ବାରିପଦା/ବାଙ୍ଗିରିପୋଷି/କଳାବାଡ଼ିଆ: ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ୫ ଦିନିଆ ଓଡ଼ିଶା ଗସ୍ତ ଶେଷ ହୋଇଛି। ଶନିବାର ଏହି ଗସ୍ତର ଶେଷ ଦିନରେ ମୟୂରଭଞ୍ଜ ଜିଲ୍ଲାରେ ୬ ହଜାର ୨ଶହ କୋଟି ଟଙ୍କାର ୩ଟି ନୂତନ ରେଳ ପ୍ରକଳ୍ପ ଶିଳାନ୍ୟାସ କରିବା ସହ ଅନ୍ୟାନ୍ୟ ପ୍ରକଳ୍ପର ଭିତ୍ତିଭୂମି ସ୍ଥାପନ କରିଛନ୍ତି ରାଷ୍ଟ୍ରପତି। ଶୁକ୍ରବାର ରାତିରେ ରାଇରଙ୍ଗପୁରସ୍ଥିତ ବାସଭବନରେ ରାତ୍ରିଯାପନ କରିଥିବା ରାଷ୍ଟ୍ରପତି ଆଜି ପୂର୍ବାହ୍ଣ ୧୦.୪୫ରେ ସ୍ବତନ୍ତ୍ର ହେଲିକପ୍ଟର ଯୋଗେ ବାଙ୍ଗିରିପୋଷିରେ ପହଞ୍ଚିଥିଲେ। ବାଙ୍ଗିରିପୋଷି ମିନି ଷ୍ଟାଡିୟମ୍କୁ ଯାଇ ଦକ୍ଷିଣ ପୂର୍ବ ରେଳବାଇ ପକ୍ଷରୁ ଆୟୋଜିତ ଶିଳାନ୍ୟାସ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଏଠାରେ ଭର୍ଚୁଆଲ୍ ମୋଡ୍ରେ ୩ଟି ନୂତନ ରେଳ ପ୍ରକଳ୍ପ (ବାଙ୍ଗିରିପୋଷି-ବାଦାମପାହାଡ଼, ବୁଡ଼ାମରା-ଚାକୁଳିଆ, ବାଦାମପାହାଡ଼-କେନ୍ଦୁଝରଗଡ଼) ସହ ରାଇରଙ୍ଗପୁରସ୍ଥିତ ଆଦିବାସୀ ଅନୁସନ୍ଧାନ ଓ ବିକାଶ କେନ୍ଦ୍ର, ବାମନଘାଟି ଉପଖଣ୍ଡ ହସ୍ପିଟାଲର ୧୦୦ ଶଯ୍ୟା ବିଶିଷ୍ଟ ନୂତନ କୋଠା ପାଇଁ ଶିଳାନ୍ୟାସ କରିଥିଲେ।
ଜନସମାବେଶକୁ ସମ୍ବୋଧିତ କରି ରାଷ୍ଟ୍ରପତି କହିଥିଲେ; ଭାରତ ସରକାରଙ୍କ ପୂର୍ବୋଦୟ ବିକାଶ ଲକ୍ଷ୍ୟ ଯୋଗୁ ଓଡ଼ିଶା ବିଶେଷ ଭାବେ ଉପକୃତ ହେଉଛି। ଶିକ୍ଷା, ଦକ୍ଷତା ବିକାଶ, ସ୍ୱାସ୍ଥ୍ୟ, ପର୍ଯ୍ୟଟନ ଓ ପରିବହନ କ୍ଷେତ୍ରରେ ବିଭିନ୍ନ କଲ୍ୟାଣକାରୀ ଯୋଜନା ସମଗ୍ର ଅଞ୍ଚଳର ବିକାଶକୁ ତ୍ୱରାନ୍ୱିତ କରୁଛି। ସେହିପରି ମୟୂରଭଞ୍ଜ ମାଟିରୁ ଆଜି ୩ଟି ନୂତନ ରେଳ ପ୍ରକଳ୍ପକୁ ଶିଳାନ୍ୟାସ କରି ମୁଁ ନିଜକୁ ଭାଗ୍ୟଶାଳୀ ଅନୁଭବ କରୁଛି। ଏହା ମୟୂରଭଞ୍ଜକୁ ଦେଶ ସହ ଯୋଡ଼ିବ। ଏହି ପ୍ରକଳ୍ପ ଠିକଣା ସମୟରେ କାର୍ଯ୍ୟକ୍ଷମ ହେବ ଏବଂ ଓଡ଼ିଶାର ବିକାଶ ଧାରାରେ ନୂଆ ଅଧ୍ୟାୟ ସୃଷ୍ଟି କରିବ। ଏହାଦ୍ବାରା ଓଡ଼ିଶା ସମେତ ଉତ୍ତର-ପୂର୍ବ ଭାରତର ଅର୍ଥନୈତିକ ତଥା ସାମାଜିକ ବିକାଶ ଘଟିବ ବୋଲି ରାଷ୍ଟ୍ରପତି କହିଥିଲେ। ଏହି କାର୍ଯ୍ୟକ୍ରମରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଥିଲେ, ଖଣିଜ ସଂପଦରେ ଭରପୂର ମୟୂରଭଞ୍ଜ ଓ କେନ୍ଦୁଝର ମାଟିରେ ୩ଟି ରେଳ ଲାଇନ୍ ନିର୍ମାଣ ହେଲେ ମାଲ୍ ପରିବହନର ଏକ ବିସ୍ତୀର୍ଣ୍ଣ ପରିସର ସୃଷ୍ଟି ହେବ ଓ ଏହା ଶିଳ୍ପକ୍ଷେତ୍ରକୁ ସମୃଦ୍ଧ କରିବ। ସେହିପରି ରାଇରଙ୍ଗପୁରରେ ଆଦିବାସୀ ଅନୁସନ୍ଧାନ ଓ ବିକାଶ କେନ୍ଦ୍ର, ଆଦିବାସୀଙ୍କ ବିକାଶ ପାଇଁ ପ୍ରେରଣାର ଉତ୍ସ ଭାବରେ କାର୍ଯ୍ୟ କରିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।
‘ଓଡ଼ିଶାର ବିକାଶ ଧାରାରେ ନୂଆ ଅଧ୍ୟାୟ ସୃଷ୍ଟି କରିବ’
ଦିଲ୍ଲୀ ଫେରିଗଲେ ରାଷ୍ଟ୍ରପତି
ଶିଳ୍ପକ୍ଷେତ୍ର ସମୃଦ୍ଧ ହେବ: ମୁଖ୍ୟମନ୍ତ୍ରୀ
ପୂର୍ବ ଭାରତରେ ବାଣିଜ୍ୟିକ ସୁଯୋଗ ବଢ଼ିବ: ରେଳମନ୍ତ୍ରୀ
ସେହିପରି କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ କହିଥିଲେ, ଏହି ୩ ନୂତନ ରେଳପଥରେ ସେବା ଆରମ୍ଭ ହେଲେ ପୂର୍ବ ଭାରତରେ ବାଣିଜ୍ୟିକ ସୁଯୋଗ ବଢ଼ିବ ଏବଂ ସ୍ଥାନୀୟ ଅର୍ଥ ବ୍ୟବସ୍ଥା ସମୃଦ୍ଧ ହେବ। ସେହିପରି ଉଡ଼ାଣ ଯୋଜନାରେ ରାଇରଙ୍ଗପୁରର ଦାଣ୍ଡବୋଷ ବିମାନବନ୍ଦରକୁ ଅନ୍ତର୍ଭୁକ୍ତ କରାଯାଇଛି। ଏଥିପାଇଁ ୪୫ କୋଟି ଟଙ୍କା ମଞ୍ଜୁର କରାଯାଇଛି। ଖୁବ୍ଶୀଘ୍ର ରାଉରକେଲା-ରାଇରଙ୍ଗପୁର-ଅମ୍ବିକାପୁର ମାର୍ଗରେ ୧୯ ସିଟ୍ ବିଶିଷ୍ଟ ବିମାନ ଚଳାଚଳ କରିବ ରେଳ ମନ୍ତ୍ରୀ ଶ୍ରୀ ବୈଷ୍ଣବ କହିଥିଲେ। କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମ, ଗୃହ ଓ ନଗର ଉନ୍ନୟନ ତଥା ସାଧାରଣ ଉଦ୍ୟୋଗ ମନ୍ତ୍ରୀ ଡା. କୃଷ୍ଣଚନ୍ଦ୍ର ମହାପାତ୍ର, ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ, ରାଜ୍ୟସଭା ସାଂସଦ ମମତା ମହାନ୍ତ, ମୟୂରଭଞ୍ଜ ସାଂସଦ ନବଚରଣ ମାଝୀ, ବାଲେଶ୍ବର ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ, କେନ୍ଦୁଝର ସାଂସଦ ଅନନ୍ତ ନାୟକ, ବାଙ୍ଗିରିପୋଷି ବିଧାୟିକା ସଞ୍ଜଲୀ ମୁର୍ମୁ ପ୍ରମୁଖ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମ ସରିବା ପରେ ରାଷ୍ଟ୍ରପତି ମଧ୍ୟାହ୍ନ ୧୨.୧୫ ମିନିଟ୍ରେ ବାୟୁସେନା ହେଲିକପ୍ଟର ଯୋଗେ ପଶ୍ଚିମବଙ୍ଗର କଲେଇକୁଣ୍ଡା ବିମାନଘାଟି ଏବଂ ସେଠାରୁ ସ୍ବତନ୍ତ୍ର ବିମାନ ଯୋଗେ ଦିଲ୍ଲୀ ଫେରିଯାଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2024/12/08/vTS5JmDERKz1bSVGW0U3.jpg)