ଗୋଳାବନ୍ଧ ମିଲିଟାରି ଷ୍ଟେସନରେ ରାଷ୍ଟ୍ରପତି : ‘କଲର୍ ଆୱାର୍ଡ’ କାର୍ଯ୍ୟକ୍ରମରେ ଆଜି ଦେବେ ଉଦ୍‌ବୋଧନ

ଯୋଗଦେବେ ସ୍ଥଳସେନା ମୁଖ୍ୟ, ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ

ବ୍ରହ୍ମପୁର/ଭୁବନେଶ୍ବର : ରାଷ୍ଟ୍ରପତି ରାମନାଥ କୋବିନ୍ଦ ଦୁଇ ଦିନିଆ ଗଞ୍ଜାମ ଗସ୍ତରେ ଆସି ବ୍ରହ୍ମପୁର ଉପକଣ୍ଠ ଗୋଳବନ୍ଧ ମିଲିଟାରି ଷ୍ଟେସନ ଆର୍ମି ଏୟାର ଡିଫେସ୍‌ସ କଲେଜରେ ଅବସ୍ଥାନ କରିଛନ୍ତି। ଶନିବାର ଆର୍ମି ଏୟାର ଡିଫେନ୍ସ ସେଣ୍ଟରରେ ହେବାକୁ ଥିବା ‘କଲର୍‌ ଆୱାର୍ଡ଼ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ଯୋଗ ଦେଇ ଉଦ୍‌ବୋଧନ ଦେବେ। ୨୫ ବର୍ଷରୁ ଊର୍ଦ୍ଧ୍ବ ସମୟ ଧରି ଉଲ୍ଲେଖନୀୟ ସେବା ପାଇଁ ଏହି ସେଣ୍ଟର୍‌କୁ ରାଷ୍ଟ୍ରପତି ସମ୍ମାନଜନକ ‘କଲର୍‌ ଆୱାର୍ଡ ପ୍ରଦାନ କରିବେ। ଏହି କାର୍ଯ୍ୟକ୍ରମରେ ଭାରତୀୟ ସ୍ଥଳସେନା ମୁଖ୍ୟ ଜେନେରାଲ୍‌ ବିପିନ ରାୱତ, ଓଡ଼ିଶାର ରାଜ୍ୟପାଳ ଫ୍ରପେସର ଗଣେଶୀ ଲାଲ୍‌, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଲେଫ୍ଟନାଣ୍ଟ ଜେନେରାଲ ଅଶ୍ବିନୀ କୁମାର ଓ ଲେଫ୍ଟନାଣ୍ଟ ଜେନେରାଲ ଏ.ପି. ସିଂ ପ୍ରମୁଖ ଯୋଗ ଦେବା କାର୍ଯ୍ୟକ୍ରମ ରହିଛି।

ଆଜି ଅପରାହ୍ନ ୨ଟା ୩୦ରେ ଭାରତୀୟ ବାୟୁସେନାର ଏକ ସ୍ୱତନ୍ତ୍ର ବିମାନ ‘ରାଜକମଲ୍‌’ରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏବଂ ତାଙ୍କ ସହଧର୍ମିଣୀ ସବିତା କୋବିନ୍ଦ ଆସି ଭୁବନେଶ୍ୱର ବିଜୁ ପଟ୍ଟନାୟକ ବିମାନବନ୍ଦରରେ ପହଞ୍ଚିଥିଲେ। ସେଠାରେ ରାଷ୍ଟ୍ରପତିଙ୍କୁ ରାଜ୍ୟପାଳ ଗଣେଶୀ ଲାଲ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ, ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ, ପୁଲିସ ଡିଜି ବିଜୟ କୁମାର ଶର୍ମା, ପୁଲିସ କମିସନର ସୁଧାଂଶୁ ଷଡ଼ଙ୍ଗୀ ପ୍ରମୁଖ ସ୍ୱାଗତ କରିଥିଲେ। ଅପରାହ୍ନ ୨ଟା ୫୫ରେ ରାଷ୍ଟ୍ରପତି ବାୟୁସେନାର ହେଲିକପ୍ଟରରେ ଗୋଳାବନ୍ଧ ଅଭିମୁଖେ ବାହାରିଥିଲେ। ରାଷ୍ଟ୍ରପତିଙ୍କ ସହ ତାଙ୍କ ସହଧର୍ମିଣୀ, ରାଜ୍ୟପାଳ ଓ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଅପରାହ୍ନ ୩ଟା ୩୫ରେ ରଙ୍ଗେଇଲୁଣ୍ଡା ଏୟାରଷ୍ଟ୍ରିପ୍‌ରେ ପହଞ୍ଚିଥିଲେ। ସେଠାରେ ଜଙ୍ଗଲ ପରିବେଶ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ରାଷ୍ଟ୍ରପତିଙ୍କୁ ସ୍ବାଗତ କରିଥିଲେ। ଏଥିସହ ଆଇଜି ଅପରେସନ ଅମିତାଭ ଠାକୁର, ଦକ୍ଷିଣାଞ୍ଚଳ ରାଜସ୍ବ କମିସନର ଟି.ଆପାଙ୍ଗ ଆଓ, ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ, ବ୍ରହ୍ମପୁର ଏସ୍‌ପି ପିନାକ ମିଶ୍ର ଏବଂ ଗଞ୍ଜାମ ଏସ୍‌ପି ବ୍ରିଜେଶ କୁମାର ରାଏ ଏୟାରଷ୍ଟ୍ରିପ୍‌ରେ ସ୍ବାଗତ କରିଥିଲେ। ୩ଟା ୫୦ରେ ରାଷ୍ଟ୍ରପତି କାର୍‌ ଯୋଗେ ଗୋଳବନ୍ଧ ଆର୍ମି ଏଡି କଲେଜକୁ ଯାଇଥିଲେ। ବ୍ଲୁ ବୁକ୍‌ ଗାଇଡଲାଇନ ଅନୁଯାୟୀ ରାଷ୍ଟ୍ରପତିଙ୍କ ଲାଗି ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରା ଯାଇଥିଲା। ରାଷ୍ଟ୍ରପତିଙ୍କ କାରକେଡ୍‌ରେ ୨୭ଟି ଧଳା ଇନୋଭା ସାମିଲ ହୋଇଥିଲା।

