ଆଜି ଆସୁଛନ୍ତି ରାଷ୍ଟ୍ରପତି : ସୁରକ୍ଷା କଡ଼ାକଡ଼ି, ପୁଲିସର କାର୍‌କେଡ୍‌ ଅଭ୍ୟାସ

ଭୁବନେଶ୍ବର : ଶନିବାର ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ। ଖୋର୍ଧାର ବରୁଣେଇ ପୀଠ ଓ ଉତ୍କଳ ବିଶ୍ବବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହେବାକୁ ଥିବା ବିଶେଷ କାର୍ଯ୍ୟକ୍ରମରେ ସେ ଯୋଗ ଦେବେ। ଏନେଇ କମିସନରେଟ୍‌ ପୁଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ପୁଲିସ ପକ୍ଷରୁ ଆଜି କାର୍‌କେଡ୍‌ ଅଭ୍ୟାସ କରାଯାଇଛି। ପୂର୍ବାହ୍ନ ୧୧ଟାରେ ଏୟାରପୋର୍ଟରୁ କାର୍‌କେଡ୍‌ ବାହାରି ରାଜଭବନ ଓ ବାଣୀବିହାର ପର୍ଯ୍ୟନ୍ତ ଯାଇଥିଲା। ସେହିଭଳି ପୁଲିସ ଡିଜି ଡ. ସତ୍ୟଜିତ ମହାନ୍ତି ଖୋର୍ଧାର ବରୁଣେଇ ପୀଠ ଯାଇ ପରିଦର୍ଶନ କରିଥିଲେ। ସୁରକ୍ଷା ବ୍ୟବସ୍ଥା ସମୀକ୍ଷା କରିବା ସହ ହେଲିପ୍ୟାଡ୍‌ ଓ ସଭାସ୍ଥଳ ପରିଦର୍ଶନ କରିଥିଲେ।

ସୁରକ୍ଷା ବ୍ୟବସ୍ଥାକୁ ନେଇ ପୁଲିସ କମିସନର ସୁଧାଂଶୁ ଷଡ଼ଙ୍ଗୀ ଆଜି ସାମ୍ବାଦିକମାନଙ୍କୁ ସୂଚନା ଦେଇ କହିଥିଲେ, ବ୍ଲୁ-ବୁକ୍‌ ନିୟମ ଅନୁଯାୟୀ ରାଷ୍ଟ୍ରପତିଙ୍କ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଉଛି। ଡିସିପି ଅନୁପ କୁମାର ସାହୁ ସୁରକ୍ଷା ଦାୟିତ୍ବରେ ରହିବେ। ବିମାନବନ୍ଦର, ରାଜଭବନ, ଖୋର୍ଧା ବରୁଣେଇ ପୀଠ, ଉତ୍କଳ ବିଶ୍ବବିଦ୍ୟାଳୟ ପରିସର ଓ ରାଷ୍ଟ୍ରପତି ଯିବା ରାସ୍ତାରେ ପଯୁକ୍ତ ପୁଲିସ ଫୋର୍ସ ମୁତୟନ ହେବେ। ରାଷ୍ଟ୍ରପତିଙ୍କ ଯିବା ଆସିବା ସମୟରେ ଉଭୟ ପଟର ରାସ୍ତାକୁ କିଛି ସମୟ ପୂର୍ବରୁ ବନ୍ଦ କରି ଦିଆଯିବ। ରାଷ୍ଟ୍ରପତିଙ୍କ ସୁରକ୍ଷା ବନ୍ଦୋବସ୍ତ ଏସ୍‌ପିଜି ହାତରେ ରହିଛି। ରାଜ୍ୟ ପୁଲିସ କେବଳ ବାହ୍ୟ ସୁରକ୍ଷା ଯୋଗାଇ ଦେବ। ଏଥିପାଇଁ ଏସ୍‌ପିଜିର ସ୍ବତନ୍ତ୍ର ଦଳ ପହଞ୍ଚି ଉତ୍କଳ ବିଶ୍ବବିଦ୍ୟାଳୟ ପରିସର ଓ ବରୁଣେଇପୀଠକୁ ଯାଇ ସୁରକ୍ଷା ବ୍ୟବସ୍ଥାର ଯାଞ୍ଚ କରିଛି।

୭ ତାରିଖ ସଂଧ୍ୟାରେ ରାଷ୍ଟ୍ରପତି କୋବିନ୍ଦ ଏକ ସ୍ବତନ୍ତ୍ର ବିମାନ ଯୋଗେ ଆସି ଭୁବନେଶ୍ବ‌ରରେ ପହଞ୍ଚିବେ। ସେଠାରୁ ସେ ସିଧା ରାଜଭବନ ଯିବେ। ସେଠାରେ ରାତ୍ରିଯାପନ କରିବେ। ୮ ତାରିଖ ପୂର୍ବାହ୍ନରେ ସେ ଖୋର୍ଧାର ବରୁଣେଇ ପୀଠକୁ ଯିବେ। ସେଠାରେ ହେବାକୁ ଥିବା ପାଇକ ମେମୋରିଆଲ ଫାଉଣ୍ଡେସନର ସଭାରେ ଯୋଗଦେବେ‌। ସେଠାରୁ ଉତ୍କଳ ବିଶ୍ବବିଦ୍ୟାଳୟ ଆସି ପ୍ଲାଟିନମ ଜୁବୁଲିର ଉଦ୍‌ଯାପନୀ କାର୍ଯ୍ୟକ୍ରମରେ ଯୋଗ ଦେବେ। ସେଠାରୁ ଦିନ ପ୍ରାୟ ୧.୪୫ରେ ରାଜଭବନ ଫେରିବେ। ରାଜଭବନରେ କିଛି ସମୟ ବିଶ୍ରାମ ନେବା ପରେ ସଂଧ୍ୟା ପ୍ରାୟ ୫ଟା ୨୦ରେ ଦିଲ୍ଲୀ ଅଭିମୁଖେ ଫେରିଯିବାର କାର୍ଯ୍ୟକ୍ରମ ରହିଛି।

ସମ୍ବନ୍ଧିତ ଖବର