ସମ୍ବଲପୁର: ଭାରତର ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ୨ ଦିନିଆ ଗସ୍ତରେ ଆସନ୍ତାକାଲି ସମ୍ବଲପୁର ଆସୁଛନ୍ତି। ମଙ୍ଗଳବାର ରାଷ୍ଟ୍ରପତି ବୁର୍ଲା ଭିସୁଟ୍‌ର ୧୫ତମ ସମାବର୍ତ୍ତନ ଉତ୍ସବରେ ଯୋଗଦେବେ। ସନ୍ଧ୍ୟାରେ ମା’ ସମଲେଶ୍ବରୀଙ୍କ ଦର୍ଶନ କରିବେ। ବୁଧବାର ବ୍ରହ୍ମାକୁମାରୀ ଈଶ୍ବରୀୟ ବିଶ୍ବବିଦ୍ୟାଳୟ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେବେ।

Advertisment

ମିଳିଥିବା ସୂଚନା ଅନୁସାରେ, ରାଷ୍ଟ୍ରପତି ମୟୂରଭଞ୍ଜର ରାଇରଙ୍ଗପୁରର ଦାଣ୍ଡବୋଷ ହେଲିପ୍ୟାଡ୍‌ରୁ ମଙ୍ଗଳବାର ପୂର୍ବାହ୍ଣ ୧୧ଟା ୫୫ରେ ବାହାରି ଅପରାହ୍ଣ ୧ଟା ୧୦ରେ ବୁର୍ଲାସ୍ଥିତ ଏମ୍‌ସିଏଲ୍‌ ହେଲିପ୍ୟାଡ୍‌ରେ ଓହ୍ଲାଇବେ। ଏମ୍‌ସିଏଲ୍‌ ଗେଷ୍ଟ ହାଉସ୍‌ରେ ମଧ୍ୟାହ୍ନ ଭୋଜନ ପରେ ସେଠାରୁ ସାଢ଼େ ୩ଟାରେ ଭିସୁଟ୍‌ ଅଭିମୁଖେ ଯିବେ। ଭିସୁଟ୍‌ ପରିସରରେ ପ୍ରଥମେ ମହାନ ସ୍ବାଧୀନତା ସେନାନୀ ବୀରସୁରେନ୍ଦ୍ର ସାଏ ଓ ସମ୍ବଲପୁର ବିଶ୍ବବିଦ୍ୟାଳୟ ପରିସରରେ ଥିବା ବିଶିଷ୍ଟ ସାରସ୍ବତ ସାଧକ ଗଙ୍ଗାଧର ମେହରଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବେ। ଭିସୁଟ୍‌ର ସମାବର୍ତ୍ତନ ଉତ୍ସବରେ ଯୋଗଦେଇ ୫ଟା ୧୦ରେ ମା’ ସମଲେଶ୍ବରୀଙ୍କ ଦର୍ଶନ ପାଇଁ ରାଷ୍ଟ୍ରପତି ବୁର୍ଲାରୁ ସମ୍ବଲପୁର ବାହାରିବେ। ମା’ ସମଲେଶ୍ବରୀଙ୍କ ଦର୍ଶନ ଓ ଆରତି ସାରି ୫ଟା ୫୫ରେ ଏମ୍‌ସିଏଲ ଗେଷ୍ଟ ହାଉସ୍‌କୁ ପ୍ରତ୍ୟାବର୍ତ୍ତନ କରିବେ। ସେଠାରେ ରାତ୍ରିଯାପନ କରିବେ।

ପରଦିନ ୨୨ ତାରିଖ ବୁଧବାର ସକାଳ ୮ଟା ୪୦ରେ ମହାମହିମ କିଲାସମା ଅଭିମୁଖେ ବାହାରିବେ। ୮ଟା ୫୦ରେ କିଲାସମା ମିନି ଷ୍ଟାଡିୟମ୍‌ରେ ପହଞ୍ଚି ୯ଟାରୁ ୯ଟା ୫୫ ଯାଏ ବ୍ରହ୍ମକୁମାରୀ ଶିକ୍ଷା ପ୍ରଭାଗ ପକ୍ଷରୁ ଆୟୋଜିତ ‘ନୂଆ ଭାରତ ପାଇଁ ନୂଆ ଶିକ୍ଷା ରାଷ୍ଟ୍ରୀୟ ଅଭିଯାନ’ କାର୍ଯ୍ୟକ୍ରମରେ ଉପସ୍ଥିତ ରହିବେ। ତାପରେ ବୁର୍ଲା ଫେରି ଆସି ସକାଳ ସାଢ଼େ ୧୦ଟାରେ ଏମ୍‌ସିଏଲ୍‌ ହେଲିପ୍ୟାଡ୍‌ରୁ ଝାରସୁଗୁଡ଼ା ବିମାନବନ୍ଦର ଅଭିମୁଖେ ଯାତ୍ରା କରିବେ। ସେଠାରୁ ବେଙ୍ଗାଲୁରୁ ବିମାନବନ୍ଦର ଅଭିମୁଖେ ବାହାରିବେ। ରାଷ୍ଟ୍ରପତିଙ୍କ ଗସ୍ତକୁ ଦୃଷ୍ଟିରେ ରଖି ପୁଲିସ ପ୍ରଶାସନ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ସୁରକ୍ଷାକୁ ଦୃଷ୍ଟିରେ ରଖି ସମ୍ବଲପୁର ମହାନଗର ନିଗମ ସମେତ ଗସ୍ତସୂଚୀରେ ଥିବା ବିଭିନ୍ନ ଅଞ୍ଚଳକୁ ନୋ ଫ୍ଲାଇଂ ଜୋନ୍‌ ମଧ୍ୟ ଘୋଷଣା କରାଯାଇଛି। ରାଷ୍ଟ୍ରପତିଙ୍କୁ ସ୍ବାଗତ କରିବା ଲାଗି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ସମ୍ବଲପୁରରେ ଆସି ପହଂଚିଥିବା ବେଳେ ଆସନ୍ତାକାଲି ପୂର୍ବାହ୍ଣରେ ରାଜ୍ୟପାଳ ରଘୁବର ଦାସ ପହଂଚିବାର କାର୍ଯ୍ୟକ୍ରମ ରହିଛି। ଦୀର୍ଘ ୧୮ ବର୍ଷ ପରେ ପଶ୍ଚିମ ଓଡ଼ିଶାର ପ୍ରାଣକେନ୍ଦ୍ର ସମ୍ବଲପୁରକୁ ରାଷ୍ଟ୍ରପତିଙ୍କ ଗସ୍ତ ହେଉଥିବାରୁ ଏଥିନେଇ ପୁଲିସ ପ୍ରଶାସନ ସ୍ବାଭାବିକ ଚଳଚଂଚଳ ହୋଇଉଠିଥିଲା ବେଳେ ସାଧାରଣରେ ବେଶ୍‌ ଉତ୍ସାହ ପରିଲକ୍ଷିତ ହୋଇଛି।