ପିଲାଦିନର ସ୍ମୃତିଚାରଣ କଲେ ରାଷ୍ଟ୍ରପତି ମୁର୍ମୁ: ଶିକ୍ଷକ ମୋ ନାଁ ଦ୍ରୌପଦୀ ଦେଇଥିଲେ

ଭୁବନେଶ୍ବର : ପ୍ରଥମ ଆଦିବାସୀ ମହିଳା ତଥା ଓଡ଼ିଆ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏକ ଓଡ଼ିଆ ଭିଡିଓ ମାଗାଜିନ୍‌କୁ ଦେଇଥିବା ସାକ୍ଷାତ୍‌କାରରେ କହିଛନ୍ତି ଯେ, ଆଦିବାସୀ ସାନ୍ତାଳୀ ଭାଷାରେ ତାଙ୍କ ନାଁ ଥିଲା ପୁତୀ। ମାତ୍ର ତାଙ୍କର ସ୍କୁଲ୍ ଶିକ୍ଷକ ଏହାକୁ ପରିବର୍ତ୍ତନ କରି ମହାଭାରତର ପ୍ରମୁଖ ନାରୀ ଚରିତ୍ର ଅନୁସାରେ ‘ଦ୍ରୌପଦୀ’ ରଖିଥିଲେ।

ମୁର୍ମୁ କହିଛନ୍ତି ଯେ ଦ୍ରୌପଦୀ ତାଙ୍କର ମୂଳ ନାଁ ନ ଥିଲା। ସେତେବେଳେ ତାଙ୍କ ପ୍ରାଥମିକ ବିଦ୍ୟାଳୟରେ ମୟୂରଭଞ୍ଜ ଜିଲ୍ଲା ବାହାରର ଜଣେ ଶିକ୍ଷକ ନିଯୁକ୍ତି ପାଇଥିଲେ। ତାଙ୍କର ସାନ୍ତାଳୀ ନାଁ ଥିଲା ‘ପୁତୀ’ ଯାହା ଉକ୍ତ ଶିକ୍ଷକଙ୍କର ପସନ୍ଦ ହେଲା ନାହିଁ। ତେଣୁ ସେ ତାଙ୍କ ନାଁ ବଦଳାଇ ଦ୍ରୌପଦୀ ରଖିଥିଲେ, ଯାହାକୁ ତାଙ୍କ ପରିବାର ଲୋକେ ଗ୍ରହଣ କରିନେଇଥିଲେ। ତେବେ ସ୍କୁଲ୍‌ରେ ପଢ଼ିବା ବେଳେ ଏକାଧିକ ଥର ତାଙ୍କର ନାଁ ବଦଳିଛି, ପୁତୀ ପରେ ଦୁର୍ପଦୀ ଓ ଦୋର୍ପଦୀ ଯାଇ ଶେଷକୁ ରହିଲା ଶୁଦ୍ଧ ନାମ ଦ୍ରୌପଦୀ।
ଦ୍ରୌପଦୀ କହିଛନ୍ତି ଯେ ପିଲାଦିନେ ତାଙ୍କ ନାଁ ଥିଲା ପୁତୀ ଟୁଡ଼ୁ। ପରେ ହେଲା ଦ୍ରୌପଦୀ ଟୁଡ଼ୁ। କିନ୍ତୁ ସେ ଶ୍ୟାମ ଚରଣ ମୁର୍ମୁଙ୍କୁ ବିବାହ କରିବା ପରେ ସ୍ବାମୀଙ୍କ ସଂଜ୍ଞା ଅନୁସାରେ ତାଙ୍କର ନାଁ ଦ୍ରୌପଦୀ ଟୁଡ଼ୁରୁ ଦ୍ରୌପଦୀ ମୁର୍ମୁ ହୋଇଗଲା।

ସମ୍ବନ୍ଧିତ ଖବର