ବ୍ରହ୍ମପୁରରେ ରାଷ୍ଟ୍ରପତିଙ୍କୁ ସ୍ବାଗତ

ରଙ୍ଗେଇଲୁଣ୍ଡା ଏୟାରଷ୍ଟ୍ରିପଠାରୁ ଗୋଳବନ୍ଧ ଆର୍ମି ଏଡି କଲେଜ ମୁଖ୍ୟ ଫାଟକ ୩ କିମି ରାସ୍ତା ପୁଲିସ ଛାଉଣିରେ ପରିଣତ ହୋଇଛି। ୧୨ ପ୍ଲାଟୁନ ଫୋର୍ସ ଓ ଶହେ ପୁଲିସ ଅଧିକାରୀ ମୁତୟନ ଅଛନ୍ତି। କଡ଼ା ସୁରକ୍ଷା ବଳୟରେ ରାଷ୍ଟ୍ରପତି ଗୋଳାବନ୍ଧ ମିଲିଟାରି ଷ୍ଟେସନରେ ପହଞ୍ଚିଥିଲେ। ସେଠାରେ ଆର୍ମି ଏଡି କେଲଜ ପକ୍ଷରୁ ରାଷ୍ଟ୍ରପତିଙ୍କୁ ଭବ୍ୟ ସ୍ବାଗତ କରା ଯାଇଥିଲା। ଏଠାରେ ରାଷ୍ଟ୍ରପତି ରାତ୍ରିଯାପନ କରିଛନ୍ତି। ଅନ୍ୟପକ୍ଷରେ ରାଷ୍ଟ୍ରପତି ପହଞ୍ଚିବାର କିଛି ସମୟ ପରେ ସ୍ଥଳସେନା ମୁଖ୍ୟ ଜେନେରାଲ୍‌ ବିପିନ୍‌ ରାୱତ ସ୍ବତନ୍ତ୍ର ହେଲିକପ୍ଟର ଯୋଗେ ଆସି ରଙ୍ଗେଇଲୁଣ୍ଡା ଏୟାରଷ୍ଟ୍ରିପରେ ପହଞ୍ଚିଥିଲେ। ଆର୍ମି ଏଡି ସେଣ୍ଟରର ବରିଷ୍ଠ ପଦାଧିକାରୀମାନେ ସେଠାରେ ସ୍ଥଳସେନା ମୁଖ୍ୟଙ୍କୁ ସ୍ବାଗତ କରିଥିଲେ। ସେଠାରୁ ସେ ସ୍ବତନ୍ତ୍ର କାରକେଡ୍‌ରେ ‌ଆର୍ମି ଏଡି କଲେଜ ଯାଇଥିଲେ।
ଏୟାରଷ୍ଟ୍ରପ୍‌ ନିକଟରେ ଦବିଲା ଇନୋଭା

ରାଷ୍ଟ୍ରପତି ଆସିଥିବା ବାୟୁ‌ସେନାର ସ୍ବତନ୍ତ୍ର ହେଲିକପ୍ଟର ରଙ୍ଗେଇଲୁଣ୍ଡା ଏୟାରଷ୍ଟ୍ରିପ୍‌ରେ ଆଜି ଅପରାହ୍ନ ୩ଟା ୩୫ରେ ଅବତରଣ କରିଥିଲା। କାରକେଡ୍‌ ପାଇଁ ଥିବା ଇନୋଭାଗୁଡିକ ଏ ସମୟରେ ଯିବା ଲାଗି ପ୍ରସ୍ତୁତ ହେଉଥିଲେ। ତେବେ କାର୍‌କେଡରେ ସାମିଲ ଏକ ଇନୋଭାର ଚକା ଏୟାରଷ୍ଟିପ୍‌ ନିକଟରେ ଫସଫସିଆ ଓଦା ମାଟିରେ ଦବି ଯାଇଥିଲା। ଲଗାଣ ବର୍ଷା ଯୋଗୁଁ ଉକ୍ତ ସ୍ଥାନରେ ଏପରି ହୋଇଥିଲା।

ସମ୍ବନ୍ଧିତ ଖବର