ଗର୍ଭଗୃହରୁ ମହାପ୍ରଭୁଙ୍କ ଦର୍ଶନ କରିବେ ରାଷ୍ଟ୍ରପତି, ଅପରାହ୍ନ ୪ରୁ ୬ଟା ସର୍ବସାଧାରଣ ଦର୍ଶନ ବନ୍ଦ

ଆସନ୍ତା ୧୯ ତାରିଖଦିନ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ

ପୁରୀ : ଆସନ୍ତା ୧୯ ତାରିଖଦିନ ଓଡ଼ିଶା ଗସ୍ତରେ ଆସୁଥିବା ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ସହ ତାଙ୍କ ପରିବାର ଗର୍ଭଗୃହରୁ ମହାପ୍ରଭୁଙ୍କ ଦର୍ଶନ କରିବେ। ସାଙ୍ଗରେ କୌଳିକ ପଣ୍ଡା ରହିବେ। ଏଣୁ ସର୍ବସାଧାରଣ ଦର୍ଶନକୁ ଅପରାହ୍ନ ୪ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ସର୍ବସାଧାରଣଙ୍କ ଦର୍ଶନ ବନ୍ଦ ରହିବ।

ରାଷ୍ଟ୍ରପତି ଦୁଇଦିନିଆ ପୁରୀ ଗସ୍ତରେ ଆସୁଛନ୍ତି। ୧୯ ତାରିଖ ସନ୍ଧ୍ୟାରେ ମହାପ୍ରଭୁଙ୍କ ଦର୍ଶନ ପରେ ପରଦିନ ସକାଳୁ ଗୋଡ଼ୀୟ ଧର୍ମାବଲମ୍ବୀଙ୍କ କାର୍ଯ୍ୟକ୍ରମରେ ଯୋଗଦେବେ। ଏହି ଉପଲକ୍ଷେ ଆଜି ନୀତି ସବ୍‌କମିଟି ଓ ଛତିଶାନିଯୋଗର ଏକ ମିଳିତ ବୈଠକ ଅନୁଷ୍ଠିତ ହୋଇଯାଇଛି। ଯେଉଁ ସମୟରେ ରାଷ୍ଟ୍ରପତି ଶ୍ରୀମନ୍ଦିରକୁ ଦର୍ଶନ ପାଇଁ ଆସିବେ, ସେ ସମୟରେ ନୀତିକାନ୍ତି କିଭଳି ଚାଲିବ, ବ୍ୟବସ୍ଥାବଳୀ କ’ଣ ରହିବ, ବିସ୍ତୃତ ଆଲୋଚନା ହୋଇଛି।

ଏ ସମ୍ପର୍କରେ ସୂଚନା ଦେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. କ୍ରିଷନ୍‌ କୁମାର କହିଛନ୍ତି, ରାଷ୍ଟ୍ରପତିଙ୍କ ଗସ୍ତ ନେଇ ଆଜି ନୀତିସବ୍‌କମିଟି ଓ ଛତିଶାନିଯୋଗର ମିଳିତ ବୈଠକ ବସିଥିଲା। ଯେହେତୁ ୧୯ ତାରିଖରେ ରାଷ୍ଟ୍ରପତି ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରିବାକୁ ଆସିବେ, ସେ ନେଇ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି। ରାଷ୍ଟ୍ରପତି ସନ୍ଧ୍ୟା ୫ଟାରୁ ୫ଟା ୪୫ ଭିତରେ ମହାପ୍ରଭୁଙ୍କ ଦର୍ଶନ କରିବେ। ଏଣୁ ଏ ଉପରେ ବିସ୍ତୃତ ଆଲୋଚନା ପରେ ବ୍ୟବସ୍ଥାବଳୀ ଅନୁମୋଦନ କରାଯାଇଛି। ରାଷ୍ଟ୍ରପତି ଯେଉଁ ସମୟରେ ଆସିବେ, ତାହା ପୂର୍ବରୁ ମହାପ୍ରଭୁଙ୍କ ନୀତିକାନ୍ତି ଓ ସୁରକ୍ଷା ବ୍ୟବସ୍ଥା କିଭଳି ରହିବ, ସେ ଉପରେ ଆଲୋଚନା ହୋଇଛି। ରାଷ୍ଟ୍ରପତିଙ୍କ ସହ କେଉଁ କେଉଁମାନେ ରହିବେ, ତାର ମଧ୍ୟ ସ୍ଥିର ହୋଇଛି। ଏହିଦିନ ରାଷ୍ଟ୍ରପତିଙ୍କ ସହ ତାଙ୍କ ପରିବାର ଗର୍ଭଗୃହରୁ ମହାପ୍ରଭୁଙ୍କ ଦର୍ଶନ କରିବେ। ସାଙ୍ଗରେ କୌଳିକ ପଣ୍ଡା ରହିବେ। ଏଣୁ ସର୍ବସାଧାରଣ ଦର୍ଶନକୁ ଅପରାହ୍ନ ୪ଟାରୁ ବନ୍ଦ ରହିବ। ରାଷ୍ଟ୍ରପତି ଗଲାପରେ ସର୍ବସାଧାରଣ ଦର୍ଶନ ସ୍ବାଭାବିକ ରହିବ ବୋଲି ଡ. କ୍ରିଷନ୍‌ କୁମାର କହିଛନ୍ତି।

ସମ୍ବନ୍ଧିତ ଖବର