ଚଳିତ ମାସ ୨୭ ତାରିଖରେ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ

ଭୁବନେଶ୍ବର : ଚଳିତ ମାସ ୨୭ ତାରିଖରେ ଦୁଇ ଦିନିଆ ଗସ୍ତରେ ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ। ଏହି ଅବସରରେ ସେ ଗୋପାଳପୁର ଆର୍ମି କାର୍ଯ୍ୟାଳୟରେ ହେବାକୁ ଥିବା ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଯୋଗ ଦେବେ ବୋଲି ଜଣାପଡ଼ିଛି। ରାଷ୍ଟ୍ରପତି ହେଲା ପରେ ଶ୍ରୀ କୋବିନ୍ଦଙ୍କ ଏହା ଦ୍ବିତୀୟ ଗସ୍ତ ହେବ। ରାଷ୍ଟ୍ରପତିଙ୍କ ସୁରକ୍ଷା ନେଇ ଆଜି ଡିଜି କ୍ୟାମ୍ପ ଅଫିସରେ ଏକ ବୈଠକ ବସିଥିଲା। ଯେଉଁଥିରେ ପୁଲିସ ଡିଜି ବିଜୟ କୁମାର ଶର୍ମାଙ୍କ ସମେତ ବରିଷ୍ଠ ପୁଲିସ ଅଧିକାରୀମାନେ ଉପସ୍ଥିତ ଥିଲେ। ଏହି ବୈଠକରେ ମୁଖ୍ୟତଃ ରାଷ୍ଟ୍ରପତିଙ୍କ ସୁରକ୍ଷା ନେଇ ଆଲୋଚନା ହୋଇଥିଲା। ବ୍ଲୁ-ବୁକ୍‌ ନିୟମ ଅନୁଯାୟୀ ରାଷ୍ଟ୍ରପତିଙ୍କ ସୁରକ୍ଷା ବ୍ୟବସ୍ଥା କରାଯାଉଛି ବୋଲି ଡିଜି ଶ୍ରୀ ଶର୍ମା ସୂଚନା ଦେଇଛନ୍ତି।

ଆସନ୍ତା ୨୭ ତାରିଖ ସଂଧ୍ୟା ୬ଟା ବେଳେ ରାଷ୍ଟ୍ରପତି ବାୟୁସେନାର ସ୍ବତନ୍ତ୍ର ବିମାନ ଯୋଗେ ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚିବେ। ଏହା ପରେ ସେ ସିଧାସଳଖ ରାଜଭବନ ଯାଇ ରାତ୍ରିଯାପନ କରିବେ। ପରଦିନ ଅର୍ଥାତ ୨୮ ତାରିଖ ସକାଳ ୬ଟା ୧୫ରେ ରାଷ୍ଟ୍ରପତି ଭୁବନେଶ୍ବରରୁ ଏକ ସ୍ବତନ୍ତ୍ର ବିମାନ ଯୋଗେ ଗୋପାଳପୁର ଆର୍ମି କାର୍ଯ୍ୟାଳୟକୁ ଯିବେ। ସେଠାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ପୁଣି ଭୁବନେଶ୍ବର ଫେରି ଆସିବେ।

ଏହି ସମୟରେ ବିମାନବନ୍ଦର, ରାଜଭବନ, ଗୋପାଳପୁର ଆଦି ସ୍ଥାନରେ କଡ଼ା ସୁରକ୍ଷା ବନ୍ଦୋବସ୍ତ କରାଯିବ। ଏଥିପାଇଁ ପୁଲିସ ଡିଜି ଶ୍ରୀ ଶର୍ମା ରାଷ୍ଟ୍ରପତିଙ୍କ ଗସ୍ତବେଳେ ସୁରକ୍ଷା ବ୍ୟବସ୍ଥା ନେଇ ଜରୁରିକାଳୀନ ବୈଠକ କରିଥିଲେ। ଯେଉଁଥିରେ ଆଇଜି ଅପରେସନ, ଏଡିଜି କୋଷ୍ଟାଲ ସିକ୍ୟୁରିଟି, ଗୁଇନ୍ଦା ବିଭାଗ, ଗଞ୍ଜାମ ଏସ୍‌ପି, ବିମାନବନ୍ଦର କର୍ତୃପକ୍ଷ, ସିଆଇଏସଏଫ ଓ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର