ଆଇସିଟି-ଇଣ୍ଡିଆନ୍‌ ଅଏଲ କ୍ୟାମ୍ପସ୍‌ ଉଦ୍‌ଘାଟିତ

ଏସ୍‌ଡିଆଇ ଭୁବନେଶ୍ୱର ସ୍ଥାୟୀ କ୍ୟାମ୍ପସର ଭିତ୍ତିପ୍ରସ୍ତର ସ୍ଥାପନ
ଓଡ଼ିଆ ଯୁବପିଢ଼ିଙ୍କ ପାଇଁ ବ୍ୟାପକ ସମ୍ଭାବନା : ଧର୍ମେନ୍ଦ୍ର

ଭୁବନେଶ୍ୱର : ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଦ୍ୱାରା ଆଜି ଉଦ୍‌ଘାଟିତ ହୋଇଛି ଇନ୍‌ଷ୍ଟିଚ୍ୟୁସନ ଅଫ୍‌ କେମିକାଲ ଟେକ୍ନୋଲୋଜି(ଆଇସିଟି), ମୁମ୍ବାଇ-ଇଣ୍ଡିଆନ୍‌ ଅଏଲ୍‌ କ୍ୟାମ୍ପସ। ଏଥିସହ ଭୁବନେଶ୍ୱରର ମଞ୍ଚେଶ୍ୱରଠାରେ ଥିବା ଦକ୍ଷତା ବିକାଶ ପ୍ରତିଷ୍ଠାନ(ଏସ୍‌ଡିଆଇ)ର ତରାବୋଇରେ ସ୍ଥାୟୀ କ୍ୟାମ୍ପସର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ରାଷ୍ଟ୍ରପତି।

ଭୁବନେଶ୍ୱର ଆଇଆଇଟିର ସମାବର୍ତନ ଉତ୍ସବ ଅବସରରେ ଭିଡିଓ ଲିଙ୍କ୍‌ ମାଧ୍ୟମରେ ଏହି ଦୁଇ ପ୍ରମୁଖ ଶିକ୍ଷାନୁଷ୍ଠାନର ଶିଳାନ୍ୟାସ କରି ରାଷ୍ଟ୍ରପତି ଶ୍ରୀ କୋବିନ୍ଦ ଖୁସି ବ୍ୟକ୍ତ କରିଥିଲେ। ସେ କହିଲେ, ଓଡ଼ିଶାର ବିକାଶ ଲାଗି କେନ୍ଦ୍ର ସରକାର ନେଇଥିବା ସଂକଳ୍ପ ଏହି ଦୁଇ ଶିକ୍ଷାନୁଷ୍ଠାନ ମାଧ୍ୟମରେ ସଫଳ ହୋଇପାରିବ। ଆଇସିଟି-ଆଇଓସି କ୍ୟାମ୍ପସରେ ୫ ବର୍ଷିଆ ଇଣ୍ଟିଗ୍ରେଟେଡ୍‌ ଏମ୍‌.ଟେକ୍‌, ଇଣ୍ଡଷ୍ଟ୍ରିଆଲ୍‌ ବ୍ୟକ୍ତିଙ୍କ ଲାଗି ଏକ୍‌ଜିକ୍ୟୁଟିଭ୍‌ ଏମ୍‌.ଟେକ୍‌ ଓ ପିଏଚ୍‌ଡି ପାଠ୍ୟକ୍ରମରେ ଛାତ୍ରଛାତ୍ରୀ ପଢ଼ିପାରିବେ। ହାଇଡ୍ରୋ କାର୍ବନ କ୍ଷେତ୍ରରେ ଦେଶରେ ଏହା ଏପରି ଏକ ଶିକ୍ଷାନୁଷ୍ଠାନ ହେବ, ଯେଉଁଠାରୁ ଆଗାମୀ ୧୦ ବର୍ଷରେ ୫୦ ହଜାର ଯୁବକଙ୍କୁ ପ୍ରଶିକ୍ଷଣ ଦିଆଯିବାକୁ ଲକ୍ଷ୍ୟ ରଖାଯାଇଛି। କେନ୍ଦ୍ର ପେଟ୍ରୋଲିୟମ୍‌ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉଦ୍ୟମରେ ଏହି ଦୁଇ ଶିକ୍ଷାନୁଷ୍ଠାନ ପ୍ରତିଷ୍ଠା ହୋଇଥିବାରୁ ରାଷ୍ଟ୍ରପତି ଶୁଭେଚ୍ଛା ଜଣାଇଥିଲେ।

କେନ୍ଦ୍ର ପେଟ୍ରୋଲିୟମ୍‌ ଓ ପ୍ରାକୃତିକ ଗ୍ୟାସ୍‌ ତଥା ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସମ୍ମାନିତ ଅତିଥି ଭାବେ ଯୋଗଦେଇ କହିଲେ, ଏହି ଦୁଇ ଶିକ୍ଷାନୁଷ୍ଠାନ ଓଡ଼ିଆ ଯୁବପିଢ଼ିଙ୍କ ପାଇଁ ଉତ୍ତମ ତାଲିମ ଆଧାରରେ ରୋଜଗାର ଓ ଉଦ୍ୟୋଗୀ ହେବାର ବ୍ୟାପକ ସୁବିଧା ଉପଲବ୍ଧ କରାଇବ। କେମିକାଲ ଓ ପେଟ୍ରୋ କେମିକାଲ କ୍ଷେତ୍ରରେ ଦେଶର ଅଗ୍ରଣୀ ଅନୁଷ୍ଠାନ ଆଇସିଟି ମୁମ୍ବାଇର ଓଡ଼ିଶା କ୍ୟାମ୍ପସ ଏହା ଶିକ୍ଷାର୍ଥୀଙ୍କ ପାଇଁ ବଡ଼ ସୁଯୋଗ ଉପଲବ୍ଧ କରାଇବ।
ପୂର୍ବ ଭାରତ ଓ ଦେଶରେ ପଲିମର ଚାହିଦା ଦୃତ ବୃଦ୍ଧି ଦୃଷ୍ଟିରୁ ପେଟ୍ରୋକେମିକାଲ ଶିଳ୍ପ ଦ୍ରୁତ ବଢ଼ିବ। ଏହି ସମୟରେ ଓଡ଼ିଶାରେ ଆଇସିଟି-ଇଣ୍ଡିଆନ୍‌ ଅଏଲ କ୍ୟାମ୍ପସ ଏହି ଶିଳ୍ପକୁ ଦୃତ ଗତି ଦେବା ଲାଗି ଉତ୍ତମ ମାନବ ସମ୍ବଳ ଯୋଗାଇବ ବୋଲି ମନ୍ତ୍ରୀ କହିଥିଲେ।

