath-Kovind.jpg)