ସେ ଆହୁରି କହିଲେ, ପୂର୍ବ ଭାରତର ଟେକ୍ସଟାଇଲ ଓ ପଲିମର କ୍ଲଷ୍ଟରର ବିକାଶରେ ୨୦୩୦ ସୁଦ୍ଧା ୩୦ ହଜାର କୋଟି ଟଙ୍କାର ପୁଞ୍ଜିନିବେଶ ସହ ୨୫ ଲକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ପାରାଦ୍ୱୀପ ତୈଳ ବିଶୋଧନାଗାର, ପେଟ୍ରୋ କମିନାଲ ପ୍ରକଳ୍ପ ସମୂହ, ପଲି ପ୍ରପଲିନ, ଏମ୍‌ଇଜି ଓ ପିଏକ୍ସ ପିଟିଏ ପ୍ରକଳ୍ପଗୁଡ଼ିକ ଓଡ଼ିଶାରେ ପେଟ୍ରୋ କେମିକାଲ ଡାଉନ୍‌ ଷ୍ଟ୍ରିମ୍‌ ଶିଳ୍ପ ବିକାଶରେ ଉତ୍‌ପ୍ରେରକ ଭୂମିକା ନେବ। ୫୦୦ କୋଟି ଟଙ୍କା ବ୍ୟୟରେ ପ୍ରତିଷ୍ଠା ହେବାକୁ ଥିବା ଆଇସିଟି-ଆଇଓସିର ଅତ୍ୟାଧୁନିକ କ୍ୟାମ୍ପସରେ ଦୁଇ ହଜାର ଛାତ୍ରଙ୍କୁ ପ୍ରଶିକ୍ଷଣ ଦେବାର ବ୍ୟବସ୍ଥା ରହିବ। ଭାରତୀୟ ତୈଳ ନିଗମ ଶିଳ୍ପ ସହଯୋଗୀ ଛାତ୍ରଛାତ୍ରୀଙ୍କୁ ସହଯୋଗ ଯୋଗାଇ ଦେବା ବେଳେ ଏହି କ୍ୟାମ୍ପସ ବୌଦ୍ଧିକ ମେରୁଦଣ୍ଡ ଭାବେ କାମ କରିବ। ଏଥିସହ ୫୦୦ କୋଟି ଟଙ୍କା ବ୍ୟୟରେ ଜଟଣୀର ତରାବୋଇଠାରେ ପ୍ରତିଷ୍ଠା ହେବାକୁ ଥିବା ଏସ୍‌ଡିଆଇର ସ୍ଥାୟୀ କ୍ୟାମ୍ପସ ଶିଳ୍ପ କ୍ଷେତ୍ରରେ ୧୬ଟି ବିଭିନ୍ନ ଟ୍ରେଡରେ ବର୍ଷକୁ ୩ରୁ ୪ ହଜାର ବ୍ୟକ୍ତିବିଶେଷଙ୍କୁ ପ୍ରଶିକ୍ଷଣ ଦିଆଯିବ। ଯୁବପିଢ଼ିଙ୍କୁ ହାଇଡ୍ରୋ କାର୍ବନ କ୍ଷେତ୍ରରେ ଦକ୍ଷତା ବିକାଶ, ନିଯୁକ୍ତି ଓ ଉଦ୍ୟମିତା କେନ୍ଦ୍ର ସ୍ଥଳ ହୋଇପାରିବ। ଦେଶର ଅର୍ଥନୀତି ବିକାଶ ଦିଗରେ ଏହି ଦୁଇ ଶିକ୍ଷାନୁଷ୍ଠାନ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ।

ଉଦ୍‌ଘାଟନ ଉତ୍ସବରେ ରାଷ୍ଟ୍ରପତିଙ୍କ ସହଧର୍ମିଣୀ ସବିତା କୋବିନ୍ଦ, ରାଜ୍ୟପାଳ ଏସ୍‌.ସି. ଜମିର, କେନ୍ଦ୍ର ମାନବ ସମ୍ବଳ ବିକାଶ ରାଷ୍ଟ୍ରମନ୍ତ୍ରୀ ସତ୍ୟପାଲ ସିଂ, ଆଇଆଇଟି ବୋର୍ଡ ଅଫ୍‌ ଗଭର୍ନର୍ସ୍‌ର ପଙ୍କଜ ରମଣ ଭାଇ ପଟେଲ, ନିର୍ଦେଶକ ପ୍ରଫେସର ଆର.ଭି. ରାଜା କୁମାରଙ୍କ ସମେତ ଇଣ୍ଡିଆନ୍‌ ଅଏଲ୍‌ର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର